୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ବୌଦ୍ଧରେ ବ୍ୟାପକ ପ୍ରସ୍ତୁତି ।
*ଶୃଙ୍ଖଳିତ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପାଳନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ ।*
ବୌଦ୍ଧ:୨୪/୭(ରବିନ୍ଦ୍ର ପଟ୍ଟନାୟକ)ଜାତୀୟ ଗୌରବ, ସ୍ୱାଧୀନତା ସଂଗ୍ରାମୀଙ୍କ ଅମର ତ୍ୟାଗ ଓ ଦେଶପ୍ରେମର ମହାନ ପରମ୍ପରାକୁ ସ୍ମରଣ କରି ବୌଦ୍ଧ ଜିଲ୍ଲାରେ ୮୦ତମ ସ୍ୱାଧୀନତା ଦିବସକୁ ଚଳିତ ବର୍ଷ ଅତ୍ୟନ୍ତ ଗାମ୍ଭୀର୍ଯ୍ୟ, ଶୃଙ୍ଖଳା ଓ ଜନସହଭାଗିତା ସହିତ ପାଳନ କରାଯିବ। ଏଥିନିମନ୍ତେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖା ଚୂଡ଼ାନ୍ତ କରାଯାଇଛି।
ବୈଠକରେ ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ଜିଲ୍ଲାପାଳ କହିଥିଲେ ଯେ, ସ୍ୱାଧୀନତା ଦିବସ କେବଳ ଏକ ଔପଚାରିକ ଉତ୍ସବ ନୁହେଁ; ଏହା ଦେଶ ପାଇଁ ସର୍ବସ୍ୱ ଉତ୍ସର୍ଗ କରିଥିବା ଅମର ସଂଗ୍ରାମୀମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ପବିତ୍ର ଅବସର। ତେଣୁ ପ୍ରତ୍ୟେକ କାର୍ଯ୍ୟକ୍ରମ ସମୟାନୁବର୍ତ୍ତିତା, ଶୃଙ୍ଖଳା ଓ ମର୍ଯ୍ୟାଦାର ସହିତ ସମ୍ପନ୍ନ କରିବାକୁ ସେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ବିଭିନ୍ନ ସଦସ୍ୟଙ୍କ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ଓ ଜନମୁଖୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ନିଷ୍ପତ୍ତି ଅନୁଯାୟୀ, ୧୫ ଅଗଷ୍ଟ ପ୍ରଭାତ ୪.୩୦ ମିନିଟ ରେ ସମଗ୍ର ସହରରେ ରାମଧୂନ ପରିବେଷଣ ମାଧ୍ୟମରେ ଦିବସର ଶୁଭାରମ୍ଭ ହେବ। ପରେ ପ୍ରଭାତ ୬ଟାରୁ ୬.୩୦ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ପ୍ରଭାତଫେରି ଆୟୋଜନ କରାଯିବ। ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ମହାନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସେମାନଙ୍କ ଅବଦାନକୁ ସ୍ମରଣ କରାଯିବ।ସକାଳ ୭ଟାରୁ ୭.୩୦ ମଧ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ଏବଂ ଜାତୀୟ ସଙ୍ଗୀତ ଗାନ କରାଯିବ। ଏହାପରେ ସକାଳ ୯.୧୫ ସମୟରେ ସ୍ଥାନୀୟ ଷ୍ଟାଡିୟମରେ ମୁଖ୍ୟ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହେବ। ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିବେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ସ୍ୱାଧୀନତାର ସ୍ମୃତିକୁ ଜୀବନ୍ତ କରିବେ।
ବୈଠକରେ ପ୍ୟାରେଡ୍ ପଡ଼ିଆର ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ବ୍ୟାରିକେଡ୍, ଟ୍ରାଫିକ୍ ପରିଚାଳନା, ପାନୀୟଜଳ, ବିଦ୍ୟୁତ, ପରିଷ୍କାର-ପରିଚ୍ଛନ୍ନତା, ସ୍ୱାସ୍ଥ୍ୟସେବା, ଅସ୍ଥାୟୀ ଟେଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ସମୀକ୍ଷା କରାଯିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା।ଚଳିତ ବର୍ଷର ସ୍ୱାଧୀନତା ଦିବସକୁ ବୌଦ୍ଧ ଜିଲ୍ଲାରେ ଏକ ସ୍ମରଣୀୟ ଓ ଅନୁକରଣୀୟ ଜନଉତ୍ସବ ଭାବେ ପାଳନ କରିବାକୁ ବୈଠକରେ ସର୍ବସମ୍ମତି ପ୍ରକାଶ ପାଇଥିଲା।


admin 
