​ଚାକିରି ଦେବା ନାଁରେ ଠକେଇ....

ଭୁବନେଶ୍ୱରରୁ ଜଣକୁ ଗିରଫ ସହ ୩'ଟି ମୋବାଇଲ ଓ ପାମ୍ପଲେଟ ଜବତ ।

​ଚାକିରି ଦେବା ନାଁରେ ଠକେଇ....

​ମାଲକାନଗିରି ଜିଲ୍ଲା 

ସରକାରୀ ଚାକିରି ଦେବା ନାଁରେ ବେକାର ଯୁବକଯୁବତୀଙ୍କୁ ଠକୁଥିବା ଏକ ବଡ଼ ରାକେଟର ପର୍ଦ୍ଦାଫାଶ କରିଛି ମାଲକାନଗିରି ପୋଲିସ। ମିଥ୍ୟା ନିଯୁକ୍ତି ମେଳା ଓ ପାମ୍ପଲେଟ ବାଣ୍ଟି ଟଙ୍କା ଲୁଟୁଥିବା ଅଭିଯୋଗରେ ପୋଲିସ ଭୁବନେଶ୍ୱରରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

​ଗିରଫ ଅଭିଯୁକ୍ତ ଜଣକ ହେଲେ ଜଗତସିଂହପୁର ଅଞ୍ଚଳର ବିଶ୍ୱଜିତ ଜେନା (୩୫)।

​ସୁଚ୍ଚନା ଅନୁସାରେ, ଅଭିଯୁକ୍ତ ବିଶ୍ୱଜିତ ଜେନା ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର (PHC, CHC), ସୁରକ୍ଷା କର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ମେଡିକାଲ ବିଭାଗରେ ସରକାରୀ ଚାକିରି ଯୋଗାଇ ଦେବା ନାଁରେ ପାମ୍ପଲେଟ୍ ଓ ବିଜ୍ଞାପନ ମାଧ୍ୟମରେ ନିଯୁକ୍ତି ମେଳାର ପ୍ରଚାର କରୁଥିଲା। ଏହି ଠକେଇ ପାଇଁ ସେ ମୋବାଇଲ ନମ୍ବର ୯୬୯୨୨୩୨୬୦୪ ବ୍ୟବହାର କରୁଥିଲା। ସରକାରୀ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ କୌଣସି ଅନୁମତି ଦିଆଯାଇ ନଥିଲେ ମଧ୍ୟ ସେ ବେକାର ଯୁବକଯୁବତୀଙ୍କୁ ପ୍ରଲୋଭିତ କରି ଅର୍ଥ ଆଦାୟ କରିବାକୁ ପ୍ରୟାସ କରୁଥିଲା।

​ଏହି ମିଥ୍ୟା ଚାକିରି ବିଜ୍ଞାପନ ବାବଦରେ ଜାଣିବା ପରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ (SP) ନିଜ ଫେସବୁକ ପେଜ୍‌ରେ ସଚେତନତା ପୋଷ୍ଟ କରିଥିଲେ। ଏହାପରେ ଗତ ଅଗଷ୍ଟ ୪ ତାରିଖରେ ମାଲକାନଗିରି ଥାନା ସବ୍-ଇନ୍ସପେକ୍ଟର ଥବିର ବାରିହା ଏ ନେଇ ଏକ ମାମଲା ଦାୟର କରିଥିଲେ।

​ଏସପିଙ୍କ ନିର୍ଦ୍ଦେଶକ୍ରମେ ଗଠିତ ସ୍ୱତନ୍ତ୍ର ପୋଲିସ ଟିମ୍ ଭୁବନେଶ୍ୱରରେ ଚଢ଼ାଉ କରି ଅଭିଯୁକ୍ତ ବିଶ୍ୱଜିତକୁ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତ ନିକଟରୁ ୩ଟି ମୋବାଇଲ ଫୋନ୍ ଏବଂ ନିଯୁକ୍ତି ବିଜ୍ଞାପନ ପୁସ୍ତିକା/ପାମ୍ପଲେଟ ଜବତ କରାଯାଇଛି।

​ଏହି ସମ୍ପର୍କରେ ମାଲକାନଗିରି ଏସ.ଡି.ପି.ଓ ଦିବ୍ୟ ରଞ୍ଜନ ଦଳେଇ ସୂଚନା ଦେଇଛନ୍ତି ଯେ, ଏହା ବେକାର ଯୁବକମାନଙ୍କୁ ଠକି ଟଙ୍କା ରୋଜଗାର କରିବାର ଏକ ପ୍ରୟାସ ଜାଣିଶୁଣି କରାଯାଇଥିବା ଷଡ଼ଯନ୍ତ୍ର ଥିଲା। ଏହି ରାକେଟ୍‌ରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି।

​ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ନିଜେ ଏହି ଘଟଣାର ତଦନ୍ତ କରୁଛନ୍ତି। ଥାନା କେସ୍ ନମ୍ବର ୪୪୭, ତା- ୦୪/୦୮/୨୦୨୬, ଧାରା U/S 318(4) BNS ଅଧୀନରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। 

(ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର)