ଏକକ ଅଭିଭାବକ ଓ ଅନାଥ ଶିଶୁଙ୍କ ପାଇଁ ‘କ୍ୟାମ୍ପ କୋର୍ଟ’ ଅନୁଷ୍ଠିତ

ଏକକ ଅଭିଭାବକ ଓ ଅନାଥ ଶିଶୁଙ୍କ ପାଇଁ ‘କ୍ୟାମ୍ପ କୋର୍ଟ’ ଅନୁଷ୍ଠିତ

ନୟାଗଡ଼, ୧୧।୦୯ : ଏକକ ଅଭିଭାବକ ଓ ଅନାଥ ଶିଶୁମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ସେମାନଙ୍କୁ ଆଇନଗତ ଓ ସାମାଜିକ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ଦଶପଲ୍ଲା ବ୍ଲକରେ ଜିଲ୍ଲା ପ୍ରଶାସନ ନୟାଗଡ ତରଫରୁ ଏକ ‘କ୍ୟାମ୍ପ କୋର୍ଟ’ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଏକକ ଅଭିଭାବକ ଓ ଅନାଥ ଶିଶୁମାନଙ୍କ ଅଧିକାର, ସୁରକ୍ଷା, ଶିକ୍ଷା, ସରକାରୀ ଯୋଜନାର ସୁବିଧା ଏବଂ ଆଇନଗତ ସହାୟତା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଶିଶୁମାନେ ଯେପରି ନିଜର ଅଧିକାର ଓ ସରକାରୀ ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନେ ଆବଶ୍ୟକ ସହଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବିୟନ ପ୍ରଧାନ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ଦାଶ, ସଦସ୍ୟା ରୋଜାଲିନ ସାହୁଙ୍କ ସମେତ ସମ୍ପୃକ୍ତ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଯୋଗଦେଇ ଉପସ୍ଥିତ ହିତାଧିକାରୀଙ୍କ ସମସ୍ୟା ଶୁଣିଥିଲେ। ଆବଶ୍ୟକ କ୍ଷେତ୍ରରେ ଆଇନଗତ ପରାମର୍ଶ ଓ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।

ଏହି କ୍ୟାମ୍ପରେ ଦଶପଲ୍ଲା ବ୍ଲକର ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ଯୋଗଦେଇଥିଲେ। ଶିଶୁମାନଙ୍କ ସମସ୍ୟା ଚିହ୍ନଟ କରି ଆବଶ୍ୟକ ସହାୟତା ଯୋଗାଇଦେବା ସହ ସେମାନଙ୍କ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ କରିବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ‘କ୍ୟାମ୍ପ କୋର୍ଟ’ ମାଧ୍ୟମରେ ଏକକ ଅଭିଭାବକ ଓ ଅନାଥ ଶିଶୁମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଅଧିକାର, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ନିଆଯାଇଥିବା ମତ ପ୍ରକାଶ ପାଇଛି।

 ଆଶୋକ କୁମାର ସଥୁଅ।,ଜିଲ୍ଲା ପ୍ରତିନିଧି ନୟାଗଡ଼