ବଜ୍ରପାତରେ ଚାଲିଗଲା ଗରିବ ଚାଷୀ ନାରାୟଣଙ୍କ ଜୀବନ।
ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି।
ଖଣ୍ଡପଡା,୩୦/୪ (ସଦାଶିବ ପାତ୍ର) ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମପଞ୍ଚାୟତ ଅଧୀନ ମଇଁଶିବିନ୍ଧା ଗ୍ରାମର ଭଗବାନ ନାୟକଙ୍କ ପୁତ୍ର ନାରାୟଣ ନାୟକ (୪୯ବର୍ଷ) ନାମକ ଜଣେ ଗରିବ ଚାଷୀଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣା ଯାଇଛି। ପରିବାରଙ୍କ ସୂଚନା ଅନୁଯାୟୀ ନାରାୟଣ ଗୁରୁବାର ଭୋର ସାଢେ ପାଞ୍ଚଟା ସମୟରେ ଏକ ଝୁଡ଼ିରେ ଖତ ନେଇ ନିଜ ବିଲରେ ପକାଇବାକୁ ଯାଇଥିଲେ। ବିଲରୁ ଫେରିବା ସମୟରେ ଅଦିନିଆ କାଳ ବୈଶାଖୀର ହଠାତ୍ ବିଜୁଳି ଘଡଘଡି ମାରିବା ଦ୍ଵାରା ଉକ୍ତ ବଜ୍ରପାତରେ ଘଟଣା ସ୍ଥଳରେ ନାରାୟଣ ଭୂମିରେ ଟଳି ପଡ଼ିଥିଲେ।ସେଇ ବାଟ ଦେଇ ଗ୍ରାମର କିଛି ପିଲା ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଉଥିବା ବେଳେ ତାଙ୍କୁ ତଳେ ପଡିଥିବା ଦେଖି ସଙ୍ଗେ ସଙ୍ଗେ ଫେରି ଆସି ଗ୍ରାମରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହା ଶୁଣି ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ଘଟଣା ସ୍ଥଳକୁ ଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଖଣ୍ଡପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତର ନାରାୟଣଙ୍କୁ ମୃତ ଘୋଷଣା କରି ଶବ ବ୍ୟବଛେଦ ପାଇଁ ଦଶପଲ୍ଲା ପଠାଇଥିବା ପରିବାରଙ୍କ ପକ୍ଷରୁ ସୂଚନା ମିଳିଛି। ଶବ ବ୍ୟବଛେଦ ପରେ ସଂପୂର୍ଣ୍ଣ ସତ୍ୟତା ଜଣାପଡ଼ିବ। ଯାହାଦ୍ବାରା ଗ୍ରାମ ତଥା ଆଖ ପାଖ ଅଂଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେବା ସହିତ ସେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ପରିବାର ଲୋକ ଅତି ଦୁଃଖରେ ମ୍ରିୟମାଣ ହୋଇ ଭାଙ୍ଗି ପଡିଥିବା ଜଣା ଯାଇଛି।ଯେହେତୁ ନାରାୟଣ ଜଣେ ଗରିବ କୃଷକ ଓ ଖଟିଖିଆ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରଙ୍କ ତରଫରୁ ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ ପରିବାର ତଥା ଗ୍ରାମବାସୀଙ୍କ ତରଫରୁ ତହସିଲ,ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଦାବି କରିବା ସହିତ ସ୍ଥାନୀୟ ବିଧାୟକ ମାନ୍ୟବର ଦୁଷ୍ମନ୍ତ କୁମାର ସ୍ବାଇଁ ମହୋଦୟ ମୃତକଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।


admin 
