ଜିଲ୍ଳା ଚିକିତ୍ସାଳୟ ରେ ଅଧା ଚିକିତ୍ସିତ ହୋଇ ଗ୍ରାମକୁ ଫେରିଲା ମଦନ ।

ଜିଲ୍ଳା ଚିକିତ୍ସାଳୟ ରେ ଅଧା ଚିକିତ୍ସିତ ହୋଇ ଗ୍ରାମକୁ ଫେରିଲା ମଦନ ।

ଜିଲ୍ଳା ଚିକିତ୍ସାଳୟ ରେ ଅଧା ଚିକିତ୍ସିତ ହୋଇ ଗ୍ରାମକୁ ଫେରିଲା ମଦନ ।


ମାଲକାନଗିରି, ତା ୨୮/୧୧  ଜିଲ୍ଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ଅଧା ଚିକିତ୍ସା କରି ଜଣେ ହାଡଭଙ୍ଗା ରୋଗୀକୁ ଘରକୁ ବିଦା କରି ଦେଇଛନ୍ତି ଜିଲ୍ଲା ହସ୍ପିଟାଲ ର ଡାକ୍ତର। ଅର୍ଥାଭାବରୁ ପରଘର ବାରଣ୍ଡାରେ ପଡିରହିଛନ୍ତି ସିନ୍ଧିମାଳ ପଞ୍ଚାୟତ ସତୀଗୁଡା ନିକଟ ତଲଗୁଡା ଗାଁର ମଦନ ପେଣ୍ଟିଆ(୪୨) । ନିଜ ଲୋକ କେହି ନଥିବାରୁ ତାଙ୍କୁ କୋରାପୁଟ କିମ୍ବା ଅନ୍ୟ ଡାକ୍ତରଖାନାକୁ ରେଫର ନକରି କେବଳ ଆଣ୍ଠୁରେ ବ୍ୟାଣ୍ଡେଜ କରି ଘରକୁ ବିଦା କରି ଦିଆଯାଇଛି। ମଦନଙ୍କ ଯନ୍ତ୍ରଣା ଓ ଦୁଃଖ ଦେଖି ଗାଁର ଜଗନ୍ନାଥ ଭୂମିଆ ତାଙ୍କ ଘରେ ରଖି ଖାଇବା ବ୍ୟବସ୍ଥା କରିଛନ୍ତି। ଜିଲ୍ଲା ମେଡିକାଲର ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସୀ ନାପସନ୍ଦ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମଦନଙ୍କ ଚିକିତ୍ସା ସମ୍ପୂର୍ଣ କରା ନଯାଇ ଫେରାଇ ଦିଅଯାଇଛି। ମଦନ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଅତ୍ୟନ୍ତ ଗରିବ ଶ୍ରେଣୀର। ପରିବାରରେ କେହି ନାହାନ୍ତି। ପରଘରେ ମୂଲ ଲାଗି ପୋଟ ପୋଷୁଛନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନଥିବାରୁ ସାହି ଲୋକଙ୍କ ବାରଣ୍ଡାରେ ବିଶ୍ରାମ ନେଉଛନ୍ତି। କିଛିଦିନ ପୂର୍ବେ କୁଲି କାମ କରିବାକୁ ଯାଉଥିବା ବେଳେ ଝୁଣ୍ଟି ପଡ଼ି ଆଣ୍ଠୁରେ ଆଘାତ ଲାଗିଥିଲା। ତାଙ୍କ ଯନ୍ତ୍ରଣା ଦେଖି ବସ୍ତିର ଯୁବକମାନେ ଗତ ୫ ତାରିଖରେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ହସ୍ପିଟାଲ କୁ ଆଣି ଭର୍ତ୍ତି କରାଇଥିଲେ। ଅସ୍ଥିଶଲ୍ୟ ବିଶେଶଜ୍ଞ ନଥିବାରୁ ଡାକ୍ତରଖାନାରେ ମଧ୍ୟ ତାଙ୍କୁ କେହି ଗୁରୁତ୍ୱ ଦେଇ ନଥିଲେ। ଆଣ୍ଠୁର ଚକି ଖସିଯଇଛି, ଅପରେସନ ଆବଶ୍ୟକ କହି ଡାକ୍ତର ତାଙ୍କୁ ଘରକୁ ଫେରି ଜିବାକୁ କହି ଦେଇଥିଲେ। ଖଟିଲେ ଖାଇବା ଲୋକ କେଉଁଠୁ ଟଙ୍କା ପାଇବେ ଯେ ଅପରେସନ କରିବେ ଭାବି ମଦନ କର୍ମକୁ ଆଦରି ବହୁକଷ୍ଟରେ ଗାଁକୁ ଫେରିଥିଲେ। ଚେରମୂଳ ଔଷଧ ଲଗାଇ ଜଣଙ୍କ ବାରଣ୍ଡାରେ ଏବେ ପର୍ଯ୍ୟନ୍ତ ପଡିରହିଛନ୍ତି। ତାଙ୍କ ଯନ୍ତ୍ରଣା ଦେଖି ଗାଁର ଜଗନ୍ନାଥ ଭୂମିଆ ଖାଇବା ବ୍ୟବସ୍ଥା କରିଛନ୍ତି। ଏସମ୍ପର୍କରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ବ୍ରଜବନ୍ଧୁ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି, ଅର୍ଥୋପେଡିକ ଡାକ୍ତର ନଥିବାରୁ ଅପରେସନ କରିବା ସମ୍ଭବପର ନୁହେଁ। ତାଙ୍କୁ କୋରାପୁଟ ହସ୍ପିଟାଲ କୁ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା କରାଯାଉଥିଲା। ତାଙ୍କୁ କିଏ କାହିଁକି ଡ଼ିସଚାର୍ଜ କରିଦେଲା ତଦନ୍ତ କରା‌ଯିବ ଏବଂ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ବିଭାଗ ପକ୍ଷରୁ ବ୍ୟବସ୍ଥା କରା‌ଯିବ ବୋଲି ଡାକ୍ତର ଦାଶ କହିଛନ୍ତି। ପ୍ରକାଶ ଥାଉକି, ସତୀଗୁଡ ଡ୍ୟାମ ତଳ ତାଳଗୁଡା ରେ ମଦନଙ୍କ କୁଡିଆ ଥିଲା। ସେଠାରେ ସେ ଓ ତାଙ୍କ ସ୍ତ୍ରୀ ବୁଦ୍ରି ହସଖୁସିରେ କୁଲି ମଜୁରି କରି ରହୁଥିଲେ ୧୫ ବର୍ଷ ତଳେ ବେମାରରେ ପଡି ବୁଦ୍ରିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପୁଅଝିଅ କେହି ନଥିଲେ। ସ୍ତ୍ରୀଙ୍କ ମୃତ୍ୟୁପରେ ମଦନ ଭାଙ୍ଗି ପଡିଥିଲେ। ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ୨୦୨୦ରେ କରୋନା ଆସିବା ପରେ କାମ ଛାଡିବାକୁ ପଡିଥିଲା। କୋଭିଡ ସମୟରେ ହାଇଦ୍ରାବାଦରୁ ଚାଲିଚାଲି ଗାଁରେ ପହଞ୍ଚିଥିଲେ।  ସେତେବେଳକୁ ତାଙ୍କ କୁଡ଼ିଆଟି ମାଟିରେ ମିଶି ଯାଇଥିଲା। । ଆଧାରକାର୍ଡ ନଥିବାରୁ ଚାଉଳ ମିଳୁନାହିଁ। ସେ ସରକାରୀ ବାବୁମାନଙ୍କ ନିକଟରେ ଗୁହାରି କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରି ନଥିଲେ। ସେହିଦିନଠାରୁ ପରଘରେ ମଜୁରି କରି ପେଟ ପୋଷୁଛନ୍ତି। ରାତିରେ ବସ୍ତିର ଲୋକଙ୍କ ବାରଣ୍ଡାରେ ବିଶ୍ରାମ ନେଉଛନ୍ତି। ଅସହାୟ ମଦନଙ୍କ  ଚିକିତ୍ସା ସହ ତାଙ୍କୁ ଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି।

ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର