ଧନ-ଧାନ୍ୟ କୃଷି ଯୋଜନା, ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ .
ଧନ-ଧାନ୍ୟ କୃଷି ଯୋଜନା, ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ .
ବରଗଡ଼:-୧୧.୧୦.୨୦୨୫ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଦେଶର ୧୦୦ଟି ଜିଲ୍ଲାରେ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମ ନିର୍ଭରତା ମିଶନର ଶୁଭାରମ୍ଭ କରାଯାଇଛି।ଏହି ଅବସରରେ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସବୁ ଯୋଜନା ଗୁଡ଼ିକ କୃଷିକ୍ଷେତ୍ରରେ କୃଷକମାନଙ୍କୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ।ଏଥିସହିତ ରାଜ୍ୟର କନ୍ଧମାଳ,ମାଲକାନ ଗିରି,ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲାରେ ମଧ୍ଯ ଆଜି ଠାରୁ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ ହେବା ସହ ସମ୍ୱଲପୁରର ବସନ୍ତପୁର ଠାରେ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଏବଂ ଭୁବନେଶ୍ୱରର ପାଣ୍ଡରା ଠାରେ ପ୍ରାୟ ୬୦ କୋଟି ଟଙ୍କାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ନେଇ ଖୁସି ବ୍ୟକ୍ତ କରିଛନ୍ତି।ଏହି ପରିପ୍ରେକ୍ଷୀ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ସ୍ଥିତ ସଭା ଗୃହ ରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ,ଧନ-ଧାନ୍ୟ କୃଷି ଯୋଜନା, ଡାଲି ଜାତୀୟ ଫସଲରେ ଆତ୍ମ ନିର୍ଭରତା ମିଶନ କୃଷିକ୍ଷେତ୍ରରେ କୃଷକମାନଙ୍କୁ ଆତ୍ମନିର୍ଭର କରିବା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏଵଂ ଏହି ଯୋଜନା ଦ୍ୱାରା ଚାଷୀମାନେ କେବଳ ଧାନ ଉପରେ ନିର୍ଭର ନ ହୋଇ ଡାଲି,ତୈଳବିଜ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଚାଷ କରି ଲାଭବାନ ହେବେ।ମୋଦୀଜୀଙ୍କ ସରକାର ୨୦୧୪ ମସିହାରୁ କୃଷକଙ୍କ ପାଇଁ ଏଭଳି ଅନେକ ଅଭୂତପୂର୍ବ କଲ୍ୟାଣ କାରୀ ଯୋଜନାଗୁଡିକ ପ୍ରଣୟନ କରିଆସୁଛନ୍ତି,ଯାହା ଫଳରେ ଆଜି କୃଷକ ସମାଜର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିଛି।ଗତ ୧୧ ବର୍ଷ ଭିତରେ ଆମ ଦେଶ ଅନେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ପାରିଛି।ଦେଶକୁ ପ୍ରମୁଖ ଖାଦ୍ଯ ଶସ୍ଯ,ତୈଳବୀଜ ଓ ଡାଲି ଜାତୀୟ ପଦାର୍ଥ ଦିଗରେ ଆତ୍ମ ନିର୍ଭର କରିବା ଆବଶ୍ୟକ।ଆଜି ବି ଆମ ଦେଶ ଡାଲି ଏବଂ ଖାଇବା ତେଲ ପାଇଁ ବିଦେଶ ଉପରେ ନିର୍ଭରଶୀଳ।ଆମକୁ ଏହି ନିର୍ଭରଶୀଳତାକୁ ହ୍ରାସ କରିବାକୁ ପଡିବ। ଆମ ସରକାର ୨୦୨୫-୨୬ ବଜେଟ ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ୩୭ ହଜାର ୮୩୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି।ସବୁଠାରୁ ବଡ ଯୋଜନା ହେଉଛି ସମୃଦ୍ଧ କୃଷକ ଯୋଜନା ଯାହା ଫଳରେ ଓଡିଶାର ଚାଷୀମାନେ ପ୍ରତି କୁଇଣ୍ଟାଲ ପିଛା MSP ଓ ଇନ୍ପୁଟ ସହାୟତା ମିଶି ୩୧୦୦ ଟଙ୍କା ପାଉଛନ୍ତି।ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ଦୂରଦୃଷ୍ଟିସମ୍ପନ୍ନ କୃଷକ କଲ୍ୟାଣ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ଧନ- ଧାନ୍ୟ କୃଷି ଯୋଜନା’(PMD DKY)ର ଶୁଭାରମ୍ଭ ଦ୍ୱାରା ଚାଷୀ ପରିବାର ସ୍ୱଚ୍ଛଳ ହେବେ ଏବଂ ସେମାନଙ୍କ ଆୟରେ ନିଶ୍ଚିତ ଭାବେ ବୃଦ୍ଧି ହେବ।ଏହି ଯୋଜନା ଦ୍ୱାରା ଚାଷୀଭାଇମାନେ କେବଳ ଧାନ ଉପରେ ନିର୍ଭର ନ ହୋଇ ଡାଲି, ତୈଳବିଜ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଚାଷ କରି ଫସଲର ବିବିଧକରଣ ( Crop Diversification )କରିବେ ଏବଂ ଅଧିକ ଅର୍ଥ ରୋଜଗାର କରିପାରିବେ ବୋଲି କହିଥିଲେ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲୋଚନ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସିଡ଼ିଭିଓ ବିରୁପାକ୍ଷ ନାୟକ,ଡ଼ିଆରସିଏସ ଯୁଗଳ କିଶୋର ଦାସ,ଅତିରିକ୍ତ କୃଷି ଉଦ୍ୟାନ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ଚାଷୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।



