ମହାମହିମ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ: ବ୍ରହ୍ମପୁର ଯାତ୍ରା ପାଇଁ ସ୍ୱତନ୍ତ୍ର ରେଳ ସୁରକ୍ଷା ବ୍ୟବସ୍ଥା, ଅନେକ ଟ୍ରେନ ବିଳମ୍ବିତ ହେବାର ସମ୍ଭାବନା।
ଭୁବନେଶ୍ୱର, ୦୨। ୦୮(ଗୌତମ ମିଶ୍ର ):-ମହାମହିମ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟରେ ବ୍ୟାପକ ସୁରକ୍ଷା ଓ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି। ଆସନ୍ତା ୩ ତାରିଖରୁ ଆରମ୍ଭ ହେଉଥିବା ଏହି ଗସ୍ତରେ ସେ ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।
ବ୍ରହ୍ମପୁର ଗସ୍ତ ଅବସରରେ ମହାମହିମ ସ୍ୱତନ୍ତ୍ର ରେଳଗାଡ଼ିରେ ଯାତ୍ରା କରିବେ। ସୁରକ୍ଷା ବ୍ୟବସ୍ଥାର ଅଂଶ ଭାବେ ରାଷ୍ଟ୍ରପତିଙ୍କ ଟ୍ରେନର ଆଗରେ ଓ ପଛରେ ଗୋଟିଏ ଲେଖାଏଁ ପାଇଲଟ୍ ଟ୍ରେନ ଚଳାଚଳ କରିବ। ରାଷ୍ଟ୍ରପତିଙ୍କ ବିଶେଷ ଟ୍ରେନରେ କେବଳ ତାଙ୍କ ସୁରକ୍ଷାକର୍ମୀ ଓ ଅନୁମୋଦିତ ଅଧିକାରୀମାନେ ଯାତ୍ରା କରିବେ।
ଏହି ସମୟରେ ସମ୍ପୃକ୍ତ ରେଳପଥରେ ଅନ୍ୟ କୌଣସି ଟ୍ରେନ ଚଳାଚଳ କରିବ ନାହିଁ। ଫଳରେ ଚେନ୍ନାଇ–କୋଲକାତା ମୁଖ୍ୟ ରେଳପଥରେ ଚଳାଚଳ କରୁଥିବା ଅନେକ ଯାତ୍ରୀବାହୀ ଓ ଅନ୍ୟାନ୍ୟ ଟ୍ରେନ ବିଳମ୍ବିତ ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ରେଳ ପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କୁ ଟ୍ରେନର ସର୍ବଶେଷ ସ୍ଥିତି ସମ୍ପର୍କରେ ପୂର୍ବରୁ ସୂଚନା ନେଇ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।


admin 
