ଥାଇଲାଣ୍ଡରେ ନୟାଗଡ଼ର ଝିଅ ଆୟାନିଙ୍କ କମାଲ

‘ମିସ୍ ଟିନ୍ ସୁପର୍ ଗ୍ଲୋବ୍ ଏସିଆ’ ଟାଇଟଲ୍ ହାସଲ କଲେ ଆୟାନି ଅଲିଶା ଆକାଙ୍କ୍ଷା

ଥାଇଲାଣ୍ଡରେ ନୟାଗଡ଼ର ଝିଅ ଆୟାନିଙ୍କ କମାଲ

ନୟାଗଡ଼, ୧୫/୯: ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଚମକପ୍ରଦ ସଫଳତା ହାସଲ କରି ନୟାଗଡ଼ ସମେତ ସମଗ୍ର ଓଡ଼ିଶାର ଗୌରବ ବଢ଼ାଇଛନ୍ତି ନୟାଗଡ଼ର କୁନି ପ୍ରତିଭା ଆୟାନି ଅଲିଶା ଆକାଙ୍କ୍ଷା। ଥାଇଲାଣ୍ଡରେ ଆୟୋଜିତ ‘ମିସ୍ ଟିନ୍ ସୁପର୍ ଗ୍ଲୋବ୍ ୨୦୨୬’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ସେ ‘ମିସ୍ ଟିନ୍ ସୁପର୍ ଗ୍ଲୋବ୍ ଏସିଆ’ ଟାଇଟଲ୍ ହାସଲ କରିଛନ୍ତି। ଏଥିସହ ‘ବେଷ୍ଟ ୱାକ୍’ ଓ ‘ବେଷ୍ଟ କଣ୍ଟ୍ରି ଭିଡିଓ’ ସମେତ ଏକାଧିକ ସବ୍-ଟାଇଟଲ୍ ମଧ୍ୟ ତାଙ୍କ ନାମରେ ରହିଛି।

ଆୟାନିଙ୍କ ପୈତୃକ ଘର ନୟାଗଡ଼ ବ୍ଲକ ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସୁନାଲଟି ଗ୍ରାମରେ। ଗ୍ରାମର ଏହି କୁନି ପ୍ରତିଭା ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରି ଟାଇଟଲ୍ ହାସଲ କରିବା ପରେ ସୁନାଲଟି ଗ୍ରାମଠାରୁ ଆରମ୍ଭ କରି ସମଗ୍ର ନୟାଗଡ଼ ଜିଲ୍ଲାରେ ଆନନ୍ଦର ମାହୋଲ୍ ସୃଷ୍ଟି ହୋଇଛି।

୨୦୨୫ ମସିହାରେ ଆୟାନି ‘ମିସ୍ ଟିନ୍ ସୁପର୍ ଗ୍ଲୋବ୍ ଇଣ୍ଡିଆ’ ଟାଇଟଲ୍ ବିଜୟୀ ହୋଇଥିଲେ। ଏହି ସଫଳତା ପରେ ୨୦୨୬ରେ ଥାଇଲାଣ୍ଡରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ବିଭିନ୍ନ ଦେଶରୁ ପ୍ରାୟ ୩୦ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବାବେଳେ ଆୟାନି ନିଜର ପ୍ରତିଭା, ଆତ୍ମବିଶ୍ୱାସ ଓ ଚମତ୍କାର ଉପସ୍ଥାପନା ମାଧ୍ୟମରେ ବିଚାରକମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆୟାନି ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ କାର୍ମେଲ୍ ଇଂଲିଶ୍ ମିଡିୟମ୍ ସ୍କୁଲ୍‌ର ୯ମ ଶ୍ରେଣୀର ଛାତ୍ରୀ। ପାଠପଢ଼ା ସହିତ ସେ ଜଣେ ପ୍ରତିଭାବାନ ଆଥଲେଟ୍ ଓ ନୃତ୍ୟଶିଳ୍ପୀ। ଅଭିନୟ, ନୃତ୍ୟ, ଗୀତ ଓ ଚିତ୍ରାଙ୍କନ ପ୍ରତି ମଧ୍ୟ ତାଙ୍କର ବିଶେଷ ଆଗ୍ରହ ରହିଛି। ଶିକ୍ଷା ସହ ନିଜର ବହୁମୁଖୀ ପ୍ରତିଭାକୁ ଆଗକୁ ନେଇ ଭବିଷ୍ୟତରେ ଦେଶ ପାଇଁ ଆହୁରି ଗୌରବ ଆଣିବା ତାଙ୍କର ଲକ୍ଷ୍ୟ।

ଆୟାନିଙ୍କ ସଫଳତା ପଛରେ ତାଙ୍କ ବଡ଼ ଭଉଣୀ ପ୍ରଜ୍ଞା ପର୍ଣ୍ଣିତାଙ୍କ ପ୍ରେରଣା ଓ ସମର୍ଥନ ରହିଛି। ପ୍ରଜ୍ଞା ମଧ୍ୟ ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରି ଟାଇଟଲ୍ ହାସଲ କରିଛନ୍ତି। ଭଉଣୀଙ୍କ ସଫଳତାରୁ ପ୍ରେରଣା ନେଇ ଆୟାନି ନିଜର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢ଼ିଛନ୍ତି।

ଆୟାନିଙ୍କ ବାପା ଗୋପାଳ ଚନ୍ଦ୍ର ଦଳେଇ ଓ ମା’ କଳ୍ପନା ମଞ୍ଜରୀ ଦଳେଇ। ଝିଅର ଏହି ଅନ୍ତର୍ଜାତୀୟ ସଫଳତାରେ ପରିବାର ସମେତ ସୁନାଲଟି ଗ୍ରାମ, ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତ, ଇଟାମାଟି ଅଞ୍ଚଳ ଓ ସମଗ୍ର ନୟାଗଡ଼ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

କୁନି ବୟସରେ ଅନ୍ତର୍ଜାତୀୟ ମଞ୍ଚରେ ନିଜର ପ୍ରତିଭାର ପରିଚୟ ଦେଇଥିବା ଆୟାନି ଆଗାମୀ ଦିନରେ ଆହୁରି ବଡ଼ ସଫଳତା ହାସଲ କରି ନୟାଗଡ଼ ଓ ଓଡ଼ିଶାର ନାମକୁ ବିଶ୍ୱ ଦରବାରରେ ଆହୁରି ଉଜ୍ଜ୍ୱଳ କରନ୍ତୁ—ଏହା ସମସ୍ତଙ୍କ ଆଶା।

ଆଶୋକ କୁମାର ସଥୁଆ,ଜିଲ୍ଲା ପ୍ରତିନିଧି ନୟାଗଡ଼