ଜଣେ ବ୍ୟକ୍ତି ଦୁଇଟି ଚାକିରୀ — ଅସାଧୁ ନିଯୁକ୍ତିର ଖୋଳତାଡ ,

ଜଣେ ବ୍ୟକ୍ତି ଦୁଇଟି ଚାକିରୀ — ଅସାଧୁ ନିଯୁକ୍ତିର ଖୋଳତାଡ ,

ଜଣେ ବ୍ୟକ୍ତି ଦୁଇଟି ଚାକିରୀ — ଅସାଧୁ ନିଯୁକ୍ତିର ଖୋଳତାଡ

ମାଥିଲି  ୨/୧୧/ମାଲକାନଗିରି ଜିଲ୍ଲାର ଗରିବ ଓ ଶ୍ରମିକ ବର୍ଗର ପୁଅଝିଅ ଯେଉଁଠି ପାଠ ପଢିଲେ ମଧ୍ୟ ଚାକିରୀ ନ ପାଇ ସହର ଓ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଖଟିବାକୁ ଚାଲିଯାଉଛନ୍ତି, ସେଠି ଜଣେ ଅଧ୍ୟାପକଙ୍କ ଗୋଟିଏ ସମୟରେ ଦୁଇ ଦୁଇଟି ଚାକିରୀ କରିବା ଅଭିଯୋଗ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅଭିଯୋଗକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଓ ଅସନ୍ତୋଷ ଦେଖାଯାଉଛି ।ରାଷ୍ଟ୍ରୀୟ ବିକାଶ ସେନା, ଓଡିଶାର ଅଧ୍ୟକ୍ଷ କେ. ବାଲାରାଜୂ ଆଚାରୀ ମାଥିଲି ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ସମ୍ପର୍କୀୟ ତଥ୍ୟ ସାମ୍ନାକୁ ଆଣିଛନ୍ତି । ସେ ଜଣାଇଛନ୍ତି ଯେ, ଆର.ଟି.ଆଇ ମାଧ୍ୟମରେ ମିଳିଥିବା ସୂଚନା ଅନୁସାରେ, ଶିଶିର କୁମାର ବେହେରା ନାମକ ଜଣେ ବ୍ୟକ୍ତି 06/11/1999 ରୁ ଗୋବିନ୍ଦପାଲି ବିଜୁ ପଟନାୟକ କଲେଜରେ ଅଧ୍ୟାପକ ଭାବେ ଯୋଗଦେଇ ସେଠାରେ ସେବା କରୁଛନ୍ତି ।ତଥାପି, ସେଇ ବେହେରା 2005 ମସିହାରେ ପୁନର୍ବାର ମାଥିଲି ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି । ଏହି ସନ୍ଦେହ ସ୍ପଷ୍ଟ କରିବା ପାଇଁକେ ବାଲାରାଜୂ ଆଚାରୀ ସୂଚନା ଅଧିକାର ଆଇନ ମାଧ୍ୟମରେ ଦୁଇଟି କଲେଜରୁ ସୂଚନା ହାସଲ କରିଥିଲେ ।ମାଥିଲି କଲେଜ ପକ୍ଷରୁ ପ୍ରଥମେ ସୂଚନା ମିଳିଥିଲା ଯେ, ସେଠାରେ ଶିଶିର କୁମାର ବେହେରା ନାମକ କେହି ନାହାନ୍ତି । କିନ୍ତୁ ଭୁବନେଶ୍ୱର ସ୍ଥିତ +୨ କାଉନସିଲ ଅଫିସ୍ ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଶିଶିର ବେହେରା ୨୦୦୫ ମସିହା ପର୍ଯ୍ୟନ୍ତ ମାଥିଲି କଲେଜରେ ସ୍ଥାୟୀ ଅଧ୍ୟାପକ ଭାବେ ନିଯୁକ୍ତ ପାଇ ମାସିକ ତିନି ହଜାର ଟଙ୍କା ଦରମା ପାଉଥିଲେ । ବର୍ତ୍ତମାନ ସେ ଗୋବିନ୍ଦପାଲି ବିଜୁ ପଟନାୟକ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି ।ଏହି ଅଭିଯୋଗ ଉପରେ  କେ ବାଲାରାଜୂ ଆଚାରୀ କହିଛନ୍ତି ଯେ—“ଅଞ୍ଚଳର ଶିକ୍ଷିତ ଯୁବକ ଓ ଯୁବତୀ ଯେଉଁଠି ଚାକିରୀ ଖଣ୍ଡିଏ ପାଇବା ପାଇଁ ହତାଶ ହେଉଛନ୍ତି, ସେଠି ଜଣେ ବ୍ୟକ୍ତି ଦୁଇଟି ସ୍ଥାନରେ ସରକାରୀ ଚାକିରୀ କରୁଥିବା ଘଟଣା ଅନେକ ପ୍ରଶ୍ନ ଉତ୍ତୋଳନ କରୁଛି ।”ସେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଏହି ଅଭିଯୋଗର ଉଚିତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହି ଘଟଣା ଅଞ୍ଚଳରେ ଗରମ ଚର୍ଚ୍ଚାର ବିଷୟ ହୋଇପଡ଼ିଛି ଓ ଅନେକ ସଚେତନ ନାଗରିକ ପ୍ରଶାସନଙ୍କୁ ନିରପେକ୍ଷ ତଦନ୍ତ ପାଇଁ ଦାବୀ କରିଛନ୍ତି ।

ମାଥିଲି ରୁ ଶିବ ପ୍ରସାଦ ପରିଛା ବିଶେଷ ଖବର