ଜିଲ୍ଲା ଜଳ ଓ ପରିମଳ ମିଶନର କାର୍ଯ୍ୟନିର୍ବାହୀ କମିଟି ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ।
ଜିଲ୍ଲା ଜଳ ଓ ପରିମଳ ମିଶନର କାର୍ଯ୍ୟନିର୍ବାହୀ କମିଟି ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ।
ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ଜଳ ଓ ପରିମଳ ମିଶନର କାର୍ଯ୍ୟନିର୍ବାହୀ କମିଟି ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବାରିପଦା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଜ୍ଞାନେନ୍ଦ୍ର କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ।
ଉକ୍ତ ବୈଠକରେ ମେଗା, ଏକକ ଓ ବହୁ ଗ୍ରାମ ଜଳ ଯୋଗାଣ ଯୋଜନାର ସୁଗମ କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ପରିବାର, ଜନ ସମାଗମ ହେଉଥିବା ବିଭିନ୍ନ ସାଧାରଣ ସ୍ଥାନ ତଥା ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ ପାଇପ ଯୋଗେ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାନେଇ ତୃଣମୂଳ ସ୍ତରରେ କି କି ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ କିଭଳି ସ୍ୱଚ୍ଛ ପାନୀୟ ଜଳ ପାଇପ ଯୋଗେ ଉପଲବ୍ଧ ହେବା ସହିତ ସମସ୍ତ ବିଦ୍ୟାଳୟର ହଷ୍ଟେଲ ମାନଙ୍କରେ ଏହି ସୁବିଧା ଯୋଗାଇ ଦେବାକୁ ବିହିତ ପଦକ୍ଷେପ ନେବାପାଇଁ ଜିଲ୍ଲା ଜଳ ଯୋଗାଣ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହଯୋଗରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ପରାମର୍ଶ
ଦେଇଥିଲେ। ସରକାରଙ୍କ ହର ଘର ଜଳ ଯୋଜନା ଅନୁସାରେ ପ୍ରତ୍ୟେକ ଘରକୁ ଏବଂ ସମସ୍ତ ଆବଶ୍ୟକୀୟ ସ୍ଥାନକୁ ପର୍ଯ୍ୟାପ୍ତ ପରିମାଣରେ ଜଳ ଯୋଗାଣ କିଭଳି ହୋଇ ପାରିବ ସେ
ବିଷୟରେ ଧ୍ୟାନ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସମ୍ବେଦନଶୀଳ ଜନଜାତି ବର୍ଗ ବାସ କରୁଥିବା ସମସ୍ତ ଅଂଚଳକୁ ପିଏମଜନମନ ଯୋଜନାରେ ମୌଳିକ ଆବଶ୍ୟକତା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ୩ବର୍ଷରୁ ଅଧିକ ଦିନ ଧରି ଚାଲିଆସୁଥିବା ମେଗା ବହୁଗ୍ରାମ ଜଳ ଯୋଗାଣ ପ୍ରକଳ୍ପ ଓ ୨ ବର୍ଷରୁ ଅଧିକ ଦିନ ଧରି ଚାଲି ଆସୁଥିବା ଏକକ ଗ୍ରାମ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଥିବା ବିଭିନ୍ନ ଠିକା ସଂସ୍ଥାକୁ ଅଧିକ ମାନବ ଶକ୍ତି ନିୟୋଜିତ କରି ତରାନ୍ୱିତ ପ୍ରକ୍ରିୟାରେ ଧାର୍ଯ୍ୟ ସମୟରେ ଏସବୁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏବଂ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଓ ଟେଗ ଫୋଟୋ ମାଧ୍ୟମରେ ନିୟମିତ ବ୍ୟବଧାନରେ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ ବ୍ୟତୀତ ପାନୀୟ ଜଳ ଯୋଗାଣ ଆବଶ୍ୟକତାକୁ ନେଇ ଯଦି ଅଂଚଳର ଲୋକ ମାନଙ୍କ ପାଖରୁ ଆବେଦନ ଆସୁଛି ତେବେ ଉକ୍ତ ପ୍ରସ୍ତାବ ଗୁଡିକ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଇବା ପାଇଁ ଜିଲ୍ଲାପାଳ ବାରିପଦା ଜଳ ଯୋଗାଣ ଓ ପରିମଳ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା,ବାରିପଦା ଏ ସି ଏଫ., ଶେଖ ମେହେରବାନ ଅଲ୍ଲୀ, ରାଇରଙ୍ଗପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀକାନ୍ତ ରାଉତ, ଉଦଳା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ଲୁଗୁନ ଯୋଗ ଦେଇଥିବା ବେଳେ ସମସ୍ତ ବ୍ଲକର ଲାଇନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା କରିବା ସହିତ ଜିଲ୍ଲାରେ ମେଗା ପାଇପ ଜଳ ଯୋଗାଣକୁ କିପରି ତ୍ୱରାନ୍ୱିତ କରିବାକୁ ହେବ ଏବଂ ସମସ୍ତ ଜଳ ଯୋଗାଣ ସ୍ଥାନ ମାନଙ୍କରେ ଭୂମି ସିମାଙ୍କନ ଆଦି କାର୍ଯ୍ୟ କିପରି ସଠିକ ଭାବରେ କାର୍ଯ୍ୟକାରୀ ହେବ ସେ ବିଷୟରେ ଆଲୋଚନା କରିଥିଲେ।
ଉକ୍ତ ବୈଠକରେ, ବିଜୁଳି, ବନ, ପୂର୍ତ୍ତ, ଶିକ୍ଷା, ଗୃହ ନିର୍ମାଣ, ରାଜସ୍ୱ, ଜାତୀୟ ରାଜପଥ ନିର୍ମାଣ, ଆଦି ବିଭାଗ ସମ୍ବଳିତ ଜଳ ଯୋଗାଣ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ତୁରନ୍ତ ନିର୍ଯ୍ୟାସ ପାଇଁ ଏହି କାର୍ଯ୍ୟକାରୀ ବୈଠକରେ ନିଜ ନିଜ ମତ ପୋଷଣ କରିଥିଲେ। ଏହି ବୈଠକକୁ ବାରିପଦା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜ୍ଞାନେନ୍ଦ୍ର ନାୟକ ସଂଚାଳନ କରିଥିବାବେଳେ ବିଭିନ୍ନ ବ୍ଲକର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଠିକା ସଂସ୍ଥାର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।



