ରେଳ ମନ୍ତ୍ରୀଙ୍କୁ ଭେଟିଲେ ମୟୂରଭଞ୍ଜ ପ୍ରତିନିଧି ଦଳ I

-ବାରିପଦା-ପୁରୀ ରେଳ ସମ୍ପର୍କ ସୁଧାର ନେଇ-
-ନୂଆଦିଲ୍ଲୀରେ ଆଲୋଚନା-
-ଶ୍ରୀମତୀ ମହାନ୍ତ ଓ ଶ୍ରୀ ଶତପଥୀଙ୍କ ନେତୃତ୍ୱରେ-
-ରେଳ ମନ୍ତ୍ରୀଙ୍କୁ ଭେଟିଲେ ମୟୂରଭଞ୍ଜ ପ୍ରତିନିଧି ଦଳ-
ବାରିପଦା: ବାରିପଦା-ପୁରୀ ମଧ୍ୟରେ ରେଳ ଯୋଗାଯୋଗ ସ୍ଥିତିରେ ସୁଧାର ଓ ସ୍ୱାଭାବିକତା ଆଣିବା ଦୃଷ୍ଟିରୁ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀରେ ବିସ୍ତୃତ ବିଚାର, ଆଲୋଚନା ହୋଇଯାଇଛି। ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାର ଏକ ସାତ-ଜଣିଆ ପ୍ରତିନିଧି ଦଳ ନୂଆଦିଲ୍ଲୀ ସ୍ଥିତ ରେଳ ଭବନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏ ସମ୍ପର୍କିତ ସମସ୍ତ ବିଷୟରେ ବିଶଦ ଚର୍ଚ୍ଚା କରିଥିବା ଏବଂ ଶ୍ରୀ ବୈଷ୍ଣବ ଏ ସନ୍ଦର୍ଭରେ ସକରାତ୍ମକ ସଂକେତ ଦେଇଥିବା ସୁଚନା ମିଳିଛି।
ଅନ୍ୟୂନ ଦୁଇଟି ସାଧାରଣ କୋଚ୍ ଓ କିଛି ଶୟନ କୋଚ୍ ଯୋଡ଼ାଯାଇ ଭଂଜପୁର(ବାରିପଦା)- ପୁରୀ ଟ୍ରେନ (୦୮୦୧୧ ଓ ୦୮୦୧୨) କୁ ନିୟମିତ ଚଳାଚଳ କରାଇବା, ଜନସାଧାରଣଙ୍କ କ୍ରମବର୍ଦ୍ଧିଷ୍ଣୁ ଚାହିଦା ଦୃଷ୍ଟିରୁ ବାରିପଦା-ପୁରୀ ମଧ୍ୟରେ ଏକ ନୂତନ ଦୈନିକ ଟ୍ରେନ ଚଳାଇବା, ଭଂଜପୁର-ରୁପସା ମେମୁ ଟ୍ରେନ (୦୮୦୭୪ ଓ ୦୮୦୭୬) ର ଗତିପଥକୁ ବାଲେଶ୍ବର ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବା ଏବଂ ବାଙ୍ଗରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ (୧୨୮୯୧ ଓ ୧୨୮୯୨) ର ଚଳାଚଳରେ ସମାୟାନୁବର୍ତ୍ତିତା ରକ୍ଷା କରିବା ଆଦି ନେଇ ପ୍ରତିନିଧି ଦଳର ସଦସ୍ୟମାନେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।
ମୟୂରଭଞ୍ଜ ଜିଲ୍ଲା ତଥା ଉତ୍ତର ଓଡ଼ିଶାର ବୃହତ୍ତର ସ୍ୱାର୍ଥ ସମ୍ବଳିତ ଏସବୁ ପ୍ରସଙ୍ଗ ସାଙ୍ଗକୁ ଭଂଜପୁର ରେଳ ଷ୍ଟେସନରେ ସଂରକ୍ଷଣ କାଉଣ୍ଟର ଖୋଲାଯିବା, ବାରିପଦା ଷ୍ଟେସନରେ ସୁବିଧାସୁଯୋଗ-ଯୁକ୍ତ ନୂତନ ପ୍ରତୀକ୍ଷାଳୟର ବ୍ୟବସ୍ଥା କରିବା ଏବଂ ଉଭୟ ବାରିପଦା ଓ ରାଇରଙ୍ଗପୁର ରେଳ ଷ୍ଟେସନ ପରିସରରେ ପ୍ରାତଃସ୍ମରଣୀୟ ପୁଣ୍ୟଶ୍ଳୋକ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଆଦି ନେଇ ମଧ୍ୟ ଏହି ସାକ୍ଷାତ ଆଲୋଚନା ବେଳେ ପ୍ରତିନିଧି ଦଳ ପକ୍ଷରୁ ଦାବି କରାଯାଇଥିଲା। ମନ୍ତ୍ରୀ ସମସ୍ତ ବିଷୟ ଧ୍ୟାନ ଦେଇ ଶୁଣିବା ସହ ସମସ୍ୟା ତଥା ଦାବିଗୁଡ଼ିକ ନେଇ ସକରାତ୍ମକ ଆଭିମୁଖ୍ୟ ପୋଷଣ ପୂର୍ବକ ଯଥୋଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶ୍ୱାସନା ଦେଇଥିବା ପ୍ରତିନିଧି ଦଳ ସୂତ୍ରରୁ ପ୍ରକାଶ।
ପ୍ରତିନିଧି ଦଳରେ ଶ୍ରୀମତୀ ମହାନ୍ତ ଓ ଶ୍ରୀ ଶତପଥୀଙ୍କ ବ୍ୟତୀତ ବିଜେପିର ବରିଷ୍ଠ ନେତା ଲକ୍ଷ୍ମୀଧର ହାବୋଡା, ବିଜୟ କୁମାର ଦାସ, ଜ୍ଞାନ ରଞ୍ଜନ ଜେନା, ତରୁଣ କୁମାର ପାଲବାବୁ ଓ ବିକାଶ ରଂଜନ ବାରିକ ପ୍ରମୁଖ ସାମିଲ ହୋଇଥିବା ଜଣାଯାଇଛି। ପ୍ରତିନିଧି ଦଳ ଉତ୍ଥାପନ କରିଥିବା ପ୍ରସଙ୍ଗ ଗୁଡ଼ିକ ନେଇ ରେଳ ବିଭାଗ ପକ୍ଷରୁ ସକରାତ୍ମକ ପଦକ୍ଷେପ ନିଆଗଲେ ମୟୂରଭଞ୍ଜ ଜିଲ୍ଲାରେ ରେଳର ଉନ୍ନତି ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା-ବିକାଶ ବୋଲି ସଚେତନ ମହଲରେ ବିଶ୍ୱାସ କରାଯାଉଛି।