*ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ*
ନୟାଗଡ଼ ୦୧।୧୦ ନୟାଗଡ଼ ସଦରରେ ଅବସ୍ଥିତ ପଂଚାୟତ ସମିତି କାର୍ଯ୍ୟାଳୟ, ସମ୍ମିଳନୀ କକ୍ଷରେ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଏକ ସଚେତନତା ସଭା ପୂର୍ବକ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ-୨୦୨୬ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳ ୦୭.୦୦ ଘଟିକା ସମୟରେ ଉକ୍ତ ସ୍ଥାନରେ ଏକ ଯୋଗ ଶିବିର ଆୟୋଜନ କରାଯାଇ ବୟସ୍କ ବ୍ୟକ୍ତିମାନଙ୍କୁ ଉତ୍ତମ ଶାରୀରିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସମ୍ୟକ ଧାରଣ ଦିଆଯାଇଥିଲା । ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତର ଏବଂ ବିଶେଷଜ୍ଞମାନଙ୍କ ଉପସ୍ଥିତିରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା ।
ଏହି ସଭା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସର୍ବେଶ୍ବର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ନିଜର ବକ୍ତବ୍ୟରେ ବୟସ୍କ ବ୍ୟକ୍ତିମାନଙ୍କୁ ସାମାଜିକ ମୂଲ୍ୟବୋଧ, ସରକାରଙ୍କ ଯୋଜନା ଓ ଶାରୀରିକ ସୁସ୍ଥତା ସମ୍ପର୍କରେ ସଚେତନ କରିଥିଲେ । ଏହି ସଭାରେ ମାନ୍ୟବର ବିଧାୟକ,ଖଣ୍ଡପଡା ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ବୟସ୍କ ବ୍ୟକ୍ତିମାନେ କିଭଳି ସେମାନଙ୍କର ସମ୍ମାନ ସହିତ ବଞ୍ଚିବା ସହ ନିଜେ ସୁସ୍ଥ ରହିବେ ସେ ବାବଦରେ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ମଧ୍ଯ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ । ସଭାରେ ପରମାନନ୍ଦ ଦଳେଇ, ଥାନା ଅଧିକାରୀଇଟାମାଟି ସାଇବର ସୁରକ୍ଷା ଓ ଶରତ କୁମାର ସାହୁ ପୂର୍ବତନ ବ୍ୟାଙ୍କ୍ ଅଧିକାରୀ (ସେବୀ ସ୍ମାର୍ଟ ) (ଆର୍ଥିକ ସ ଚେତନତ। )ବିଷୟରେ ବୟସ୍କ ବ୍ୟକ୍ତିମାନଙ୍କୁ ବୁଝାଇଥିଲେ । ଏଥି ସହିତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ପ୍ରଦୀପ୍ତ କୁମାର ସେନାପତି, ବିଭିନ୍ନ ବିଭାଗର ଅଧିକାରୀ, ଗଣ ମାଧ୍ୟମର ପ୍ରତିନିଧି ଏବଂ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ l ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକ ସଭା ସଂଚାଳନର ଦାୟିତ୍ଵ ତୁଲାଇ ଉପସ୍ଥିତ ସମସ୍ତ ସଦସ୍ୟ ଓ ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପନ କରିଥିଲେ । ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଓ ପଂଚାୟତ ସମିତିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ଆଶୋକ କୁମାର ସାଥୁଆ,ଜିଲ୍ଲା ପ୍ରତିନିଧି ନୟାଗଡ଼


admin 
