ମାଥିଲି ମେଡିକାଲରେ ମାସେ ହେଲା ଏକ୍ସ-ରେ ମେସିନ ଅଚଳ

ଛାତର ସିଲିଂ ଖସି ମେସିନ ନଷ୍ଟ, ଦୂରଦୂରାନ୍ତରୁ ଆସୁଥିବା ରୋଗୀ ହନ୍ତସନ୍ତ

ମାଥିଲି ମେଡିକାଲରେ ମାସେ ହେଲା ଏକ୍ସ-ରେ ମେସିନ ଅଚଳ

ମାଥିଲି, ୪/୧୦ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ସଦର ମେଡିକାଲରେ ଏକ୍ସ-ରେ ମେସିନ ଦୀର୍ଘଦିନ ଧରି ଅଚଳ ହୋଇ ପଡ଼ିଥିବାରୁ ରୋଗୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ଏକ ମାସ ହେବ ମେଡିକାଲର ଏକ୍ସ-ରେ କକ୍ଷର ଛାତର ସିଲିଂ ଖସି ମେସିନ ଉପରେ ପଡ଼ିବା ପରେ ଏହା ଖରାପ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାପରେ ମେସିନଟି ମରାମତି ହୋଇନଥିବାରୁ ରୋଗୀମାନଙ୍କୁ ବାହାରକୁ ଯାଇ ଏକ୍ସ-ରେ କରାଇବାକୁ ପଡ଼ୁଛି।

ମାଥିଲି ଏକ ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାକାର ଅନେକ ଲୋକ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ମାଥିଲି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ରୋଗୀମାନେ ଚିକିତ୍ସା ପାଇଁ ମେଡିକାଲକୁ ଆସିଥାନ୍ତି। ଏକ୍ସ-ରେ ଆବଶ୍ୟକ ହେଲେ ମେସିନ ଅଚଳ ଥିବା କାରଣରୁ ସେମାନଙ୍କୁ ମାଲକାନଗିରି କିମ୍ବା ଜୟପୁର ଭଳି ଦୂରସ୍ଥ ସହରକୁ ଯିବାକୁ ପଡ଼ୁଛି। ଏଥିପାଇଁ ଯାତାୟାତ ଖର୍ଚ୍ଚ ସହ ଏକ୍ସ-ରେ ପରୀକ୍ଷା ପାଇଁ ଅତିରିକ୍ତ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି।

ବିଶେଷକରି ଗରିବ ଓ ଆର୍ଥିକ ଦୁର୍ବଳ ପରିବାରର ରୋଗୀମାନେ ଏହି ସମସ୍ୟାରେ ଅଧିକ ପ୍ରଭାବିତ ହେଉଛନ୍ତି। ଦିନମଜୁରି କରି ପରିବାର ଚଳାଉଥିବା ଲୋକଙ୍କ ପାଇଁ ଦୂରସ୍ଥ ସ୍ଥାନକୁ ଯାଇ ପରୀକ୍ଷା କରାଇବା ଅତିରିକ୍ତ ଆର୍ଥିକ ବୋଝ ସୃଷ୍ଟି କରୁଛି। ଅନେକ ରୋଗୀ ଟଙ୍କା ଅଭାବରୁ ସମୟରେ ଆବଶ୍ୟକ ପରୀକ୍ଷା କରାଇପାରୁନଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏକ୍ସ-ରେ ମେସିନ ଭଳି ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଦୀର୍ଘଦିନ ଧରି ଅଚଳ ରହିବା ଯୋଗୁଁ ମାଥିଲି ଅଞ୍ଚଳର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି। ମେଡିକାଲରେ ଚିକିତ୍ସା ସୁବିଧା ଥିଲେ ମଧ୍ୟ ଏକ୍ସ-ରେ ସେବା ନମିଳିବାରୁ ରୋଗୀମାନେ ଅନ୍ୟ ସ୍ଥାନ ଉପରେ ନିର୍ଭରଶୀଳ ହେଉଛନ୍ତି।

ତେଣୁ ମାଥିଲି ମେଡିକାଲର ଅଚଳ ଏକ୍ସ-ରେ ମେସିନକୁ ତୁରନ୍ତ ମରାମତି କରି ପୁନର୍ବାର ରୋଗୀଙ୍କ ପାଇଁ ସେବା ଆରମ୍ଭ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ଛାତର ସିଲିଂ ଖସିବା ଘଟଣାର ଯାଞ୍ଚ କରି ମେଡିକାଲର ଅନ୍ୟ ଅଂଶରେ ମଧ୍ୟ ଏଭଳି ସମସ୍ୟା ରହିଛି କି ନାହିଁ ତାହା ଯାଞ୍ଚ କରି ଆବଶ୍ୟକ ମରାମତି କରିବାକୁ ଦାବି ହୋଇଛି। ଦୁର୍ଗମ ଅଞ୍ଚଳର ଗରିବ ଓ ଆଦିବାସୀ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ଏହି ସମସ୍ୟାର ଶୀଘ୍ର ସମାଧାନ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)