ଭଣ୍ଡାରିପାଙ୍ଗାମ ରେ ମା’ ମାଉଲି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଆକୁର୍ ଦଳ ବିଜେତା
ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଭଣ୍ଡରିପଙ୍ଗମ ପଞ୍ଚାୟତ ଠାରେ ଆୟୋଜିତ ମା’ ମାଉଲି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବହୁ ଆଡମ୍ବର, ଉତ୍ସାହ ଓ ଖେଳପ୍ରେମୀଙ୍କ ଅପାର ସମାଗମ ମଧ୍ୟରେ ସଫଳତାର ସହ ଉଦଯାପିତ ହୋଇଯାଇଛି। ଗ୍ରାମର ସମସ୍ତ ଯୁବକ, ବୁଦ୍ଧିଜୀବୀ ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ଓ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଅତ୍ୟନ୍ତ ସୁଚାରୁ ରୂପେ ଆୟୋଜିତ ହୋଇଥିଲା। ଏହା କେବଳ ଏକ କ୍ରୀଡ଼ା ପ୍ରତିଯୋଗିତା ନୁହେଁ, ବରଂ ଅଞ୍ଚଳର ଯୁବପିଢ଼ୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ କ୍ରୀଡ଼ାମନୋଭାବର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।
ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଶେଷ ଦିନର ଫାଇନାଲ ମ୍ୟାଚ୍ରେ ମାଲକାନଗିରି ବ୍ଲକର ଆକୁର୍ ଦଳ ଓ ଖଇରପୁଟ ବ୍ଲକର ତୁଳସୀଗୁଡ଼ା ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ଅନୁଷ୍ଠିତ ହୋଇଥିଲା। ମ୍ୟାଚ୍ଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବେଶ୍ ଉତ୍ସାହିତ କରିଥିଲା। ଉଭୟ ଦଳର ଖେଳାଳିମାନେ ନିଜ ନିଜ ଦକ୍ଷତାର ପ୍ରଦର୍ଶନ କରି ମ୍ୟାଚ୍କୁ ଅତ୍ୟନ୍ତ ରୋମାଞ୍ଚକର କରିଥିଲେ। ଶେଷରେ ଚମତ୍କାର ପ୍ରଦର୍ଶନ କରି ଆକୁର୍ ଦଳ ବିଜେତା ହେବାର ଗୌରବ ଅର୍ଜନ କରିଥିଲା।
ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ତଥା ରାଜ୍ୟ ବିଜେଡ଼ି ମହିଳା ସମ୍ପାଦିକା ଲକ୍ଷ୍ମୀପ୍ରିୟା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ, ଗ୍ରାମାଞ୍ଚଳରେ ଏଭଳି କ୍ରୀଡ଼ା ପ୍ରତିଯୋଗିତା ଯୁବପିଢ଼ୀଙ୍କୁ ସଠିକ୍ ଦିଗଦର୍ଶନ ଦେବା ସହ ସେମାନଙ୍କ ମଧ୍ୟରେ ଶୃଙ୍ଖଳା, ଏକତା ଓ ଆତ୍ମବିଶ୍ୱାସ ବୃଦ୍ଧି କରେ।
ସମ୍ମାନିତ ଅତିଥି ଭାବେ ବ୍ଲକ ବିଜେଡ଼ି ସଭାପତି ତଥା ସମାଜସେବୀ ସଦାଶିବ ପୂଜାରୀ, ସରପଞ୍ଚ ଭାରତୀ କଲାକୁରା, ସମାଜସେବୀ ଲକ୍ଷ୍ମଣ କାଲାକୁରା ଏବଂ ସମାଜସେବୀ ରାମ ମାଡକାମୀ ଉପସ୍ଥିତ ରହିଥିଲେ। ସମସ୍ତ ଅତିଥିମାନେ ଆୟୋଜକମାନଙ୍କ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ଏଭଳି କ୍ରୀଡ଼ା ଆୟୋଜନକୁ ଅଧିକ ସୁଦୃଢ଼ କରିବା ପାଇଁ ଆହ୍ୱାନ ଜଣାଇଥିଲେ।
କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କମଳ ଲୋଚନ ଦୁରୁକା ସୁଚାରୁ ଭାବେ ସମ୍ପାଦନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଲକ୍ଷ୍ମୀପ୍ରିୟା ନାୟକ ବିଜେତା ଆକୁର୍ ଦଳକୁ ୧୨,୫୦୦ ଟଙ୍କା ଅର୍ଥରାଶି ପ୍ରଦାନ କରିଥିବା ବେଳେ ରାନର୍ସ ଅପ୍ ତୁଳସୀଗୁଡ଼ା ଦଳକୁ ବ୍ଲକ ବିଜେଡ଼ି ସଭାପତି ସଦାଶିବ ପୂଜାରୀଙ୍କ ପକ୍ଷରୁ ୧୦,୫୦୦ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା।
ଶେଷରେ ଅତିଥିମାନେ ନିଜ ଅଭିଭାଷଣରେ ଯୁବପିଢ଼ୀଙ୍କୁ କ୍ରୀଡ଼ା ପ୍ରତି ଅଧିକ ଆଗ୍ରହୀ ହେବା ସହ ସୁସ୍ଥ ସମାଜ ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ଆୟୋଜକ କମିଟି ଓ ସମସ୍ତ ଗ୍ରାମବାସୀଙ୍କୁ ସର୍ବସ୍ତରରୁ ପ୍ରଶଂସା କରାଯାଇଛି।


admin 
