ନିଜ ମାଟି, ଭାଷା ଓ ସଂସ୍କୃତିର କଥା କହିବ ‘ମାଳିପୁଟ ମେଲୋଡିସ୍’

ଆସନ୍ତା ୧୮ ତାରିଖରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ

ନିଜ ମାଟି, ଭାଷା ଓ ସଂସ୍କୃତିର କଥା କହିବ ‘ମାଳିପୁଟ ମେଲୋଡିସ୍’

ମାଲକାନଗିରି, ୧୫/୯ : ଅବିଭକ୍ତ କୋରାପୁଟ ଜିଲ୍ଲାର ଭାଷା, ସଂସ୍କୃତି, ପରମ୍ପରା, ଚାଲିଚଳଣ, ବଣ ଓ ପାହାଡ଼ର ଜୀବନ୍ତ ଚିତ୍ରକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର **‘ମାଳିପୁଟ ମେଲୋଡିସ୍’**କୁ ନେଇ ମାଲକାନଗିରିସ୍ଥିତ ଆଓମା ଗୁରୁକୁଳରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାର, ସଙ୍ଗୀତ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ସହ ଜଡ଼ିତ ବ୍ୟକ୍ତିମାନେ ଯୋଗଦେଇ ଚଳଚ୍ଚିତ୍ରର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

ଆମ ଅଞ୍ଚଳର ମାଟି, ଲୋକଜୀବନ ଓ ସାଂସ୍କୃତିକ ପରିଚୟକୁ ଆଧାର କରି ନିର୍ମିତ ଏହି ଚଳଚ୍ଚିତ୍ର ଦେଶର ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ସମ୍ମାନ ଓ ପ୍ରଶଂସା ଲାଭ କରିଥିବା ନିର୍ମାତା ପକ୍ଷରୁ କୁହାଯାଇଛି।

ନିଜ ଅଞ୍ଚଳର କାହାଣୀ, ଭାଷା ଓ ସଂସ୍କୃତିକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରକୁ ସ୍ଥାନୀୟ ଲୋକେ ଅଧିକ ସଂଖ୍ୟାରେ ପ୍ରେକ୍ଷାଳୟକୁ ଯାଇ ଦେଖିଲେ ହିଁ ଏହାର ସଫଳତା ସାର୍ଥକ ହେବ ବୋଲି ଚଳଚ୍ଚିତ୍ର ଟିମ୍ ପକ୍ଷରୁ କୁହାଯାଇଛି। ଆସନ୍ତା ୧୮ ତାରିଖ ଶୁକ୍ରବାର ଓଡ଼ିଶାର ବିଭିନ୍ନ ସିନେମା ହଲ୍‌ରେ ‘ମାଳିପୁଟ ମେଲୋଡିସ୍’ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରକୁ ଅଧିକରୁ ଅଧିକ ଦର୍ଶକ ପ୍ରେକ୍ଷାଳୟକୁ ଯାଇ ଦେଖିବା ସହ କଳାକାର ଓ ନିର୍ମାତାଙ୍କୁ ସହଯୋଗ କରିବାକୁ ଚଳଚ୍ଚିତ୍ର ଟିମ୍ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର କଳାକାର ଜୟନ୍ତ ସାନ୍ତ୍ରା, ଏମ୍‌.ଡି. ସରିଫ, ସଙ୍ଗୀତ ନିର୍ଦ୍ଦେଶକ ତୋଷ ନନ୍ଦ, କଳାକାର ଦିବ୍ୟ ବେହେରାଙ୍କ ସମେତ ଅଧ୍ୟାପକ ଡ. ରଞ୍ଜନ କୁମାର ସ୍ୱାଇଁ ଓ ଆଓମାର ସଭାପତି ରତ୍ନାକର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଶେଷରେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର ଓଡ଼ିଆ ଭାଷା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଏହାକୁ ଆଗକୁ ନେବା ପାଇଁ ଅଧିକରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଯାଇ ଦେଖିବାକୁ ନିବେଦନ କରିଥିଲେ। ଏଥିସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସମାପ୍ତ କରିଥିଲେ।

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)