ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ମାଥିଲିରେ ସର୍ବେକ୍ଷଣ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟସ୍ତରୀୟ ଅବଜର୍ଭର

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ମାଥିଲି, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସୁବ୍ୟବସ୍ଥିତ ତଥା ଅବାଧ ଭାବେ ସମ୍ପନ୍ନ କରିବା ନିମନ୍ତେ ଭୋଟର ତାଲିକାର ସଠିକତା ଓ ନିର୍ଭୁଲତା ଉପରେ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଥିଲି ବ୍ଲକ୍‌ରେ ଚାଲିଥିବା ଭୋଟର ତାଲିକା ସର୍ବେକ୍ଷଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ରାଜ୍ୟସ୍ତରୀୟ ଅବଜର୍ଭର ଶ୍ରୀ ସଂଗ୍ରାମ ଶେଖର ପଣ୍ଡା।

ବର୍ତ୍ତମାନ ମାଥିଲି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ବୁଥ୍‌ସ୍ତରୀୟ ଅଧିକାରୀ (BLO)ମାନେ ଘରକୁ ଘର ଯାଇ ଭୋଟରଙ୍କ ତଥ୍ୟ ଯାଞ୍ଚ ଓ ସଂଗ୍ରହ କରୁଛନ୍ତି। ଏହି ସର୍ବେକ୍ଷଣ କାର୍ଯ୍ୟକୁ ଆସନ୍ତା ନଭେମ୍ବର ୭ ତାରିଖ ସୁଦ୍ଧା ସମାପ୍ତ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଛି। ଏହାର ଅଗ୍ରଗତି ଓ କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରିବା ଲାଗି ଶ୍ରୀ ପଣ୍ଡା ମାଥିଲି ଗସ୍ତରେ ଆସି ବିଭିନ୍ନ ବୁଥ୍ ପରିଦର୍ଶନ କରିଥିଲେ।

ପରେ ମାଥିଲି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ପରିସରରେ ବିଏଲ୍‌ଓ ଓ ସୁପରଭାଇଜରମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଅର୍ପିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପଞ୍ଚାୟତ ରାଜ ଅଧିକାରୀ ଶ୍ରୀ ବିମଳ କୁମାର ଲେଙ୍କା ଓ ଉପଜିଲ୍ଲାପାଳ ଶ୍ରୀ ଦୁର୍ଯ୍ୟୋଧନ ଭୋଇ ଉପସ୍ଥିତ ଥିଲେ।

ବୈଠକରେ ଶ୍ରୀ ପଣ୍ଡା ବିଭିନ୍ନ ଅଞ୍ଚଳରେ ସର୍ବେକ୍ଷଣ କାର୍ଯ୍ୟର ବର୍ତ୍ତମାନ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସୁପରଭାଇଜରମାନଙ୍କଠାରୁ ବିସ୍ତୃତ ତଥ୍ୟ ନେଇଥିଲେ। ଏଥିସହ କାର୍ଯ୍ୟ ସମ୍ପାଦନ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଅସୁବିଧା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ପ୍ରତ୍ୟେକ ଭୋଟରଙ୍କ ତଥ୍ୟକୁ ଯତ୍ନର ସହ ଯାଞ୍ଚ କରି ଏକ ସଠିକ୍, ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବଶଙ୍କର ସାହୁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ଦେବେନ୍ଦ୍ର ନାୟକଙ୍କ ସମେତ ମାଥିଲି ଓ ଚାଉଳମେନ୍ଦି ଅଞ୍ଚଳର ବିଏଲ୍‌ଓ ଏବଂ ସୁପରଭାଇଜର ସନ୍ତୋଷ କୁମାର ପୂଜାରୀ, ଧୁଙ୍ଗିଆପୁଟର ସତ୍ୟନାରାୟଣ ଦାଶ, ଚେଡ଼େଙ୍ଗାର ଦେବପ୍ରସାଦ ବିଶ୍ୱାଳ, ତେମୁରୁପାଲିର ସତ୍ୟବ୍ରତ ବେହେରା ଓ ଉଦୁଲିବେଡ଼ାର ମନୋଜ କୁମାର ବେହେରାଙ୍କ ସମେତ ବୁଥ୍‌ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସର୍ବେକ୍ଷଣ କାର୍ଯ୍ୟ ସମାପ୍ତ କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ଦିଗରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମନ୍ୱିତ ଉଦ୍ୟମ ଜାରି ରହିଛି।

(ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର )