*ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର*

*ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର*

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇସ୍ଥିତ ସାଇ ଶାନ୍ତି ଚକ୍ଷୁ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ଭଗବାନ କର (ପିତା– ପୀତବାସ କର), ଘର ଘଣ୍ଟେଶ୍ୱର ବଜ୍ରପୁର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭଗବାନ କର ସାଇ ଶାନ୍ତି ଚକ୍ଷୁ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ସମୟରେ ହଠାତ୍‌ କେଉଁଆଡ଼େ ଚାଲିଯାଇଥିଲେ। ପରେ ଷ୍ଟାଫ୍‌ମାନେ ତାଙ୍କୁ ଖୋଜାଖୋଜି କରିବା ସହ ତାଙ୍କ ରୁମ୍‌କୁ ଯାଇଥିଲେ। ରୁମ୍‌ର କବାଟ ଭିତର ପଟୁ ବନ୍ଦ ଥିବାରୁ ଏବଂ ବହୁ ସମୟ ଡାକିବା ସତ୍ତ୍ୱେ କୌଣସି ପ୍ରତିକ୍ରିୟା ନ ମିଳିବାରୁ ଷ୍ଟାଫ୍‌ମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।

ଏନେଇ ଷ୍ଟାଫ୍‌ମାନେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ଫୋନ୍‌ ଯୋଗେ ସୂଚନା ଦେଇଥିଲେ। ସୂଚନା ପାଇ ଆଦର୍ଶ ଥାନା ଅଧିକାରୀ ମାନସ କୁମାର ମଲିକଙ୍କ ନେତୃତ୍ୱରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୁମ୍‌ ଖୋଲି ଯାଞ୍ଚ କରିଥିଲା। ସେଠାରେ ଭଗବାନ କରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା।

ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ପଠାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି।

ଅନ୍ୟପକ୍ଷରେ, ଭଗବାନ କରଙ୍କ ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା, ସେ ସମ୍ପର୍କରେ ପରିବାର ପକ୍ଷରୁ ଅଜ୍ଞତା ପ୍ରକାଶ କରାଯାଇଛି। ଘଟଣାର ସଠିକ୍‌ କାରଣ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

GadadharA