ବିକାଶର ଆଲୁଅରେ ହଜିଗଲା ଘୋଡ଼ାର ଦିନ
ଗୁରୁପ୍ରିୟା ସେତୁ ପରେ ବଦଳିଗଲା ସ୍ଵାଭିମାନ ଞ୍ଚଳର ଚିତ୍ର
ମାଲକାନଗିରି ଜିଲ୍ଲା ଦିନେ ଯେଉଁ ଅଞ୍ଚଳରେ ରାସ୍ତାଘାଟର ଅଭାବ ଯୋଗୁଁ ଘୋଡ଼ା ହିଁ ଥିଲା ଯାତାୟାତର ଏକମାତ୍ର ଭରସା, ଆଜି ସେହି ଅଞ୍ଚଳରେ ବିକାଶର ଆଲୁଅ ପହଞ୍ଚିବା ପରେ ଘୋଡ଼ାର ଗୁରୁତ୍ୱ କ୍ରମେ କମିଯାଇଛି। ଏକଦା ଜୀବନ ଓ ଜୀବିକାର ସାଥୀ ପାଲଟିଥିବା ଘୋଡ଼ା ଏବେ ଅତୀତର ସ୍ମୃତି ହୋଇ ରହିଯାଉଛି।
ଚିତ୍ରକୋଣ୍ଡା ଅଞ୍ଚଳର ରାଜୁ ଖରାଙ୍କ ପାଖରେ ରହିଛି ଏକ ପୋନି ପ୍ରଜାତିର ଘୋଡ଼ା। ଆକାରରେ ସାଧାରଣ ଘୋଡ଼ାଠାରୁ ଛୋଟ ଏହି ଘୋଡ଼ା ଦେଖିବାକୁ ଟଟୁ କିମ୍ବା ଖଚର ଭଳି। ରାଜୁଙ୍କ ଭଳି ଏହି ଅଞ୍ଚଳରେ ଶତାଧିକ ପରିବାରଙ୍କ ପାଖରେ ଏପରି ପୋନି ଘୋଡ଼ା ରହିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ଛୋଟ ଘୋଡ଼ାଗୁଡ଼ିକ ଅଧିକ ଭାର ବୋହିବାର କ୍ଷମତା ରଖିଥାନ୍ତି। କମ୍ ଖାଦ୍ୟରେ ମଧ୍ୟ ବଞ୍ଚିପାରନ୍ତି। ଶୁଖିଲା ଘାସ ଖାଇ ଜୀବନଧାରଣ କରୁଥିବା ଏହି ଘୋଡ଼ାମାନେ ମାଲକାନଗିରିର ଗରମ ପରିବେଶ ସହିତ ମଧ୍ୟ ଖାପ ଖୁଆଇପାରନ୍ତି। ଏମାନଙ୍କ ଉଚ୍ଚତା ସାଧାରଣତଃ ୧୪୯ ସେଣ୍ଟିମିଟରରୁ କମ୍ ରହିଥାଏ।
ଏକଦା ବିଚ୍ଛିନ୍ନାଞ୍ଚଳର ଲୋକଙ୍କ ଯାତାୟାତ, ଜୀବିକା ଓ ଦୈନନ୍ଦିନ ଆବଶ୍ୟକତା ପୂରଣରେ ଏହି ଘୋଡ଼ାମାନଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୁର୍ଗମ ପାହାଡ଼ିଆ ରାସ୍ତା ଓ ନଦୀନାଳ ପାର ହୋଇ ଲୋକଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ସହ ଚାଷଜମିରୁ ଫସଲ ଘରକୁ ଆଣିବାରେ ମଧ୍ୟ ଏମାନେ ଭରସା ପାଲଟିଥିଲେ।
କିନ୍ତୁ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ଵାଭିମାନ ଞ୍ଚଳର ଚିତ୍ର ବଦଳିଯାଇଛି। ସଡ଼କ ଯୋଗାଯୋଗ ସୁଗମ ହେବା ସହ ଯାନବାହନ ଚଳାଚଳ ବଢ଼ିବାରୁ ଘୋଡ଼ା ଉପରେ ଲୋକଙ୍କ ନିର୍ଭରଶୀଳତା କମିଛି। ଯେଉଁ ଘୋଡ଼ା ଦିନେ ସ୍ଵାଭିମାନ ଞ୍ଚଳର ଜୀବନରେଖା ଥିଲା, ଆଜି ସେହି ଘୋଡ଼ା ବିକାଶର ପରିବର୍ତ୍ତନର ଏକ ନୀରବ ସାକ୍ଷୀ ହୋଇ ରହିଛି।
ରାଜୁ ଖରା କହିଛନ୍ତି, “ସାର୍, ଏବେ ଘୋଡ଼ା ଯାତାୟାତ କାମରେ ବେଶୀ ଲାଗୁନି। କେବଳ କ୍ଷେତରୁ ଫସଲ ଘରକୁ ଆଣିବା ପାଇଁ ଏହାକୁ ବ୍ୟବହାର କରୁଛୁ।”
ବିକାଶର ରାସ୍ତାରେ ଆଗେଇ ଚାଲିଥିବା ମାଲକାନଗିରିର ଏହି ପରିବର୍ତ୍ତନ ଏକପଟେ ନୂଆ ସମ୍ଭାବନାର କଥା କହୁଥିବା ବେଳେ, ଅନ୍ୟପଟେ ବିଚ୍ଛିନ୍ନାଞ୍ଚଳର ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ ଥିବା ଘୋଡ଼ାମାନଙ୍କ ପୁରୁଣା ଦିନକୁ ମନେ ପକାଇ ଦେଉଛି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
