ଘଟିବାକୁ ଯାଉଛି ବିରଳ ମହାଜାଗତିକ ଘଟଣା.

ଘଟିବାକୁ ଯାଉଛି ବିରଳ ମହାଜାଗତିକ ଘଟଣା.

ଘଟିବାକୁ ଯାଉଛି ବିରଳ ମହାଜାଗତିକ ଘଟଣା: ପୃଥିବୀ ଆଡ଼କୁ ବଢ଼ୁଛି…   ଓ୍ବାଶିଂଟନ୍‌, ୧୬ା୯: ଆସନ୍ତା ୧୮ରେ ଏକ ବିରଳ ମହାଜାଗତିକ ଘଟଣା ଘଟିବାକୁ ଯାଉଛି। ୨୦୨୫ ଏଫ୍‌ଏ ୨୨ ନାମକ ଏକ କ୍ଷୁଦ୍ରଗ୍ରହ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ ବୋଲି ସୋମବାର ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ପ୍ରତି ନାସାର ସେଣ୍ଟର ଫର୍‌ ନିୟର୍‌ ଆର୍ଥ ଅବଜେକ୍ଟ ଷ୍ଟଡିଜ୍‌ (ସିଏନ୍‌ଇଓଏସ୍‌) ଏବଂ ଜେଟ୍‌ ପ୍ରପଲସନ୍‌ ଲାବୋରେଟୋରି (ଜେପିଏଲ୍‌) ଦ୍ୱାରା ଏହି କ୍ଷୁଦ୍ରଗ୍ରହର ଗତିପଥକୁ ଟ୍ରାକ୍‌ କରାଯାଉଛି। ଚଳିତ ବର୍ଷ ପ୍ରାରମ୍ଭରେ ଆମେରିକାର ହାଓ୍ବାଇସ୍ଥିତ ‘ପ୍ୟାନ୍‌-ଷ୍ଟାର୍ସ ୨ ସର୍ଭେ’ ଦ୍ୱାରା ଏହି କ୍ଷୁଦ୍ରଗ୍ରହକୁ ଆବିଷ୍କାର କରାଯାଇଥିଲା। ଏହାର ବ୍ୟାସାର୍ଦ୍ଧ ୧୨୦ରୁ ୨୮୦ ମିଟର ମଧ୍ୟରେ ହୋଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଏହି ଦୃଷ୍ଟିକୋଣରୁ ଏଫ୍‌ଏ ୨୨ ଦିଲ୍ଲୀରେ ଥିବା ପ୍ରସିଦ୍ଧ ଦର୍ଶନୀୟ ସ୍ଥଳୀ କୁତବମିନାରଠାରୁ ସର୍ବନିମ୍ନ ୨ ଗୁଣା ଏବଂ ସର୍ବାଧିକ ୪ ଗୁଣା ଉଚ୍ଚ ହେବ। ଏହି ଆଷ୍ଟରଏଡ୍‌ ସୂର୍ଯ୍ୟଙ୍କ ଚାରିପାଖରେ ଏକ ସାମାନ୍ୟ ଢଳିଥିବା କକ୍ଷପଥରେ ଘୂରିଥାଏ। ଏହାର କକ୍ଷପଥର ଅବଧି ପ୍ରାୟ ୧.୮୫ ବର୍ଷ ରହିଛି। ଆସନ୍ତା ୧୮ରେ ଏହି କ୍ଷୁଦ୍ରଗ୍ରହ ପୃଥିବୀଠାରୁ ପ୍ରାୟ ୮ ଲକ୍ଷ ୪୨ ହଜାର କି.ମି. ଦୂର ଦେଇ ଅତିକ୍ରମ କରିବ। ଉକ୍ତ ଦୂରତା ଚନ୍ଦ୍ରଠାରୁ ପୃଥିବୀର ଦୂରତା ତୁଳନାରେ ୨ ଗୁଣ ଅଧିକ। ଇଣ୍ଟରନ୍ୟାଶ୍‌ନାଲ ଆଷ୍ଟରଏଡ୍‌ ଓ୍ବାର୍ନିଂ ନେଟ୍‌ଓ୍ବର୍କ (ଆଇଏଡବ୍ଲ୍ୟୁଏନ୍‌) ସମ୍ପ୍ରତି ଉଭୟ ରାଡାର ଏବଂ ଶକ୍ତିଶାଳୀ ଅପ୍ଟିକାଲ ଟେଲିସ୍କୋପର ବ୍ୟବହାର କରି ଏଫ୍‌ଏ୨୨ କ୍ଷୁଦ୍ରଗ୍ରହର କକ୍ଷପଥ ଏବଂ ଗଠନକୁ ନେଇ ଅଧ୍ୟୟନ ଜାରି ରଖିଥିବା ନାସା ସୂଚନା ଦେଇଛି। ତେବେ ଏଫ୍‌ଏ୨୨ ପୃଥିବୀ ନିକଟ ଦେଇ ଅତିକ୍ରମ କରିବା ପ୍ରଭାବରେ କୌଣସି ବିପଦ ଆଶଙ୍କା ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।