Puri Upma: ବ୍ରହ୍ମପୁରର ପୁରି ଉପମା, ବେପାର ମାସକୁ କୋଟିଏ

Puri Upma: ବ୍ରହ୍ମପୁରର ପୁରି ଉପମା, ବେପାର ମାସକୁ କୋଟିଏ

ରାସ୍ତାରେ ଗଲାବେଳେ ବାସ୍ନାରେ ହିଁ ପେଟ ପୂରିଯାଉଥିବ। ଜଳଖିଆ ଦୋକାନରୁ ଶୁଭୁଥିବ ‘ଭାଇନା.., ପୁରି, ଉପମା, ଘୁଗୁନି ଖାଉନ ବା...।’ ସେଇ ଡାକରୁ ଜାଣିଦେବେ ଆପଣ ଗଞ୍ଜାମ ସୀମାରେ...

*ରାସ୍ତାରେ ଗଲାବେଳେ ବାସ୍ନାରେ ହିଁ ପେଟ ପୂରିଯାଉଥିବ। ଜଳଖିଆ ଦୋକାନରୁ ଶୁଭୁଥିବ ‘ଭାଇନା.., ପୁରି, ଉପମା, ଘୁଗୁନି ଖାଉନ ବା...।’ ସେଇ ଡାକରୁ ଜାଣିଦେବେ ଆପଣ ଗଞ୍ଜାମ ସୀମାରେ ପଶିଲେଣି। ଏଠି ନିଦ ଭାଙ୍ଗେ ପୁରି-ଉପମା ଓ ଘୁଗୁନି ବାସ୍ନାରେ। ବ୍ରହ୍ମପୁର ସହର ରାସ୍ତାପାର୍ଶ୍ବ ହୋଟେଲ୍‌, ‌ଠେଲାରେ କେବଳ ପୁରି-ଉପମା ବେପାର ମାସିକ ହାରାହାରି କୋଟିଏ ଟଙ୍କାରୁ ଅଧିକ ବୋଲି କୁହନ୍ତି ବେପାରୀ। ପୁରି-ଉପମାକୁ ନେଇ ଗଞ୍ଜାମ ଜିଲ୍ଲା କାହିଁକି; ଦକ୍ଷିଣ ଓଡ଼ିଶାବାସୀଙ୍କ ମୋହ ଅଲଗା ପ୍ରକାରର। ଏବେ ଡିଜିଟାଲ୍‌ ଯୁଗରେ ସାମାଜିକ ଗଣମାଧ୍ୟମରେ ପ୍ରଚାରପ୍ରସାର ଯୋଗୁଁ ପୁରି-ଉପମା ଦେଶ ବିଦେଶରେ ଆଦର ଲାଭ କଲାଣି। ହେଲେ ସରକାରଙ୍କ ନାକରେ ଏ ବାସ୍ନା ବାଜୁନି। ନା ଏହି ନିଆରା ଖାଦ୍ୟକୁ ଜିଆଇ ଟ୍ୟାଗ୍ ମିଳୁଛି, ନା ସରକାରଙ୍କ ଖାଦ୍ୟ ମେନ୍ୟୁରେ ପୁରି-ଉପମା ପରଷା ଯାଉଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ତୀବ୍ର ହେଉଛି।*

*ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ*

*ଠେଲା ହେଉ କି ହୋଟେଲ୍‌, କରେଇରୁ ଅନବରତ ଛଣା ହୋଇ ବାହାରୁଥିବ ପୁରି। ପୁରି ଉପରେ ୨ ଡଙ୍କି ଉପମା ଏବଂ ତା’ ଉପରେ ଘୁଗୁନି, ବୁଟ, ଲଙ୍କାଠୁ ଟମାଟୋ ଚଟଣି, ଆଳୁକଷା ଦେଇ ଗ୍ରାହକଙ୍କୁ ପ୍ଲେଟ୍‌ ବଢ଼େଇ ଦେଉଥିବେ। ଗଞ୍ଜାମର ଗାଁରୁ ସହର, ବ୍ରହ୍ମପୁର ମହାନଗରରେ ଲୋକ ରାସ୍ତାକଡ଼ରେ ବି ଆନନ୍ଦ ମନରେ ଏହାକୁ ଖାଆନ୍ତି। ସେମାନଙ୍କ ଲାଗି ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ର ସବୁଠୁ ଦାମୀ ମେନ୍ୟୁ ବି ପୁରି-ଉପମା ତଳେ। ଦକ୍ଷିଣ ଓଡ଼ିଶାରେ ପୁରି-ଉପମାର ଆଦର ବେଶ୍‌ ଅଧିକ। ଭୁବନେଶ୍ବର, ପୁରୀ, କଟକରୁ ଦିଲ୍ଲୀ, ମୁମ୍ବାଇ, ବିଶାଖାପାଟଣା, ପୁଣେ, ବେଙ୍ଗାଲୁରୁରେ ବି ପୁରି-ଉପମା ଷ୍ଟଲ୍‌ ଖୋଲିଛି। ଖାଦ୍ୟର ସହର ବ୍ରହ୍ମପୁରରେ ଶତାଧିକ ଷ୍ଟଲ୍‌ରେ ସକାଳୁ ରାତି ଯାଏଁ ପୁରି-ଉପମା ମିଳେ। ପୁରି-ଉପମା ବେପାରରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ୧୦ ହଜାରରୁ ଅଧିକ ପରିବାର ନିର୍ଭରଶୀଳ। ଚଟଣି ପ୍ରସ୍ତୁତକାରୀଙ୍କଠାରୁ ନେଇ ରୋଷେୟା, ସହାୟକ ସମସ୍ତେ ପରିବାର ଚଳାନ୍ତି। ଏମିତି ଅନେକ ଦୋକାନ ରହିଛି, ଯେଉଁଠି ଦିନକୁ ୫ରୁ ୧୦ ହଜାର ଟଙ୍କା ପୁରି-ଉପମା ବେପାର ହୁଏ। ହେଲେ ଆଜି ପର୍ଯ୍ୟନ୍ତ ପୁରି-ଉପମାକୁ ସରକାରୀ ମୋହର କି ଜିଆଇ ମାନ୍ୟତା ପ୍ରଦାନ ଦାବି ନେଇ କେହି ଆଗକୁ ଆସୁନାହାନ୍ତି। ଦକ୍ଷିଣ ଓଡ଼ିଶାବାସୀଙ୍କ ନିତିଦିନିଆ ଜଳଖିଆ ପୁରି-ଉପମାକୁ ଜିଆଇ ମାନ୍ୟତା ଦେବାକୁ ଦାବି ହେଉଛି।*