ତୀର୍ଥଯାତ୍ରା ରେ ବୁଲିବେ ବରିଷ୍ଠ ନାଗରିକ ଅଯୋଧ୍ୟା - ବାରଣାସୀ ଏବଂ ରମେଶ୍ୱରମ-ମଦୁରାଇ .

ତୀର୍ଥଯାତ୍ରା ରେ ବୁଲିବେ ବରିଷ୍ଠ ନାଗରିକ ଅଯୋଧ୍ୟା - ବାରଣାସୀ ଏବଂ ରମେଶ୍ୱରମ-ମଦୁରାଇ
ବାରିପଦା. ତା ୧୭-୦୭-୨୦୨୫. ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ସୁବିଧା ଯୋଗାଇ ଦେବା ନିମନ୍ତେ "ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା" ରେ ଚଳିତ ବର୍ଷ ମୟୁରଭଞ୍ଜ ଜିଲ୍ଲାରୁ ୩୯୮ ଜଣ ବରିଷ୍ଠ ନାଗରିକ ଏହି ସୁଯୋଗ ପାଇ ପାରିବେ.ଏଥିପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ଜଣେ ତୀର୍ଥ ଯାତ୍ରୀ ଙ୍କ ପାଇଁ ଟ.୨୧,୦୦୦/-ଙ୍କା ଖର୍ଚ୍ଚ କରା ଯିବା ନେଇ ସ୍ଥିର କରାଯାଇଛି.ଏହି ତୀର୍ଥ ଯାତ୍ରା ଉଦେଶ୍ୟରେ ପ୍ରଥମ ପର୍ଯ୍ୟାୟ ରେ ଏକ ସ୍ୱତନ୍ତ୍ର ରେଳ ବାଲେଶ୍ୱର ରେଳ ଷ୍ଟେସନ ରୁ ତା ୦୭-୧୧-୨୦୨୫ରିଖ ରୁ ୧୨-୧୧-୨୦୨୫ ରିଖ ପର୍ଯ୍ୟନ୍ତ ୬ ଦିନ ପାଇଁ ଅଯୋଧ୍ୟା-ବାରଣାସୀ ଓ ଦ୍ଵିତୀୟ ପର୍ଯ୍ୟୟରେ ତା ୭-୦୧-୨୦୨୬ ରୁ ତା ୧୨-୦୧-୨୦୨୬ ରିଖ ପର୍ଯ୍ୟନ୍ତ ୬ ଦିନ ପାଇଁ ରାମେଶ୍ୱରମ -ମଦୁରାଇ ଅଭିମୁଖେ ଯାତ୍ରା କରିବ. ଯୋଜନା ର ସମ୍ପୂର୍ଣ୍ଣ ବିବରଣୀ ପର୍ଯ୍ୟଟନ ବିଭାଗ ୱେବସାଇଟwww.odishatourism.gov.in ରେ ଉପଲବ୍ଧ. ଏହି ଯୋଜନା ରେ ସୁବିଧା ପାଇବା ପାଇଁ କେତେ ଗୁଡିଏ ମାନଦଣ୍ଡ ନିର୍ଧାରଣ କରାଯାଇଛି. ତନ୍ମଧ୍ୟରୁ ଯୋଗ୍ୟ ବରିଷ୍ଠ ନାଗରିକ ମାନେ ସମଗ୍ର ଜୀବନ କାଳ ମଧ୍ୟରେ ଗୋଟିଏ ଥର ଯାତ୍ରା ପାଇଁ ସୁଯୋଗ ପାଇ ପାରିବେ. ଆଗ୍ରହୀ ବରିଷ୍ଠ ନାଗରିକଙ୍କ ବୟସ ୬୦ ବର୍ଷ ରୁ ଉର୍ଦ୍ଧ ଓ ୭୫ ବର୍ଷ ରୁ କମ ହୋଇଥିବା ସହ ଓଡିଶା ର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ. ଆର୍ଥିକ ଦୁର୍ବଳ ଶ୍ରେଣୀ ତଥା ଦାରିଦ୍ର ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକ ଙ୍କ ପାଇଁ ସମ୍ପୂର୍ଣ୍ଣ ଗସ୍ତ ଖର୍ଚ୍ଚ ସରକାର ଙ୍କ ତରଫରୁ ବହନ କରାଯିବା ର ବ୍ୟବସ୍ଥା କରାଯାଇଛି.୭୦ ରୁ ୭୫ ବର୍ଷ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ଯାତ୍ରା ସମୟ ରେ ୧୮ ବର୍ଷ ରୁ ଉର୍ଦ୍ଧ ଜଣେ ବ୍ୟକ୍ତିଙ୍କୁ ନିଜର ସହାୟକ ଭାବେ ସାଙ୍ଗରେ ନେଇପାରିବେ ଏବଂ ଏଥିପାଇଁ ସମ୍ପୃକ୍ତ ବରିଷ୍ଠ ନାଗରିକ ତା'ଙ୍କ ସହାୟକଙ୍କ ଗସ୍ତଖର୍ଚ୍ଚ ର ୫୦ ଭାଗ ଅର୍ଥ ବ୍ୟାଙ୍କ ଡ୍ରାଫ୍ଟ ଆକାର ରେ ଦରଖାସ୍ତ ସହ ନିର୍ଦେଶକ, ପର୍ଯ୍ୟଟନ ବିଭାଗ, ଭୁବନେଶ୍ୱର ଙ୍କ ନାମରେ ଦାଖଲ କରିବେ. ଆୟକର ଦାତା ବରିଷ୍ଠ ନାଗରିକ ମାନେ ଏହି ଯୋଜନା ପରିସର ଭୁକ୍ତ ହେବେନାହିଁ.ଦୂରଯାତ୍ରା କରିବା ପାଇଁ ବରିଷ୍ଠ ନାଗରିକ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ହୋଇଥିବା ଆବଶ୍ୟକ ଏବଂ ସେ କୌଣସି ସଂକ୍ରାମକ ରୋଗ ଯଥା ଯକ୍ଷ୍ମା, କୁଷ୍ଠ, ଆଜମା, ଶ୍ୱାସଜନିତ ରୋଗ ଓ ହୃଦରୋଗ ଦ୍ୱାରା ଆକ୍ରାନ୍ତ ହୋଇନଥିବା ଆବଶ୍ୟକ। ଆଗ୍ରହୀ ବରିଷ୍ଠ ନାଗରିକ ମାନେ ନିର୍ଦ୍ଧାରିତ ଫର୍ମ ପୂରଣ କରି ଫର୍ମ ସହିତ ନିଜର ଫୋଟ, ସ୍ଥାୟୀ ଠିକଣା ର ପ୍ରମାଣ ପତ୍ର, ଆଧାର କାର୍ଡ, ବୟସ ପ୍ରମାଣ ପତ୍ର ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ସଂକ୍ରାନ୍ତିୟ ପ୍ରମାଣ ପତ୍ରର ନକଲ ସହିତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ମୟୁରଭଞ୍ଜଙ୍କ କାର୍ଯ୍ୟାଳୟରେ ତା ୧୫-୦୮-୨୦୨୫ରିଖ ସୁଦ୍ଧା ବ୍ୟକ୍ତିଗତ ଭାବେ କିମ୍ବା ଡାକ ଯୋଗେ ଦାଖଲ କରିପାରିବେ। ଏତଦ ବ୍ୟତୀତ ଅନଲାଇନ ଲିଙ୍କ yatra. odisha.gov. in ମାଧ୍ୟମରେ ମଧ୍ୟ ଫର୍ମ ଦାଖଲ କରି ପାରିବେ। ତୀର୍ଥଯାତ୍ରୀଙ୍କୁ ଯାତ୍ରା ପାଇଁ ରେଳରେ ୨ୟ ଶ୍ରେଣୀ ଶୟନ ( 2nd Class Sleeper) ବ୍ୟବସ୍ଥା ସହ ରେଳ ଷ୍ଟେସନରୁ ତୀର୍ଥ ସ୍ଥାନକୁ ନେବା ଆଣିବା ପରିବହନ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବ। ଏଥି ସହିତ ତୀର୍ଥ ଯାତ୍ରୀଙ୍କୁ ଏକ ଟ୍ରାଭେଲ କିଟ (ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ) ଏବଂ ସ୍ୱତନ୍ତ୍ର ପରିଚୟ ପତ୍ର ଯୋଗାଇ ଦିଆଯିବ। ତୀର୍ଥ ଯାତ୍ରୀଙ୍କୁ ସକାଳ ଓ ସନ୍ଧ୍ୟାରେ ଜଳଖିଆ ସହିତ ମଧ୍ୟାହ୍ନ ଓ ରାତ୍ରିରେ ନିରାମିଷ ଭୋଜନ ଯୋଗାଇ ଦିଆଯିବ।
ଏହି ତୀର୍ଥଯାତ୍ରା ପାଇଁ ଯଦି ଆବେଦନକାରୀଙ୍କ ସଂଖ୍ୟା ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ହୁଏ ତେବେ ପ୍ରଶାସନ ସ୍ତରରେ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ କମିଟି ଜରିଆରେ ଲଟେରୀ କରାଯାଇ ଉପଯୁକ୍ତ ଚୟନ ପ୍ରଣାଳୀ ଦ୍ୱାରା ତୀର୍ଥଯାତ୍ରା ପାଇଁ ଯୋଗ୍ୟ ବିବେଚିତ ବରିଷ୍ଠ ନାଗରିକକୁ ଚୟନ କରାଯାଇ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ଠିକଣାରେ ଜଣାଇ ଦିଆଯିବ ଏବଂ ପରବର୍ତୀ ସମୟ ରେ ଏହି ଯାତ୍ରା ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇ ଜିଲ୍ଲା ର ବରିଷ୍ଠ ନାଗରିକ ମାନଙ୍କୁ ତୀର୍ଥଯାତ୍ରା ରେ ପଠାଯିବ।
ଆବେଦନ ପାଇଁ ଆବେଦନକାରି ଯଦି କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଅଶ୍ୱିନୀ ମିଶ୍ରଙ୍କ ସହିତ ମୋବାଇଲ ନମ୍ବର ୯୦୪୦୭୩୭୪୮୧ ଜରିଆରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ପ୍ରକାଶ କରିଛନ୍ତି