କାର୍ଯ୍ୟକ୍ରମ ସରିବା ପରେ ଗଣମାଧ୍ୟମକୁ ସୂଚନା !

ନୟାଗଡ଼: ପ୍ରଶାସନର ଜନସମ୍ପର୍କ ବ୍ୟବସ୍ଥାକୁ ନେଇ ପ୍ରଶ୍ନ

କାର୍ଯ୍ୟକ୍ରମ ସରିବା ପରେ ଗଣମାଧ୍ୟମକୁ ସୂଚନା !

ନୟାଗଡ଼ ୨୭ ।୧୦ ଜିଲ୍ଲାରେ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ସମୟୋଚିତ ସୂଚନା ପ୍ରଦାନକୁ ନେଇ ପ୍ରଶ୍ନ ଉଠିଛି। ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପୂର୍ବରୁ ଗଣମାଧ୍ୟମ କୁ ସୂଚନା ଦିଆଯାଉନଥିବା ବେଳେ କାର୍ଯ୍ୟକ୍ରମ ଶେଷ ହେବା ପରେ ଗଣମାଧ୍ୟମ ଗ୍ରୁପ୍‌ରେ ଖବର ପଠାଯାଉଥିବା ଦେଖିବାକୁ ମିଳୁଛି।

ମଙ୍ଗଳବାର, ଅକ୍ଟୋବର ୨୭ ତାରିଖରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ୍ କକ୍ଷରେ ଜିଲ୍ଲାସ୍ତରୀୟ ଶପଥ ପାଠ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। କିନ୍ତୁ କାର୍ଯ୍ୟକ୍ରମ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯାଇନଥିବା ବେଳେ ଅଧିକାଂଶ କାର୍ଯ୍ୟକ୍ରମ ସରିବା ପରେ ଗ୍ରୁପ୍‌ରେ ଖବର ପଠାଯାଇଥିବା ତରିକା କୁ ଅଭିଯୋଗ ରହିଛି।

ଦୁର୍ନୀତି ନିବାରଣ ଓ ପ୍ରଶାସନିକ ସ୍ୱଚ୍ଛତା ଭଳି ଜନସ୍ୱାର୍ଥ ସମ୍ପର୍କିତ ବିଷୟରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଭଳି ସମୟରେ କାର୍ଯ୍ୟକ୍ରମ ପୂର୍ବରୁ ସୂଚନା ନଦେଇ କେବଳ କାର୍ଯ୍ୟକ୍ରମ ପରେ ଖବର ପଠାଇବା ଦ୍ୱାରା ସାମ୍ବାଦିକମାନେ ସ୍ଥଳସ୍ତରରେ ଉପସ୍ଥିତ ରହି ଖବର ସଂଗ୍ରହ କରିବା, ଅଧିକାରୀଙ୍କ ସହ ଆଲୋଚନା କରିବା ଏବଂ ଘଟଣାର ବିଭିନ୍ନ ଦିଗକୁ ଜନସାଧାରଣଙ୍କ ସମ୍ମୁଖକୁ ଆଣିବାର ସୁଯୋଗ ହରାଇପାରନ୍ତି।

ଏଠାରେ ପ୍ରଶ୍ନ ଉଠୁଛି, ସରକାରୀ କାର୍ଯ୍ୟକ୍ରମର ସୂଚନା ସମୟ ପୂର୍ବରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ କାହିଁକି ଦିଆଯାଉନାହିଁ? କାର୍ଯ୍ୟକ୍ରମ ସରିବା ପରେ କେବଳ ଖବର ପଠାଇଦେବା କ’ଣ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରିବାର ଉପଯୁକ୍ତ ପଦ୍ଧତି? ଏହା ଯୋଗାଯୋଗରେ ଅବହେଳା ନା ପ୍ରଶାସନର ଜନସମ୍ପର୍କ ବ୍ୟବସ୍ଥାରେ ସୁଧାର ଆବଶ୍ୟକତା ରହିଛି?

ତେବେ, ପ୍ରତ୍ୟେକ ସରକାରୀ ବୈଠକରେ ସାମ୍ବାଦିକଙ୍କ ଉପସ୍ଥିତି ବାଧ୍ୟତାମୂଳକ ନୁହେଁ। କିନ୍ତୁ ଜନସ୍ୱାର୍ଥ ସମ୍ପର୍କିତ ଖୋଲା କାର୍ଯ୍ୟକ୍ରମଗୁଡ଼ିକର ସୂଚନା ସମୟୋଚିତ ଭାବେ ପ୍ରଦାନ କରିବା ଦ୍ୱାରା ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇପାରିବ। ଏହି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଆନ୍ତରିକତା ମନୋଭାବ ସଚେତନତା ଆଶା କରାଯାଉଛି।

ଆଶୋକ କୁମାର ସାଥୁଆ ‌,ଜିଲ୍ଲା ପ୍ରତିନିଧି ନୟାଗଡ଼