ଜରାଜୀର୍ଣ୍ଣ ବିଦ୍ୟାଳୟକୁ ନେଇ ବିକ୍ଷୋଭ ସହ ବିଦ୍ୟାଳୟରେ ତାଲା ପକାଇଲେ ଅଭଭାବକ , ନବୀକରଣ ପ୍ରତିଶ୍ରୁତି ଦେଲେ ବ୍ଲକ ଶିକ୍ଷା ଅଧିକାରୀ
ମାଥିଲି ମାଲକାନଗିରି ଜିଲ୍ଲା ସଦରସ୍ଥିତ ଚିଦାନନ୍ଦ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶୋଚନୀୟ ଅବସ୍ଥାକୁ ନେଇ ଅଭିଭାବକ, ସ୍ଥାନୀୟ ବାସିନ୍ଦା ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ଜରାଜୀର୍ଣ୍ଣ କୋଠା ମରାମତି ଓ ନବୀକରଣ ଦାବିରେ ଶନିବାର ବିଦ୍ୟାଳୟରେ ତାଲା ପକାଇ ଅଭିଭାବକମାନେ ବିକ୍ଷୋଭ କରିଥିଲେ। ସକାଳୁ ବିଦ୍ୟାଳୟ ଖୋଲିବା ପରେ ଅଭିଭାବକମାନେ ତାଲା ପକାଇ ଦେବାରୁ ବିଦ୍ୟାର୍ଥୀମାନେ ବିଦ୍ୟାଳୟ ବାହାରେ ବସିଥିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବାହାରେ ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର କୋଠାଗୁଡ଼ିକ ବହୁ ପୁରୁଣା ହୋଇପଡ଼ିଥିବା ବେଳେ ଛାତରେ ଫାଟ ସୃଷ୍ଟି ହୋଇଛି। ବର୍ଷା ହେଲେ ଛାତରୁ ବିଦ୍ୟାଳୟ କୋଠରୀ ଭିତରକୁ ପାଣି ଝରୁଛି। ଫଳରେ ଛାତ ଦୁର୍ବଳ ହୋଇପଡ଼ିଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବା ଆଶଙ୍କା ରହିଛି। ଏଭଳି ବିପଦସଙ୍କୁଳ ପରିସ୍ଥିତିରେ ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇବା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଭାବକମାନେ କହିଛନ୍ତି।
ଖବର ପାଇ ମାଲକାନଗିରି ବ୍ଲକ ଶିକ୍ଷା ଅଧିକାରୀ ଗୌରାଙ୍ଗ ସଜ୍ଜନ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟାଳୟର ସ୍ଥିତି ସମୀକ୍ଷା କରିଥିଲେ। ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ସେ ଯୁକ୍ତିଯୁକ୍ତ ବୋଲି କହିବା ସହ ଖୁବ୍ଶୀଘ୍ର ବିଦ୍ୟାଳୟ ନବୀକରଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସେହିପରି ବିଦ୍ୟାଳୟର ନବୀକରଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କୁ ନିକଟସ୍ଥ ଅନ୍ୟ ଏକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇ ପାଠପଢ଼ା ଜାରି ରଖାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଶିକ୍ଷାଦାନରେ ଯେପରି କୌଣସି ବାଧା ନଉପୁଜେ, ସେଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ପ୍ରତିଶ୍ରୁତି ପରେ ତାଲା ଖୋଲିବା ସହ ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥା ଦୀର୍ଘଦିନ ଧରି ରହିଥିବାରୁ ତୁରନ୍ତ ନବୀକରଣ କାର୍ଯ୍ୟ ଆରମ୍ଭ କରି ବିଦ୍ୟାର୍ଥୀଙ୍କ ସୁରକ୍ଷିତ ଶିକ୍ଷାଦାନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।
(ମାଥିଲି ରୁ ଶିବପ୍ରସାଦ ପରିଛା ପ୍ପେଶାଲ ରିପଟର ବିଶେଷ ଖବର )


admin 
