ଆନ୍ତଃଜିଲ୍ଲା ସାହାଣି କପ୍‌ ଫୁଟ୍‌ବଲ୍‌ ଚଂପିଆନସିପ ଉଦ୍‌ଘାଟିତ .

ଆନ୍ତଃଜିଲ୍ଲା ସାହାଣି କପ୍‌ ଫୁଟ୍‌ବଲ୍‌ ଚଂପିଆନସିପ ଉଦ୍‌ଘାଟିତ .

ଆନ୍ତଃଜିଲ୍ଲା ସାହାଣି କପ୍‌ ଫୁଟ୍‌ବଲ୍‌ ଚଂପିଆନସିପ ଉଦ୍‌ଘାଟିତ .

ଓଡିଶା ଫୁଟବଲ ଆସୋସିଏସନ ଓ ରାଜ୍ୟ କ୍ରୀଡା ଯୁବ ବ୍ୟାପାର ବିଭାଗ ସହାୟତାରେ ବୌଦ୍ଧ ଜିଲ୍ଲା ଏଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ୬୪ତମ ଆନ୍ତଃ ଜିଲ୍ଲା ସାହାଣି କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ଆଜି ଉଦଘାଟିତ ହୋଇଯାଇଛି  । ଗ୍ରୁପ ‘ବି’ର ଆଜି ୨ଟି ମ୍ୟାଚ ଥିବାବେଳେ ପ୍ରଥମ ମ୍ୟାଚ କନ୍ଧମାଳ ଓ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଓ ଉପ-ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ପତାକା ଦେଖାଇ ଟୁର୍ନାମେଣ୍ଟର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲେ  । ଖେଳ ସଂଘର୍ଷପୂର୍ଣ୍ଣ ଥିବାବେଳେ ପ୍ରଥମାର୍ଦ୍ଧରେ କେହିକାହାରିକୁ ଗୋଲ୍‌ ଦେଇନଥିଲେ  । ଦ୍ୱିତୀୟାର୍ଦ୍ଧରେ ସମ୍ବଲପୁର କନ୍ଧମାଳକୁ ୩ଟି ଗୋଲ୍‌ ଦେଇ ବିଜୟୀ ହୋଇଥିଲା  । ସମ୍ବଲପୁର ଦଳର ୨ନଂ ଜର୍ସି ପରିଧାନ କରିଥିବା ପୀତ୍ରା ମୁଣ୍ଡା ଗୋଟିଏ ଗୋଲ୍‌ ଦେଇଥିବାବେଳେ ୧୫ ନଂ ଜର୍ସିରେ ପ୍ରଶାନ୍ତ ଓରାମ ଓ ୧୮ ନଂ ଜର୍ସିରେ ଥିବା ଛବିଳ କିଷାନ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ  । ପ୍ରଥମ ମ୍ୟାଚରେ ମୁଖ୍ୟରେଫରୀ ଭାବେ ପ୍ରଶାନ୍ତ କୁମାର ବେହେରା ମ୍ୟାଚ ପରିଚାଳନା କରିଥିବାବେଳେ ଲାଇନରେ ଜିତେନ୍ଦ୍ରୀୟ ଥନାପତି ଓ ଦେବାଶିଷ ବାଗ ସହାୟତା କରିଥିଲେ । ଚତୁର୍ଥ ରେଫରୀ ଭାବେ ସଞ୍ଜନ କୁଦେଇ ଦାୟିତ୍ୱ ତୁଲାଇଥିଲେ । ସମ୍ବଲପୁର ଦଳର ପ୍ରଶାନ୍ତ ଓରାମଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିଲା  । ସେହିପରି ଦ୍ୱିତୀୟ ମ୍ୟାଚ ବୌଦ୍ଧ ଓ ନୂଆପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ଏଥିରେ ବୌଦ୍ଧ ଦଳ ନୂଆପଡାକୁ ଗୋଟିଏ ଗୋଲ୍‌ ଦେଇ ବିଜୟୀ ହୋଇଥିଲା  । ଖେଳର ପ୍ରଥମାର୍ଦ୍ଧରେ ବୌଦ୍ଧର ଜର୍ସି ନଂ ୧୭ ସମୀର ପ୍ରଧାନ ଗୋଟିଏ ଗୋଲ୍‌ ଦେଇ ଦଳକୁ ବିଜୟୀ କରିଥିଲେ  । ଆଜିର ଉଦଘାଟନୀ ଉତ୍ସବରେ ୬୪ ତମ ସାହଣୀ କପ ଆବାହକ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମୂଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, କନ୍ଧମାଳ ସାଂସଦ କ୍ଷେତ୍ରୀୟ ପ୍ରତିନିଧି ଦୁର୍ଗାମାଧବ ଆଚାର୍ଯ୍ୟ, ସନ୍ତୋଷ ଟ୍ରଫି ଖେଳାଳୀ ସତ୍ୟପ୍ରକାଶ ଦାଶ ପ୍ରମୁଖ ଯୋଗ ଦେଇଥିଲେ  । ଜିଲ୍ଲା ଏଥଲେଟିକ ଆସୋସିଏସନର ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ ଅତିଥିମାନଙ୍କ ସହିତ ମଂଚାସୀନ ଥିଲେ  । ଦ୍ୱିତୀୟ ମ୍ୟାଚକୁ ମୁଖ୍ୟରେଫରୀ ଭାବେ ରୋଶନ ଖାନ ପରିଚାଳନା କରିଥିବାବେଳେ ଲାଇନରେ ସୂର୍ଯ୍ୟନାରାୟଣ ମିର୍ଦ୍ଧା ଓ ସୋମନାଥ ମୁର୍ମୁ ସହାୟତା କରିଥିଲେ  । ସେହିପରି ଚତୁର୍ଥ ରେଫରୀ ଭାବେ ଧନେଶ୍ୱର ସର୍ଦ୍ଦାର ଦାୟିତ୍ୱ ତୁଲାଇଥିଲେ  । ଉଭୟ ମ୍ୟାଚ କମିଶନର ଭାବେ ଦୁର୍ଗାମାଧବ ନାୟକ ପରିଚାଳନା କରିଥିଲେ  । ଆଜିର ଉଦଘାଟନୀ ମ୍ୟାଚକୁ ବୌଦ୍ଧ ତଥା ଆଖପାଖ ଅଞ୍ଚଳରୁ ହଜାରହଜାର ସଂଖ୍ୟାରେ ଦର୍ଶକ ଖେଳକୁ ଉପଭୋଗ କରିଥିଲେ  । ଆସନ୍ତାକାଲି ଗ୍ରୁପ ‘ଏ’ର ପ୍ରଥମ ମ୍ୟାଚ ବରଗଡ ଓ କଳାହାଣ୍ଡି ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ ଦେବଗଡ ଓ ନୟାଗଡ ମଧ୍ୟରେ ଅନୁଷ୍ଠିତ ହେବ  ।