ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ କମଳା।
ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ କମଳା।
ଦିବ୍ୟାଙ୍ଗ ପ୍ରମାଣପତ୍ର ପରେ ସମସ୍ତ ପ୍ରକାର ସରକାରୀ ସୁବିଧା ମିଳିବ ।
ମାଲକାନଗିରି ମଥିଲି ତା:-୧୦/୦୫
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଅନେକ ଯୋଜନା ହୋଇଛି । କୌଣସି ଦିବ୍ୟାଙ୍ଗ ସରକାରୀ ଯୋଜନାରୁ ବଞ୍ଚିତ ନହେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତି ବ୍ଲକରେ ଭିନ୍ନକ୍ଷମ ଶିବିରର ଆୟୋଜନ କରାଯାଉଛି। ଏହାର ଉଦେଶ୍ୟ ଗ୍ରାମାଞ୍ଚଳରେ ରହି ଯାଉଥିବା ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରିବା ସହିତ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ପରୀକ୍ଷା ନିରୀକ୍ଷା କରିବା ପରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରି ସରକାରୀ ଯୋଜନା ଯୋଗାଇ ଦେବା । ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କିଆଙ୍ଗ ପଞ୍ଚାୟତ ଅନ୍ତର୍ଗତ ଜିଗିଡି ଗୁଡ଼ା ଗ୍ରାମର ଦିବ୍ଯାଙ୍ଗ କମଳା କାମଡ଼ି (୫୫) ସମସ୍ତ ପ୍ରକାର ସରକାରୀ ଯୋଜନା ପାଇବାରୁ ବଞ୍ଚିତ ଅଛନ୍ତି। ନା ସରକାରଙ୍କ ଭତ୍ତା
ପାଉଛନ୍ତି ନା ଆବାସ ଯୋଜନାରେ ଘର ଖଣ୍ଡେ ପାଇଛନ୍ତି। ଏହି ଦିବ୍ୟାଙ୍ଗ ଉପରେ ସରକାରୀ କର୍ମଚାରୀଙ୍କ ନଜର କିପରି ପଡି ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ବରିଷ୍ଠ ସାମ୍ବାଦିକ ସମାଜିକ ଗଣମାଧ୍ୟମରେ ଦିବ୍ୟାଙ୍ଗ ଭିଡିଓ ଦେଖିବା ପରେ ସଙ୍ଗେ ସଙ୍ଗେ ମାଥ୍ଲି ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ସାମଲଙ୍କୁ ଅବଗତ କରିଥିଲେ। ଶ୍ରୀ ସାମଲ ସଙ୍ଗେ ସଙ୍ଗେ ନିକଟସ୍ଥ ଅଙ୍ଗନବାଡ଼ି କର୍ମୀ ଶାନ୍ତିଲତା ବିଶ୍ୱାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଦିବ୍ୟାଙ୍ଗ କମଳାଙ୍କ ଘରକୁ ପଠାଇ ସବିଶେଷ ବିବରଣୀ ବୁଝିଥିଲେ | କମଳାଙ୍କ ଆଧାର କାର୍ଡ ଅଛି, କିନ୍ତୁ ଦିବ୍ୟାଙ୍ଗ ପ୍ରମାଣପତ୍ର ନାହିଁ ବୋଲି ଭତ୍ତା ସହିତ ସରକାରୀ ଯୋଜନାରୁ ବଞ୍ଚିତ ଥିବା ଜଣାପଡିଛି । ଆସନ୍ତା ୧୭ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଅଭିଜ୍ଞ ଡାକ୍ତରଙ୍କୁ ଦେଖାଇ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବା ପରେ କମଳାଙ୍କୁ ଭତ୍ତା ଯୋଗାଇବା ସହିତ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାମଲ ସୂଚନା ଦେଇଛନ୍ତି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର