ସହିଦ ରାଜକିଶୋର ମୁଣ୍ଡା ଅମର ରହେ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହେଲା।

ସହିଦ ରାଜକିଶୋର ମୁଣ୍ଡା ଅମର ରହେ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହେଲା।
କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଯୁବକ ରାଜକିଶୋର ମୁଣ୍ଡା ସେନାରେ କାର୍ଯ୍ୟ କରୁଥିବା ବେଳେ ବୀରଗତି ଲାଭ କରିଥିବାରୁ କେନ୍ଦୁଝର ଜିଲ୍ଲାରେ ଶୋକ ଖେଳିଯାଇଥିଲା। ଆଜି ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କର ପାର୍ଥିବ ଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ସେଠାରୁ ବିଦାୟ ଦିଆ ଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଶେଷ ସମ୍ମାନ ଜଣାଇଥିଲେ। ସେଠାରୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଆସିବା ବାଟରେ ଲୋକେ ସହିଦ ବୀରଙ୍କୁ ସମ୍ମାନ ଜଣାଇଥିଲେ। ସୂଚନା ମିଳିଛି କି ରାଜକିଶୋର ମୁଣ୍ଡା ସେନାର ବିହାର ରେଜିମେଣ୍ଟର ୬ଷ୍ଠ ବାଟାଲିୟନରେ ହାବିଲଦାର ଥିଲେ ସେ ସେନା ଯାନ ଚଳାଉଥିଲେ। ତେବେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ସେନା ଲୋକଙ୍କୁ ନେଇ ଯାଉଥିବା ବେଳେ ପର୍ବତରେ ଭୂସ୍ଖଳନ ଲାଗି ଗାଡ଼ି ଧକ୍କା ହେବାକୁ ଚାପି ହୋଇ ପ୍ରାଣ ହରାଇଥିଲେ। ସେନା ଲାଗି ସେ ନିଜ କର୍ତ୍ତବ୍ୟ କରୁଥିବା ବେଳେ ପ୍ରାଣ ହରାଇ ଥିବାରୁ ଜିଲ୍ଲାରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦିଦଙ୍କ ଶରୀର ୧୨ଟା ୩୦ରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ସମ୍ମାନ ଜଣାଇଥିଲେ। ଏହାପରେ ପୂର୍ବତନ ସେନା ବାହିନୀ କର୍ମଚାରୀଙ୍କ ପକ୍ଷରୁ ମେଜର ବଳଭଦ୍ର ସାହୁ, ବିଜୟ କୁମାର ରଣା, ବିଧାନ ପଟ୍ଟନାୟକ ଆଦି ସମ୍ମାନ ଜଣାଇ ସାଲ୍ୟୁଟ ମାରିଥିଲେ। ବିଭିନ୍ନ ରାଜନେତା ଓ ଜନଜାତି ପ୍ରତିନିଧି ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏକ ସଜ୍ଜିତ ସେନା ଗାଡ଼ିରେ ପାର୍ଥିବ ଶରୀର କେନ୍ଦୁଝର ସହରରୁ ପଦ୍ମପୁର ଦେଇ ଶହୀଦଙ୍କ ଗାଁ ନୂଆଗାଁ ଯାଉଥିଲା। ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ହଜାର ହଜାର ଲୋକ ସମବେତ ହୋଇଥିଲେ। ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର ହୋଇଥିଲା। ପୋଲିସ ପକ୍ଷରୁ ତୋପ ସଲାମୀ ଦିଆଯାଇଥିଲା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ଓ ଏସପି ଶ୍ରୀ ନୀତିନ କୁଶଳକର ଦାଗୁଡୁ ଉପସ୍ଥିତ ରହି ସହିଦଙ୍କ ଅନ୍ତିମ ସମ୍ମାନ ଜଣାଇଥିଲେ।କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ସୁଢଳ କୁମାର ସେଠୀ ଙ୍କ ରିପୋର୍ଟ୍ ବିଶେଷ ଖବର l