ଗଛଲତା ସଫା କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ
ମାଥିଲି, ୧୧/୦୯: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କତାପାଲି ଗ୍ରାମରେ ଶୁକ୍ରବାର ବିଦ୍ୟୁତ୍ ଆଘାତରେ ଜଣେ ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସଦର ଗ୍ରାମର ସାଧୁ ଭୂମିଆ।
ସୂଚନା ଅନୁଯାୟୀ, ସାଧୁ ନିଜ ଘର ପଛପଟେ ନିତିଦିନିଆ କାମ କରୁଥିବା ସମୟରେ ନିକଟସ୍ଥ ବିଦ୍ୟୁତ୍ ଖୁଣ୍ଟିରେ ଘଞ୍ଚ ଜଙ୍ଗଲି ଲତା ଓ ଗଛଲତା ମାଡ଼ି ରହିଥିବା ଦେଖିଥିଲେ। ଏହାକୁ ସଫା କରିବା ପାଇଁ ସେ ଗଛଲତା କାଟୁଥିବା ବେଳେ ଲତା ଭିତରେ ଲୁଚି ରହିଥିବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ।
ଫଳରେ ତାଙ୍କୁ ଜୋରଦାର ବିଦ୍ୟୁତ୍ ଆଘାତ ଲାଗିବା ସହ ସେ ଘଟଣାସ୍ଥଳରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସାଧୁଙ୍କ ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ସାଧୁଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଆଲୋଚନା ପରେ ମାଥିଲି ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନ ଘଟଣାକୁ ଗୁରୁତ୍ୱର ସହ ନେଇ ଏକ ପୁଲିସ ଟିମ୍କୁ ଚିକିତ୍ସାଳୟକୁ ପଠାଇଥିଲେ। ପୁଲିସ ମୃତଦେହ ଜବତ କରିବା ସହ ଏକ ଅସ୍ୱାଭାବିକ ମୃତ୍ୟୁ (ୟୁଡି) ମାମଲା ରୁଜୁ କରିଛି।
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ, ଗଛଲତା ଭିତରେ ବିଦ୍ୟୁତ୍ ତାର ଲୁଚି ରହିଥିବା ଯୋଗୁଁ ଏଭଳି ଅଘଟଣ ଘଟିଥିବାରୁ ବିଦ୍ୟୁତ୍ ଖୁଣ୍ଟି ଓ ତାର ନିକଟରେ ଗଛଲତା ସଫା କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ସାଧାରଣରେ ଦାବି ହୋଇଛି
(ମାଥିଲି ରୁ
ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
