ମାଥିଲିରେ ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ

ନଭେମ୍ବର ୧ରେ ବିଶାଳ ପଦଯାତ୍ରା ପାଇଁ ରଣନୀତି ପ୍ରସ୍ତୁତ

ମାଥିଲିରେ ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ

ମାଥିଲି, ୨୩/୧୦ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆଗାମୀ ପଦଯାତ୍ରାକୁ ସଫଳ କରିବା ଲକ୍ଷ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ସଦାଶିବ ପୂଜାରୀଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ନଭେମ୍ବର ୧ ତାରିଖରେ ମାଥିଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଶାଳ ପଦଯାତ୍ରା ଆୟୋଜନ କରିବା ପାଇଁ ବିସ୍ତୃତ ଆଲୋଚନା ସହ ରଣନୀତି ପ୍ରସ୍ତୁତ କରାଯାଇଛି।

ବୈଠକରେ ବ୍ଲକ ସଭାପତି ଶ୍ରୀ ପୂଜାରୀ କହିଥିଲେ ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଏହି ପଦଯାତ୍ରା ଆୟୋଜନ କରାଯାଉଛି। ଗାଁ ଗାଁରେ ଜନସଚେତନତା ସୃଷ୍ଟି କରିବା ସହ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ଓ ବିଫଳତା ସମ୍ପର୍କରେ ଲୋକଙ୍କ ନିକଟରେ ଦଳର ମତାମତ ପହଞ୍ଚାଇବା ଏବଂ ମାଲକାନଗିରି ଜିଲ୍ଲାର ନ୍ୟାଯ୍ୟ ଦାବିକୁ ଅଧିକ ମଜଭୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଦଳର ପ୍ରତ୍ୟେକ କର୍ମୀ ଘରକୁ ଘର ଯାଇ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପହଞ୍ଚାଇବେ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଜୋନ୍‌-୧ ଜିଲ୍ଲା ପରିଷଦ ସଭ୍ୟା ତଥା ବିଜେଡିର ରାଜ୍ୟ ମହିଳା ଉପସଭାପତି ଓ ଆଦିବାସୀ ଏସ୍‌ସି ସେଲ୍‌ର ମହିଳା ସମ୍ପାଦିକା ଲକ୍ଷ୍ମୀପ୍ରିୟା ନାୟକ ମହିଳାମାନଙ୍କ ସକ୍ରିୟ ସହଭାଗିତା ଏହି ପଦଯାତ୍ରାକୁ ଅଧିକ ସଫଳ ଓ ସ୍ମରଣୀୟ କରିବ ବୋଲି କହିଥିଲେ।

ବୈଠକରେ ଜୋନ୍‌-୩ ଜିଲ୍ଲା ପରିଷଦ ସଭ୍ୟା ସୁସ୍ମିତା ମାଝୀ, ଜୋନ୍‌-୨ ଜିଲ୍ଲା ପରିଷଦ ସଭ୍ୟ ହିରଣ୍ୟ ମୁଦୁଲି, ମାଥିଲି ବ୍ଲକ ସରପଞ୍ଚ ସଂଘର ସଭାପତି କାନାମ ରାଜୁ ନାୟକ, ବ୍ଲକ ସାଧାରଣ ସମ୍ପାଦକ ଉମାକାନ୍ତ ମହାନ୍ତିଙ୍କ ସମେତ ବରିଷ୍ଠ ନେତା ରହିମ ଖାନ, ମାଧବ ନାଲି, ଗୋଲାପ ଜାଲାରୀ, ଶୁଭ ସୁଇଁ, ଶ୍ୟାମ ପୋଟ ନାୟକ ଓ ପ୍ରଶାନ୍ତ କୁମାର ସଗରିଆ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। ପଦଯାତ୍ରାକୁ ଶୃଙ୍ଖଳିତ ଓ ସଫଳ କରିବା ସହ ଅଧିକରୁ ଅଧିକ ଜନସାଧାରଣଙ୍କୁ ସାମିଲ କରିବା ନେଇ ସେମାନେ ବିଭିନ୍ନ ପରାମର୍ଶ ଦେଇଥିଲେ।

ବୈଠକର ଶେଷରେ ବ୍ଲକ ସଭାପତି ସଦାଶିବ ପୂଜାରୀ ମାଥିଲି ବ୍ଲକର ସମସ୍ତ ପଞ୍ଚାୟତର ଦଳୀୟ କର୍ମୀ ଓ ସମର୍ଥକମାନଙ୍କୁ ନଭେମ୍ବର ୧ ତାରିଖରେ ହେବାକୁ ଥିବା ପଦଯାତ୍ରାରେ ବିପୁଳ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ଆହ୍ୱାନ ଜଣାଇଥିଲେ।

(ମାଥିଲି ରୁ ପ୍ସେଶାଲ ରିପୋର୍ଟର ଶିବପ୍ରସାଦ ପରିଛା ବିଶେଷ ଖବର)