ସଡ଼କ ସୁରକ୍ଷା ଅଭିଯାନରେ ଯୁବ ରେଡକ୍ରସ୍ର ସଚେତନତା ବାର୍ତ୍ତା
ହେଲମେଟ୍ ପିନ୍ଧନ୍ତୁ, ଟ୍ରାଫିକ୍ ନିୟମ ମାନନ୍ତୁ—ସୁରକ୍ଷିତ ରୁହନ୍ତୁ
ମାଥିଲି, ୦୭/୦୯: ସଡ଼କ ସୁରକ୍ଷା ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ମାଥିଲି ଥାନା ନିକଟରେ ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ପ୍ରିନ୍ସିପାଲ୍ ଶୁବ୍ରତ କୁମାର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଭିଯାନରେ ଯୁବ ରେଡକ୍ରସ୍ (YRC) ଓ ଏନ୍ଏସ୍ଏସ୍ର ବହୁ ଛାତ୍ରଛାତ୍ରୀ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀମାନେ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ହେଲମେଟ୍ ବ୍ୟବହାର, ଟ୍ରାଫିକ୍ ନିୟମ ପାଳନ ଓ ସୁରକ୍ଷିତ ଯାତାୟାତ ସମ୍ପର୍କରେ ସଚେତନ କରିଥିଲେ।
କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ରାମକୃଷ୍ଣ ନାୟକ ଓ ଯୁବ ରେଡକ୍ରସ୍ ଅଧିକାରୀ ନରେନ୍ଦ୍ର ବେହେରା ଉପସ୍ଥିତ ରହି ସଡ଼କ ସୁରକ୍ଷାର ଗୁରୁତ୍ୱ ନେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।
ଅଭିଯାନରେ ଦୁଇଚକିଆ ଯାନ ଚଳାଇବା ସମୟରେ ଅବଶ୍ୟ ହେଲମେଟ୍ ପିନ୍ଧିବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା, ଅତ୍ୟଧିକ ବେଗରେ ଯାନ ନଚଳାଇବା ଏବଂ ସମସ୍ତ ଟ୍ରାଫିକ୍ ନିୟମ ପାଳନ କରିବାକୁ ଲୋକଙ୍କୁ ଆହ୍ୱାନ କରାଯାଇଥିଲା।
“ସଡ଼କ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ” ବାର୍ତ୍ତା ଦେଇ ଛାତ୍ରଛାତ୍ରୀମାନେ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ସୁରକ୍ଷିତ ରଖିବା ପାଇଁ ନିୟମ ମାନି ଯାତାୟାତ କରିବାକୁ ଜନସାଧାରଣଙ୍କୁ ସଚେତନ କରିଥିଲେ। ବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଛାତ୍ରଛାତ୍ରୀଙ୍କ ଏହି ସମାଜମୁଖୀ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
