ବ୍ରାହ୍ମଣୀ ନଦୀରେ ୩ୟ ବନ୍ୟା *ବ୍ୟାପକ ଅଂଚଳ ଜଳମଗ୍ନ ସିଂହଗାଁ ବାହ୍ୟଜଗତରୁ ବିଛିନ୍ନ I
ବ୍ରାହ୍ମଣୀ ନଦୀରେ ୩ୟ ବନ୍ୟା *ବ୍ୟାପକ ଅଂଚଳ ଜଳମଗ୍ନ ସିଂହଗାଁ ବାହ୍ୟଜଗତରୁ ବିଛିନ୍ନ I
କୁମ୍ଭୀର ଆତଙ୍କରେ ଥରହର ଧୋୟାଞ୍ଚଳ"!
ପଟ୍ଟାମୁଣ୍ଡାଇ ତା ୨୬/୮-ସମ୍ପ୍ରତି ବାରମ୍ବାର ଲଘୁ ଚାପଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି I ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତରେ ଚଳିତବର୍ଷର ୩ୟ ବନ୍ୟା ଜଳ ପ୍ରବେଶ କରିଛି I ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଂଚଳ ସିଂହଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇ ପଡିଛି ସିଂହଗାଁ ପଂଚାୟତର କୃଷ୍ଣଦାସପୁର ରାଉଳିଆଡିଆ, ପାଣିସାଉଁଳିଆ ଆଦି ଅଂଚଳରେ ବନ୍ୟା ଜଳ ପ୍ରବେଶ କରିଛିI ସେହିପରି ଅଳପୁଆ ପଂଚାୟତ ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ,ଶାସନ ସେଠୀସାହି, ଜେନାସାହି, ପାହାନ୍ତାସିଂହ ସାହି,ତରଡ଼ିପାଳ ପଂଚାୟତର ପୋଖରୀକୂଳ,ଗୋପାଳପୁର,ଜେନାସାହି, ବିଶ୍ୱାଳସାହି, ନାଥସାହି, ମଳିକସାହି,ଘାଗରା ଡିଆ, ପେଣ୍ଠପାଳ ପଂଚାୟତର କୂଳସାହି, କୋଳଥିଆ, ବାଲିକିରା, ଦାଣ୍ଡିସାହି,ଅଣ୍ଢରା ପଂଚାୟତର ବ୍ରହ୍ମପୁର,ବିଷ୍ଣୁପୁର, ବ୍ରାହ୍ମଣସାହି, ଦାଣ୍ଡିଉପର, ଅମୃତମଣୋହି ପଂଚାୟତର ନୂଆଡିଆ, ଜଗନ୍ନାଥପୁର, ଶାନ୍ତିପଡା, ସିଦ୍ଧବାଲି, ବଲୁରିଆ ପଂଚାୟତର ଫୁଲପାଟଣା ଆଦି ଅଂଚଳର ଶହ ଶହ ଏକର ଚାଷଜମିରେ ବନ୍ୟା ପାଣି ମାଡି ଯାଇଛି I ନିକଟ ଅତୀତ ରେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଓ ସମ୍ପ୍ରତି ବନ୍ୟା ବିପନ୍ନ ଅଂଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଘୋର ଆତଙ୍କ ସୃଷ୍ଟି ହୋଇଛିI ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ଚାଷ ଜମିରେ ବନ୍ୟା ଜଳ ମାଡିଯାଇଛିI ନିକଟରେ ଧୋୟାଞ୍ଚଳର ଚାଷୀ ମାନେ ଧାନତଳି ରୋଇ ଥିଲେ I ପୁଣି ବ୍ରାହ୍ମଣୀ ନଦୀରେ ୩ୟ ବନ୍ୟା ଆସିବା ଫଳରେ ଧାନ ତଳି ସବୁ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି I ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, କଷଣଅଣ୍ଟା, ତଳବାଲିପଡ଼ା, ସିଦ୍ଧପାଟଣା, ବଳଦେବନଗର, ତନୁପୁର, ନନ୍ଦିନୀନଗର, କାକୁଡିପଲ୍ଲୀ, ନୂଆଗାଁ ଅଳଭା, ଷଣ୍ଢପଲ୍ଲୀ ଆଦି ଅଂଚଳର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି I ବ୍ରାହ୍ମଣୀର ୩ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୫୦ହଜାର ଓ ପୌରାଞ୍ଚଳର ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି I ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ଅଧିକାଂଶ ଗ୍ରାମ୍ୟ ରାସ୍ତା ଗୁଡିକ ବୁଡିଯାଇଛି I ଗୃହପାଳିତ ପଶୁମାନେ ଗୋ ଖାଦ୍ୟ ଅଭାବରୁ ହନ୍ତସନ୍ତ ହେଉଛନ୍ତି I ବ୍ରାହ୍ମଣୀରେ ବାରମ୍ବାର ବନ୍ୟା ଆସିବା ଫଳରେ ବ୍ୟାପକ ଫସଲହାନୀ ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି I ମୁଲିଆଶ୍ରେଣୀର ଲୋକମାନେ କାମକୁ ଯାଇନପାରି ହଇରାଣ ହେଉଛନ୍ତି I ଚଳିତ ବନ୍ୟାର ସଫଳ ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶରେ ପ୍ରଶାସନ ସଜାଗ ରହିଛିI ଗତ ୨ଥର ବ୍ରାହ୍ମଣୀ ବନ୍ୟା ରେ ବ୍ୟାପକ ଫସଲହାନୀ ଯୋଗୁଁ ଧୋଆଞ୍ଚଳର ଚାଷୀମାନେ ବ୍ୟାପକ କ୍ଷତି ସହି ଥିବା ବେଳେ ୩ୟ ବନ୍ୟା ପରିସ୍ଥିତି ସେମାନଙ୍କୁ ଦାଣ୍ଡର ଭିକାରୀ ସଜାୟୀବାକୁ ଯାଉଛିI ବ୍ରାହ୍ମଣୀରେ ବନ୍ୟା ଜଳ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ଧୋୟାଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡିଛନ୍ତି I ଏହାଛଡା କୁମ୍ଭୀର ଭୟ ଲୋକମାନଙ୍କୁ ଅଧିକ ଆତଙ୍କିତ କରିଛି I ରିପୋର୍ଟ ଲେଖା ହେବା ବେଳକୁ ଅଳଭା ଠାରେ ବନ୍ୟା ଜଳ ପତ୍ତନ ୧୬ଫୁଟ ରହିଛି I



