ମାଥିଲିରେ ଜିଓ ନେଟୱାର୍କ ସେବା ନେଇ ଅସନ୍ତୋଷ ୫ଜି ପାଇଁ ଟଙ୍କା ନେଇ ୪ଜି ସେବା ଦେଉଥିବା ଅଭିଯୋଗ, ଗ୍ରାହକ ହନ୍ତସନ୍ତ
ମାଥିଲିରେ ଜିଓ ନେଟୱାର୍କ ସେବା ନେଇ ଅସ
ମାଥିଲି, ଦିନକୁ ଦିନ ଡିଜିଟାଲ ସେବାର ଚାହିଦା ବଢ଼ୁଥିବା ବେଳେ ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରେ ମୋବାଇଲ ନେଟୱାର୍କ ସେବାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଜିଓ ନେଟୱାର୍କର ସେବା ଅନେକ ସମୟରେ ଠିକ୍ ଭାବେ ମିଳୁନଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି।
ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ୫ଜି ସେବା ପାଇଁ ରିଚାର୍ଜ କରିବା ସତ୍ତ୍ୱେ ଅନେକ ସମୟରେ ମୋବାଇଲରେ ୪ଜି ନେଟୱାର୍କ ଦେଖାଯାଉଛି। ଏହା ସହ ବିଦ୍ୟୁତ୍ ବିଭ୍ରାଟ ହେଲେ ନେଟୱାର୍କ ସେବା ଅଧିକ ପ୍ରଭାବିତ ହେଉଥିବା ଅଭିଯୋଗ ରହିଛି। ବିଦ୍ୟୁତ୍ ଆସିବା ପରେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ନେଟୱାର୍କ ସ୍ୱାଭାବିକ ହେଉନଥିବାରୁ ଗ୍ରାହକମାନେ ଅସୁବିଧାରେ ପଡ଼ୁଛନ୍ତି।
ବହୁ ସମୟରେ ନେଟୱାର୍କ ଅପ୍-ଡାଉନ୍ ହେବା ସହ କଲ୍ କରିବାରେ ସମସ୍ୟା ଦେଖାଦେଉଛି। ଏପରିକି ଜରୁରୀକାଳୀନ ସମୟରେ ଆବଶ୍ୟକ ଫୋନ୍ କଲ୍ କରିବାକୁ ମଧ୍ୟ ଗ୍ରାହକମାନେ ହଇରାଣ ହେଉଥିବା କହିଛନ୍ତି। ଏହି ସମସ୍ୟା ଦୀର୍ଘଦିନ ଧରି ଚାଲିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହେଉନଥିବାରୁ ଜିଓ ଗ୍ରାହକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।
ନେଟୱାର୍କ ସେବାରେ ଏଭଳି ସମସ୍ୟା ଲାଗି ରହିଲେ ଅନେକ ଜିଓ ଗ୍ରାହକ ଅନ୍ୟ ନେଟୱାର୍କକୁ ପୋର୍ଟ କରିବାକୁ ମନ ବଳାଉଥିବା ଜଣାପଡ଼ିଛି। ତେଣୁ ଜିଓ କର୍ତ୍ତୃପକ୍ଷ ମାଥିଲି ଅଞ୍ଚଳର ନେଟୱାର୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଶୀଘ୍ର ଯାଞ୍ଚ କରି ସ୍ଥାୟୀ ସମାଧାନ କରିବା ସହ ଗ୍ରାହକଙ୍କୁ ଉନ୍ନତ ଓ ନିରବଚ୍ଛିନ୍ନ ନେଟୱାର୍କ ସେବା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
