ମାଥିଲିରେ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ
ବିଜେତା କ୍ରୀଡ଼ାବିତ୍ଙ୍କୁ ପୁରସ୍କୃତ କଲେ ବିଡିଓବିଜେତା କ୍ରୀଡ଼ାବିତ୍ଙ୍କୁ ପୁରସ୍କୃତ କଲେ ବିଡିଓ
ମାଥିଲି, ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକରେ ଦୁଇଦିନ ଧରି ଚାଲିଥିବା ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ ଶୁକ୍ରବାର ଭବ୍ୟ ଉଦ୍ଯାପନୀ ସମାରୋହ ଓ ପୁରସ୍କାର ବିତରଣ ସହ ସମାପ୍ତ ହୋଇଛି। ମାଥିଲି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ଏହି କ୍ରୀଡ଼ା ଉତ୍ସବରେ ବ୍ଲକର ୪ଟି ଜୋନ୍ର ବିଭିନ୍ନ ବିଦ୍ୟାଳୟରୁ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ଖେଳ ଓ ଆଥଲେଟିକ୍ସରେ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।
ଉଦ୍ଯାପନୀ ସମାରୋହରେ ମାଥିଲି ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ବିଜେତା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ନିୟମିତ ଅଭ୍ୟାସ, ଶୃଙ୍ଖଳା ଓ ଦୃଢ଼ ମନୋବଳ ହିଁ କ୍ରୀଡ଼ା କ୍ଷେତ୍ରରେ ସଫଳତାର ମୁଖ୍ୟ ଆଧାର ବୋଲି ସେ କହିବା ସହ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହୀ ହୋଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ମାଥିଲି ତହସିଲଦାର ଶ୍ରୀମତୀ ମାନସୀ ଭୋଇ, UGMV ମାଥିଲିର ପ୍ରଧାନାଚାର୍ଯ୍ୟ ଡ. ସୁବ୍ରତ କୁମାର ଭଦ୍ର, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ବରାଇ, ABEO-cum-BRCC ଶ୍ରୀ ଚତିଶ ଚନ୍ଦ୍ର ନାୟକ, ମାଥିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସ୍ମୃତିରଞ୍ଜନ ଓ ସମିତି ସଭ୍ୟ ଶ୍ରୀ ବାଲା ରାଜୁ କୋପେ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ।
ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ବରାଇ ତାଙ୍କ ଅଭିଭାଷଣରେ ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ବ୍ଲକର ସମସ୍ତ PET ଶିକ୍ଷକଙ୍କୁ ବିଶେଷ ଧନ୍ୟବାଦ ଜଣାଇଥିଲେ। PET ଶିକ୍ଷକମାନେ ବିଭିନ୍ନ ବର୍ଗର ଖେଳ ପରିଚାଳନା କରିବା ସହ ଦୁଇଦିନ ଧରି ଛାତ୍ରଛାତ୍ରୀଙ୍କ ରହଣି, ଖାଦ୍ୟ ଓ ସୁରକ୍ଷା ଦାୟିତ୍ୱ ନିଷ୍ଠାର ସହ ତୁଲାଇଥିବାରୁ ସେମାନଙ୍କ ପ୍ରଶଂସା କରିଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କୁ ନିୟମିତ କ୍ରୀଡ଼ାରେ ଅଂଶଗ୍ରହଣ କରି ସୁସ୍ଥ ଓ ଶୃଙ୍ଖଳିତ ଜୀବନ ଗଢ଼ିବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିବା ମାଥିଲି ବ୍ଲକ ଶିକ୍ଷକ ସଂଘର ସଭାପତି ଶ୍ରୀ ଆର୍. ଭେଙ୍କଟ ରମଣ, ସମ୍ପାଦକ ଶ୍ରୀ ନରେନ୍ଦ୍ର ନିଆଲ, ଉପସଭାପତି ଶ୍ରୀ ସୁନୀଲ କୁମାର ଦାସ, ଶ୍ରୀମତୀ ଦେବକୀ ପୂଜାରୀ ଓ ଶ୍ରୀମତୀ ପ୍ରମିଳା କରଙ୍କ ସମେତ ସମସ୍ତ ସଂଘ ସଦସ୍ୟ ଏବଂ ବିଭିନ୍ନ ଦାୟିତ୍ୱରେ ନିୟୋଜିତ ଶିକ୍ଷକମାନଙ୍କୁ BEO ଶ୍ରୀ ବରାଇ କୃତଜ୍ଞତା ଜଣାଇଥିଲେ।
ଏହି କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନରେ UGMV ମାଥିଲିର ପ୍ରଧାନାଚାର୍ଯ୍ୟ ଡ. ସୁବ୍ରତ କୁମାର ଭଦ୍ରଙ୍କ ସହଯୋଗକୁ ଆୟୋଜକଙ୍କ ପକ୍ଷରୁ ବିଶେଷ ଭାବେ ପ୍ରଶଂସା କରାଯାଇଥିଲା। ଦୁଇଦିନିଆ କ୍ରୀଡ଼ା ଉତ୍ସବରେ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଖବର ସଂଗ୍ରହ କରିଥିଲେ।
କ୍ରୀଡ଼ା ଛାତ୍ରଛାତ୍ରୀଙ୍କ ଶାରୀରିକ ସୁସ୍ଥତା ସହିତ ଶୃଙ୍ଖଳା, ଆତ୍ମବିଶ୍ୱାସ, ଧୈର୍ଯ୍ୟ ଓ ଦଳଗତ ମନୋଭାବ ବିକାଶରେ ଗୁରୁତ୍ୱପୂର୍ଣ୍ଣ। ମାଥିଲି ବ୍ଲକର ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ଆଗକୁ ଆଣିବାରେ ଏହି କ୍ରୀଡ଼ା ଉତ୍ସବ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉପସ୍ଥିତ ଅତିଥି ଓ ଶିକ୍ଷକମାନେ ଆଶା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଏହି କ୍ରୀଡ଼ାବିତ୍ମାନେ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରରେ ମାଥିଲିର ଗୌରବ ବଢ଼ାଇବେ ବୋଲି ଆଶା ବ୍ୟକ୍ତ କରାଯାଇଥିଲା।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
