ବଙ୍ଗଳୀଦେବୀଙ୍କ ଅପରାଜିତା ପୂଜା, ସିନ୍ଦୂର ଖେଳ ଚା ପଟ୍ଟାମୁଣ୍ଡାଇରେ ଶାରଦୀୟ ଦୁର୍ଗାପୂଜାର ମଣ୍ଡପରେ ବିଜୟା ଦଶମୀ, ଚା ପୋଖରିଆପଡ଼ାରେ ରାବଣପୋଡ଼ି
ପଟ୍ଟାମୁଣ୍ଡାଇ ୨୨/୧୦ -କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସହର ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୁର୍ଗାପୂଜା ପାଇଁ ସମଗ୍ର ଅଂଚଳ ଏବେ ଉତ୍ସବମୁଖର । ପଟ୍ଟାମୁଣ୍ଡାଇର ଦୁର୍ଗାପୂଜାର ନିଆରା ଆକର୍ଷଣ, ଭବ୍ୟ ତୋରଣ, ଆଲୋକମାଳା ଓ ଆଧ୍ୟାତ୍ମିକ ପରିବେଶ ସମଗ୍ର ଜିଲା ତଥା ଆଖପାଖ ଅଂଚଳର ଶ୍ରଦ୍ଧାଳୁଙ୍କୁ ପଟ୍ଟାମୁଣ୍ଡାଇ ମୁହାଁ କରିଛି। ବୁଧବାର ସମସ୍ତ ପୂଜା ମଣ୍ଡପଗୁଡ଼ିକରେ ବିଧି ପରମ୍ପରା ଅନୁଯାୟୀ ବିଜୟା ଦଶମୀ ପୂଜା ପାଳିତ ହୋଇଯାଇଛି। ଧରାପୃଷ୍ଠରୁ ମା’ ଜଗତଜନନୀ ଦୁର୍ଗା ବିଦାୟ ନେଉଥିବାରୁ ଏହି ପବିତ୍ର ଅବସରରେ ବିଭିନ୍ନ ପୂଜା ପେଣ୍ଡାଲରେ ମା’ଙ୍କ ଶେଷ ଦର୍ଶନ ଓ ବିଦାୟ ସମ୍ବର୍ଦ୍ଧନା ଚାଲିଛି।
ପଟ୍ଟାମୁଣ୍ଡାଇର ଐତିହାସିକ ବଙ୍ଗଳୀସାହି ପୂଜା ମଣ୍ଡପରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ବିଶେଷ ଆଡ଼ମ୍ବରର ସହ ପାରମ୍ପରିକ ଅପରାଜିତା ପୂଜା ସମ୍ପନ୍ନ ହେବା ପରେ ମହିଳାମାନଙ୍କ ଦ୍ୱାରା ସିନ୍ଦୂର ଖେଳ ଅନୁଷ୍ଠିତ ହୋଇଛି। ମା’ଙ୍କ ବିଦାୟ ପୂର୍ବରୁ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୂର, ଭୋଗ ଓ ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ ମଥାରେ ସିନ୍ଦୂର ଲଗାଇ ପାରିବାରିକ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହାପରେ ସମସ୍ତ ମହିଳା ପରସ୍ପରକୁ ସିନ୍ଦୂର ଲଗାଇ ଶୁଭେଚ୍ଛା ଜଣାଇବା ସହ ଏହି ସିନ୍ଦୂର ଖେଳ ପରମ୍ପରାକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରିଛନ୍ତି। ମା’ଙ୍କୁ ବିଦାୟ ଦେବା ମୁହୂର୍ତରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଢୋଲ, ବାଜା, ଶଙ୍ଖ ଧ୍ୱନି ଓ ଭକ୍ତିମୟ ଜୟକାର ମଧ୍ୟରେ ମା’ଙ୍କୁ ମେଲାଣି ଓ କନକଅଞ୍ଜୁଳି ଦେବା ପାଇଁ ବଙ୍ଗଳୀସାହିରେ ବ୍ୟାପକ ପ୍ରସ୍ତୁତି ଚାଲିଛି।
ଅପରପକ୍ଷରେ, ନୀଳକଣ୍ଠପୁର ପୂଜା ମଣ୍ଡପରେ ଏକ ଭିନ୍ନ ଓ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା। ନବମୀ ତିଥି ସନ୍ଧ୍ୟାରେ ଶହ ଶହ ମାନସିକଧାରୀ ଭକ୍ତ ନିର୍ଜଳା ବ୍ରତ ରଖି ମୁଣ୍ଡ ଉପରେ ଜଳନ୍ତା ନିଆଁ ପଲମ ରଖିଥିଲେ। ସେଥିରେ ଝୁଣା ଢାଳି ମା’ଙ୍କ ପାଦପଦ୍ମରେ ସମର୍ପଣ କରିବା ସହ ନିଜର ମାନସିକ ଜଣାଇଥିଲେ। ଦୁର୍ଗାପୂଜାର ନବମୀ ତିଥିରେ ମା’ଙ୍କ ଛାମୁରେ ଝୁଣା ପୋଡ଼ିଲେ ସାତ ଜନ୍ମର ପାପ କ୍ଷୟ ହେବା ସହ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଅଲୌକିକ ଓ ନିଆରା ପରମ୍ପରା ଦେଖିବା ପାଇଁ ନୀଳକଣ୍ଠପୁର ପୂଜାମଣ୍ଡପରେ ଭକ୍ତଙ୍କ ପ୍ରବଳ ଗହଳି ଜମିଥିଲା।
ବିଜୟାଦଶମୀ ପରିପ୍ରେକ୍ଷୀରେ, ପୋଖରିଆପଡ଼ା ଦୁର୍ଗା ପୂଜା ସମିତି ପକ୍ଷରୁ ବୁଧବାର ରାତିରେ ବିଧି ମୁତାବକ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିପାଇଁ ପୂଜା ପେଣ୍ଡାଲ ନିକଟରେ ବିଶାଳକାୟ ଦଶାନନ ରାବଣଙ୍କ ପୁତଳିକା ନିର୍ମାଣ କରାଯାଇଛି। ରାତି ୧୦ଟା ପରେ ବାଣ ରୋଷଣୀ ଓ ଚିତାକର୍ଷକ ଆତସବାଜି ମଧ୍ୟରେ ରାବଣପୋଡ଼ି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମଣ୍ଡପଗୁଡ଼ିକରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ, ତରଡ଼ିପାଳ, ଅମୃତମଣୋହି,ଚୌଦକୁଲାଟ ନୀଳକଣ୍ଠପୁର, ମାଳିପୁର, ବଡପଡା, ମଦନପୁର ଆଦି ବିଭିନ୍ନ ସ୍ଥାନରେ ଶାରଦୀୟ ଦୂର୍ଗା ପୂଜାର ମାହୋଲ ସମଗ୍ର ଅଂଚଳକୁ ଉତ୍ସବ ମୁଖର କରିଦେଇଛି ।
*କେନ୍ଦ୍ରପଡା ରୁ ପ୍ରମୋଦ କୁମାର ଜେନାଙ୍କ ରିପୋର୍ଟ, ବିଶେଷ ଖବର, କେନ୍ଦ୍ରାପଡ଼ା*


admin 
