ବିପଦଶଙ୍କୁଳ ଗୃହରେ ଚାଲିଛି ଖଳିସାହି ସେବା ସମବାୟ ସମିତି କାର୍ଯ୍ଯାଳୟ
ଖଣ୍ଡପଡ଼ା ୨୩|୪ , ଖଣ୍ଡପଡ଼ା ବ୍ଲକ ଅଧୀନ ଖଳିସାହି ସେବା ସମବାୟ ସମିତି କାର୍ଯ୍ଯାଳୟଟି ଦିର୍ଘ ବର୍ଷ ଧରି ଏକ ବିପଦଶଙ୍କୁଳ ଗୃହରେ ଚାଲିଥିବା ଜଣାପଡିଛି। ଖଳିସାହି ପଞ୍ଚାୟତ କାର୍ଯ୍ଯାଳୟ ପରିସରସ୍ଥିତ ଏକ ଟିଣ ଛପର ଗୃହରେ ୧୯୫୬ ମସିହାରେ ଉକ୍ତ ସେବା ସମବାୟ ସମିତି କାର୍ଯ୍ଯାଳୟଟି ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାକ୍ରମେ କାର୍ଯ୍ଯ ଆରମ୍ଭ କରିଥିଲା। ଦିର୍ଘ ୬୯ ବର୍ଷ ପରେ ମଧ୍ଯ ସେବା ସମବାୟ ସମିତି କାର୍ଯ୍ଯାଳୟଟି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ଯଥାକଥା ରୀତିରେ ଚାଲିଥିବା ପରିଲକ୍ଷିତ ହେଉଛି।କାର୍ଯ୍ଯାଳୟ ପରିସରରେ ସ୍ଥାନର ଅଭାବରୁ ସେଠାରେ କାର୍ଯ୍ଯରତ କର୍ମଚାରୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବର୍ଷାଦିନେ ଟିଣ ଛପର ଗୃହରୁ ପାଣି ଗଳୁଥିବାରୁ କର୍ତ୍ତୃପକ୍ଷ ଅସୁବିଧାର ସମ୍ମୁଖୀନ ହେଉଥିବା
ଜଣାପଡିଛି।ପ୍ରତିବର୍ଷ ଉକ୍ତ ସେବା ସମବାୟ ସମିତିରେ ପ୍ରଶାସନ ପକ୍ଷରୁ ଧାନମଣ୍ତି ଖୋଲୁଥିବା ବେଳେ ସ୍ଥାନ ଅଭାବରୁ ମୁଖ୍ଯ ରାସ୍ତା ପାର୍ଶ୍ବସ୍ଥ ଜାଗା ଓ ନିକଟସ୍ଥ ବଡ ପଡିଆରେ ଚାଷୀମାନଙ୍କ ଠାରୁ ମିଲର କର୍ତ୍ତୃପକ୍ଷ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ କ୍ରୟ କରିଥାନ୍ତି। ସେବା ସମବାୟ ସମିତି କାର୍ଯ୍ଯାଳୟ ପରିସରରେ ଓ ବାହାରେ ସ୍ଥାନର ଅଭାବ ପରିଲକ୍ଷିତ ହେଉଥିବାରୁ ସାଧାରଣରେ ଓ ସ୍ଥାନୀୟ ଅଞ୍ଚଳର ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେବା ସମବାୟ ସମିତି କାର୍ଯ୍ଯାଳୟର ଉନ୍ନତିକରଣ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନତୁବା ଲୋକ ପ୍ରତିନିଧିମାନେ କେହି ହେଲେ ଧ୍ୟାନ ଦେଉନଥିବା ଜଣାପଡିଛି।ପ୍ରକାଶଥାଉକି କେନ୍ଦ୍ର ଓ ରାଜ୍ଯ ସରକାର କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ଅନେକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିବା ସହ ସେବା ସମବାୟ ସମିତି କାର୍ଯ୍ଯାଳୟ ଗୁଡିକର ପୁନରୁଦ୍ଧାର ନତୁବା ଭିତ୍ତିଭୂମିର ବିକାଶ ଦିଗରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିଲେ ହେଁ ଖଳିସାହି ସେବା ସମବାୟ ସମିତି କାର୍ଯ୍ଯାଳୟଟି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଥିବା ଜଣାପଡିଛି।ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ଖଳିସାହି ସେବା ସମବାୟ ସମିତି କାର୍ଯ୍ଯାଳୟର ଭିତ୍ତିଭୂମି ବିକାଶ କରିବାକୁ ଦାବି ହେଉଛି। ନୟାଗଡ ଜିଲ୍ଲାପାଳ ଓ ଖଣ୍ଡପଡ଼ା ବିଧାୟକ ଉକ୍ତ ସେବା ସମବାୟ ସମିତି କାର୍ଯ୍ଯାଳୟ ପ୍ରତି ଦୃଷ୍ଟି ଦେବାକୁ ଖଳିସାହି ପଞ୍ଚାୟତବାସୀ ଦାବି କରିଛନ୍ତି।
ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର


admin 
