ବୌଦ୍ଧ ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରାକୁ ନେଇ ଅଭାବନୀୟ ପରିସ୍ଥିତି .

ବୌଦ୍ଧ ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରାକୁ ନେଇ ଅଭାବନୀୟ ପରିସ୍ଥିତି .

ବୌଦ୍ଧ ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରାକୁ ନେଇ ଅଭାବନୀୟ ପରିସ୍ଥିତି .

 ଯାତ୍ରାକୁ ବିରୋଧ କରୁଥିବା ଲୋକଙ୍କୁ ଭଗବାନ ସଦବୁଦ୍ଧି ଦେବାକୁ ହନୁମାନ ଚାଳିଶା 

ଐତିହାସିକ ବୌଦ୍ଧ ସହରର ଗଣପର୍ବ  ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରାକୁ ନେଇ ବୌଦ୍ଧରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରୀରାମଙ୍କ ଲୀଳାକୁ ଯାତ୍ରା ମାଧ୍ୟମରେ ପରିବେଶଣ କରାଯିବା ପରେ  ଶେଷ ଦିବସରେ ଆୟୋଜିତ ରାମ ରାବଣଙ୍କ ସମର ଶୋଭାଯାତ୍ରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏହିଦିନ ୯ ଗୋଟି ପଞ୍ଚାୟତରୁ ସେଠାକାର ଶ୍ରୀରାମଲୀଳା ଯାତ୍ରା କମିଟି ଦ୍ୱାରା ରାବଣ ରଥ ବାହାରି ବୌଦ୍ଧ ସହରରେ ପହଞ୍ଚିବାପରେ ରାତି ତମାମ ସହର ଉତ୍ସବ ମୁଖର ହୋଇଥାଏ ।  ସମର ଶୋଭାଯାତ୍ରାରେ ଜିଲା ଷ୍ଟାଡିୟମଠାରେ ୧୦ ଗୋଟି ରାବଣ ରଥ ସହିତ ପ୍ରଭୁ ଶ୍ରୀରାମଙ୍କ ବାନର ସେନା ସହିତ ପ୍ରଥମ ସମ୍ମୁଖ ଯୁଦ୍ଧ ହୋଇଥାଏ । ଏଠାରେ ମାନସିକଧାରୀଙ୍କ ଦ୍ୱାରା ପ୍ରଦତ ଆତସବାଜୀ କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଥାଏ । କିନ୍ତୁ ଆଗାମୀ ଶ୍ରୀରାମଲୀଳା ଯାତ୍ରାର ଶେଷ ଦିବସ କାର୍ଯ୍ୟକ୍ରମର ଏହି ଆତସବାଜୀ କାର୍ଯ୍ୟକ୍ରମକୁ ଜିଲା ଷ୍ଟାଡିୟମଠାରେ କରାଯିବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାନଯିବାରୁ ଏହା ଯାତ୍ରା ପ୍ରେମିଙ୍କୁ ନିରାଶ କରିବା ସହିତ ବୌଦ୍ଧରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବା ଜଣାଯାଇଛି । ପ୍ରଶାସନ ପକ୍ଷରୁ ଜିଲା ଷ୍ଟାଡିୟମରେ ଯାତ୍ରା ଆୟୋଜନ ନକରିବାକୁ ପତ୍ର ପାଇବା ପରେ ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ଅଭିନବ ଉପାୟରେ ଏହାର ପ୍ରତିବାଦ ଆରମ୍ଭ ହୋଇଛି । ପ୍ରଶାସନ ଅନୁମତି ନଦେବା ଏକ ବାହାନା ମାତ୍ର ଏହାରି ପଛରେ କିଛି ପ୍ରଭାବଶାଳୀ ଲୋକଙ୍କ ପ୍ରଛନ୍ନ ହାତ ଥିବା ଏବଂ ସେମାନେ ପ୍ରଶାସନ ଉପରେ ଚାପ ସୃଷ୍ଟି କରି ଭଗବାନ ଶ୍ରୀରାମଙ୍କ ଯାତ୍ରାକୁ ବିରୋଧ କରିବା ଭଳି ମାନସିକତାକୁ ନେଇ ନାଟ୍ୟ ସଂସଦ ପକ୍ଷରୁ ପ୍ରଶ୍ନ ଉଠାଯାଇଛି । ଭଗବାନ ଶ୍ରୀରାମ ତାଙ୍କରି ଯାତ୍ରାକୁ ବିରୋଧ କରୁଥିବା ଲୋକଙ୍କୁ ସଦବୁଦ୍ଧି ପ୍ରଦାନ କରନ୍ତୁ ଏବଂ ସେମାନେ ବୌଦ୍ଧ ମାଟିର ଏହି ଗଣପର୍ବକୁ ବିରୋଧ କରିବାରୁ କ୍ଷାନ୍ତ ହୁଅନ୍ତୁ ବୋଲି ନାଟ୍ୟ ସଂସଦ ପକ୍ଷରୁ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଚାଳିଶା ପାଠ କରାଯିବା ସହିତ ଅଖଣ୍ଡ ଦୀପ ସ୍ଥାପନ କରାଯିବା ଭଳି ଘଟଣା ସହରରେ ଚର୍ଚ୍ଚା ସୃଷ୍ଟି କରିଛି । ପ୍ରକାଶଥାଉକି ଭଗବାନ ଶ୍ରୀରାମଙ୍କ ନାମକୁ ନେଇ ବିଜେପି ପ୍ରଥମଥର ପାଇଁ ସାଂସଦ ନିର୍ବାଚନ ସହିତ ବୌଦ୍ଧ ଜିଲାର ଦୁଇଟିଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ କ୍ଷମତା ଦଖଲ କରିବାରେ ସଫଳ ହୋଇଛି ।  ବିଜେପି କ୍ଷମତାକୁ ଆସିବା ପରେ  ଏହି ଗଣପର୍ବକୁ ଅଧିକ ସାହାଯ୍ୟ ସହଯୋଗ ମିଳିବ ବୋଲି ଆଶା କରାଯାଉଥିବାବେଳେ ପ୍ରଥମ ବର୍ଷରୁହିଁ ଏହି ଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ନମିଳିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଏନେଇ ଦୁଇ ବିଧାୟକଙ୍କ ଉପସ୍ଥିତିରେ ସହରର ବୁଦ୍ଧଜିବୀ,ଯାତ୍ରା କମିଟି କାର୍ଯ୍ୟକର୍ତ୍ତା ଏବଂ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏକ ମିଳିତ ବୈଠକ କରାଯାଇ ଚାଲି ଆସୁଥିବା ଲୋକଙ୍କ ଗଣପର୍ବର ପରମ୍ପରାରେ କୌଣସି ବ୍ୟାଘାତ ସୃଷ୍ଟି କରାନଯିବାକୁ ଆଲୋଚନା କରାଯିବା ପାଇଁ ନାଟ୍ୟ ସଂସଦ ପକ୍ଷରୁ ଦାବି କରାଯାଇଛି । ଜିଲା ଷ୍ଟାଡିୟମରେ ଅନ୍ୟ କାର୍ଯ୍ୟକ୍ରମ କରାଗଲେ ଖେଳରେ ବ୍ୟାଘାତ ହେବ ବୋଲି ଯେଉଁ ବାହାନା କରାଯାଉଅଛି ତାହା କେବଳ ଯାତ୍ରାକୁ ବିରୋଧ କରିବା ପାଇଁ ଉଦ୍ଦେଶ୍ୟମୂଳକ ଅଟେ ବୋଲି ନାଟ୍ୟ ସଂସଦ ପକ୍ଷରୁ ଅଭିଯୋଗ କରାଯିବା ସହିତ ବାରବାଟି ଭଳି ଆନ୍ତର୍ଜାତିକ ସ୍ତରର ଷ୍ଟାଡିୟମ ପଡିଆରେ କିଭଳି ଅନ୍ୟସମସ୍ତ କାର୍ଯ୍ୟକ୍ରମ କରାଯିବାକୁ ଅନୁମତି ପ୍ରଦାନ କରାଯାଉଅଛି ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଶ୍ନ କରାଯାଇଛି । ଏହି  ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମରେ ଶ୍ରୀରାମଲୀଳା ନାଟ୍ୟ ସଂସଦର ସଭାପତି ମୃତ୍ୟୁଞ୍ଜୟ ମିଶ୍ର,କାର୍ଯ୍ୟକାରୀ ସଭାପତି ଜୟନାରାୟଣ ମହାନ୍ତିଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ ।
ବୌଦ୍ଧ ରୁ ରବିନ୍ଦ୍ର ପଟ୍ଟନାୟକ ଙ୍କ ରିପୋର୍ଟ ବିଶେଷ ଖବର