କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଉଦ୍ଘାଟିତ..
କେନ୍ଦ୍ରାପଡ଼ା, ୦୬ ନଭେମ୍ବର ୨୦୨୬: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇଚ୍ଛାପୁରସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି।
ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହାକାଳପଡ଼ା ବିଧାୟକଙ୍କ ପ୍ରତିନିଧି କ୍ଷୀରୋଦ କୁମାର କର ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିକଶିତ ଭାରତ ଗଠନରେ ନିଶାମୁକ୍ତ ଯୁବ ସମାଜର ଭୂମିକା, ସାମାଜିକ ଦାୟିତ୍ୱବୋଧ ଏବଂ ସକାରାତ୍ମକ ଚିନ୍ତାଧାରାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।
ମାର୍ଶାଘାଇ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ସୁକାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସମାଜ’ ବିଷୟବସ୍ତୁକୁ ଆଧାର କରି ଲୋକନୃତ୍ୟ, ଲୋକସଙ୍ଗୀତ, ପଥପ୍ରାନ୍ତ ନାଟକ, ଚିତ୍ରାଙ୍କନ ଓ କବିତା ଲିଖନ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାର ରାଜକନିକା, ରାଜନଗର, ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଡେରାବିଶ, ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର କଳା, ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ।
*କେନ୍ଦ୍ରପଡା ରୁ ପ୍ରମୋଦ କୁମାର ଜେନାଙ୍କ ରିପୋର୍ଟ, ବିଶେଷ ଖବର, କେନ୍ଦ୍ରାପଡ଼ା*


admin 
