ମୁଖ୍ୟମନ୍ତ୍ରୀ ବସସେବା ମହିଳା କଣ୍ଡକ୍ଟରଙ୍କୁ ହଇରାଣ ଓ ଯୌନ ଦୁର୍ବ୍ୟବହାର ଶିକାର ହୋଇଥିବା ମହିଳା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ।
କେନ୍ଦ୍ରାପଡ଼ାରେ କାର୍ଯ୍ୟସ୍ଥଳୀରେ ହଇରାଣ ଓ ଯୌନ ଦୁର୍ବ୍ୟବହାର ଅଭିଯୋଗ। ବଦଳି ଆଦେଶ ପୁନର୍ବିଚାର ପାଇଁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ମହିଳା କର୍ମଚାରୀ। କାର୍ଯ୍ୟସ୍ଥଳୀରେ ହଇରାଣ, ମାନସିକ ଚାପ,ଭୟଭୀତ କରିବା ଏବଂ ଅନୁଚିତ ବ୍ୟବହାର ସହ ଯୌନ ଦୁର୍ବ୍ୟବହାର/ଆକ୍ରମଣ ଅଭିଯୋଗ ଆଣି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଜଣେ ମହିଳା କର୍ମଚାରୀ। ଏଥିସହ ତାଙ୍କ ବଦଳି ଆଦେଶକୁ ମାନବିକ ଦୃଷ୍ଟିକୋଣରୁ ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି। ଅଭିଯୋଗପତ୍ର ଅନୁଯାୟୀ,ବିଜୟଲକ୍ଷ୍ମୀ ଲେଙ୍କା କେନ୍ଦ୍ରାପଡ଼ା ବ୍ଲକରେ ମୁଖ୍ୟମନ୍ତ୍ରୀ ବସସେବା ବସ ରେ କଣ୍ଡକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ସେ ଜଣେ ବିଧବା ଏବଂ ତାଙ୍କର ଦୁଇଜଣ ନିର୍ଭରଶୀଳ ସନ୍ତାନ ଅଛନ୍ତି। ପରିବାରର ଜୀବିକା, ସନ୍ତାନଙ୍କ ଶିକ୍ଷା ଓ ଲାଳନପାଳନ ପାଇଁ ସେ ନିଜ ଚାକିରି ଉପରେ ନିର୍ଭରଶୀଳ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ,କିଛି ବରିଷ୍ଠ ସହକର୍ମୀଙ୍କ ପକ୍ଷରୁ ତାଙ୍କୁ କାର୍ଯ୍ୟସ୍ଥଳୀରେ ହଇରାଣ, ଅନୁଚିତ ମାନସିକ ଚାପ, ଭୟଭୀତ କରିବା ଓ ଅନୁଚିତ ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ିଛି। ଏହା ସହିତ ଜଣେ କର୍ମଚାରୀଙ୍କ ବିରୋଧରେ ଯୌନ ଦୁର୍ବ୍ୟବହାର/ଆକ୍ରମଣ ସମ୍ପର୍କିତ ଅଭିଯୋଗ ମଧ୍ୟ ସେ ଆଣିଛନ୍ତି। ଏହି ଅଭିଯୋଗଗୁଡ଼ିକର ନିରପେକ୍ଷ,ନ୍ୟାୟସଙ୍ଗତ ଓ ଗୋପନୀୟ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ,୨୬ ସେପ୍ଟେମ୍ବର ୨୦୨୬ ତାରିଖରେ ତାଙ୍କୁ କେନ୍ଦ୍ରାପଡ଼ା ବ୍ଲକରୁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକକୁ ତତ୍କାଳ ପ୍ରଭାବରେ ବଦଳି କରାଯାଇଥିବା ନେଇ ସେ ଉଲ୍ଲେଖ କରିଛନ୍ତି। ତାଙ୍କ ବର୍ତ୍ତମାନ ପାରିବାରିକ ପରିସ୍ଥିତିରେ ଏଭଳି ବଦଳି ତାଙ୍କ ସହ ଦୁଇ ସନ୍ତାନଙ୍କ ପାଇଁ ଗୁରୁତର ଅସୁବିଧା ସୃଷ୍ଟି କରିବ ଏବଂ ପରିବାର ଚଳାଇବା କଷ୍ଟକର ହେବ ବୋଲି ସେ ଦର୍ଶାଇଛନ୍ତି। ତେଣୁ ଅଭିଯୋଗର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାରେ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ କାର୍ଯ୍ୟ କରିବାର ସୁଯୋଗ ଦେବା ସହ ବଦଳି ଆଦେଶକୁ ପୁନର୍ବିଚାର କରିବାକୁ ସେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।
ଏଥିସହ ଭବିଷ୍ୟତରେ କୌଣସି ପ୍ରକାରର ହଇରାଣ,ଧମକ,ଚାପ କିମ୍ବା ପ୍ରତିଶୋଧମୂଳକ କାର୍ଯ୍ୟରୁ ସୁରକ୍ଷା ଯୋଗାଇଦେବା ଏବଂ ଅଭିଯୋଗକୁ ଗୋପନୀୟ ରଖିବାକୁ ସେ ଦାବି କରିଛନ୍ତି। ଆବଶ୍ୟକ ହେଲେ ମାମଲାକୁ ସମ୍ପୃକ୍ତ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Committee) କିମ୍ବା ଯୋଗ୍ୟ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।ତେବେ,ଅଭିଯୋଗପତ୍ରରେ ଉଠାଯାଇଥିବା ଯୌନ ଦୁର୍ବ୍ୟବହାର ଓ ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ସତ୍ୟତା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ତଦନ୍ତ ଫଳାଫଳ ସାମ୍ନାକୁ ଆସିନାହିଁ। ତେଣୁ ଅଭିଯୋଗଗୁଡ଼ିକୁ ତଦନ୍ତ ପରେ ହିଁ ନିଶ୍ଚିତ ଭାବେ ମୂଲ୍ୟାୟନ କରାଯାଇପାରିବ !
ସଞ୍ଜୟ କୁମାର ପଣ୍ଡା , ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
