ସାମ୍ବାଦିକମାନଙ୍କ ବିଭିନ୍ନ ଦାବିକୁ ନେଇ ଓଡ଼ିଶାରେ ରାଜ୍ୟସ୍ତରୀୟ ଆନ୍ଦୋଳନ
ପେନ୍ସନ ଓ ସୁରକ୍ଷା ଆଇନ ଲାଗୁ କରିବା ଦାବିରେ ସାମ୍ବାଦିକ-ଆନ୍ଦୋଳନ : *ରାଜ୍ୟବ୍ୟାପୀ ଆନ୍ଦୋଳନରେ ବୌଦ୍ଧ ଜିଲ୍ଲା ସାମିଲ*
ବୌଦ୍ଧ:୨୯/୪ ଗଣତନ୍ତ୍ରରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ଭାବେ ମନାଯାଏ, ଯେଉଁଠାରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଅନ୍ୟ ତିନିଟି ସ୍ତମ୍ଭ ଅଟନ୍ତି। ଏହି ସବୁ ମିଶି ଗଣତନ୍ତ୍ରର ସ୍ଥିରତାକୁ ନିଶ୍ଚିତ କରେ। କିନ୍ତୁ ଦୁଃଖଦ ଯେ, ନୂତନ ସରକାର ଦୁଇ ବର୍ଷ ପୂରଣ କରିଥିଲେ ମଧ୍ୟ ସାମ୍ବାଦିକମାନଙ୍କ ସମସ୍ୟା ଅବହେଳିତ ହୋଇ ରହିଛି। ଭାରତର ଅନ୍ୟାନ୍ୟ ରାଜ୍ୟରେ ସାମ୍ବାଦିକମାନେ ବିଭିନ୍ନ ସୁବିଧା ପାଉଥିବା ବେଳେ ଓଡ଼ିଶାରେ ସେମାନେ ବଞ୍ଚିତ ହେଉଛନ୍ତି।ପୂର୍ବତନ ସରକାର ସମୟରେ ଉଠିଥିବା ଦାବିଗୁଡ଼ିକୁ ବର୍ତ୍ତମାନ ସରକାର ବିପକ୍ଷରେ ଥିବାବେଳେ ସମର୍ଥନ କରିଥିଲେ, କିନ୍ତୁ ଶାସନରେ ଆସିବା ପରେ ଏହା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ତିନିମାସ ଅନ୍ତରରେ ଦାବି ଜଣାଇଲେ ମଧ୍ୟ ଆଜିପର୍ଯ୍ୟନ୍ତ ସରକାର ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ।
ରାଜ୍ୟର ପ୍ରାଚୀନତମ ସଂଗଠନ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଦାବିପତ୍ର ଦିଆଯାଇଛି।ସରକାରଙ୍କ ଅଣଦେଖା ପ୍ରତି ଅସନ୍ତୋଷ ପ୍ରକାଶ କରି ବୌଦ୍ଧ ଜିଲ୍ଲା ମଧ୍ୟ ଏହି ରାଜ୍ୟବ୍ୟାପୀ ଆନ୍ଦୋଳନରେ ସାମିଲ ହୋଇଛି।
ବୌଦ୍ଧ ଜିଲ୍ଲାରେ ସାମ୍ବାଦିକମାନେ ପଦଯାତ୍ରା କରି ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚିଥିଲେ। ସେଠାରେ ସଭାପତି ଦେବାଶିଷ ପୁରୋହିତ ଦାବିପତ୍ର ପାଠ କରିଥିଲେ ଏବଂ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏହାକୁ ଗ୍ରହଣ କରି ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇବେ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଶଶାଙ୍କ ଶେଖର ମିଶ୍ର ସହ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ରାଉତ,ପ୍ରମୋଦ କୁମାର ବାଘ, ସମ୍ପତ୍ତ ଅଗ୍ରୱାଲା,ବନମାଳୀ ପ୍ରଧାନ,ଜ୍ଞାନ ନାରାୟଣ ରଥ,ଧବଳେଶ୍ବର ମହାପାତ୍ର, ରବିନ୍ଦ୍ର ପଟ୍ଟନାୟକ, ସଜ୍ଜନ ଅଗ୍ରୱାଲ,ଶ୍ରୀକାନ୍ତ ସାହୁ,ପ୍ରିୟବ୍ରତ ସାହୁ,ରାଜେଶ ଠେଲା,ପ୍ରଭଞ୍ଜନ ପୁରୋହିତ,ମୁକେଶ ପାଢ଼ୀ, ପ୍ରତାପ ମହାପାତ୍ର,ଜୟ।ନନ୍ଦ ମିଶ୍ର, ଜିତେନ୍ଦ୍ର ପ୍ରଧାନ,ମହେଶ ଶତପଥି ଓ ମହେଶ ଅଗ୍ରୱାଲ, ଉପସ୍ଥିତ ଥିଲେ । ଆସନ୍ତା ମେ ୧ ତାରିଖରେ ସମସ୍ତ ସାମ୍ବାଦିକ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ବୋଲି ସୂଚନା ମିଳିଛି। ଯଦି ସରକାର ସମସ୍ୟାଗୁଡ଼ିକୁ ଗୁରୁତ୍ୱ ନଦେଇ, ତେବେ ଭବିଷ୍ୟତରେ ଭୁବନେଶ୍ୱରରେ ବଡ଼ ସାମ୍ବାଦିକ ସମାବେଶ ଆୟୋଜିତ ହେବ ବୋଲି ଚେତାବନୀ ଦିଆଯାଇଛି।


admin 
