ଉଦୁଲିବେଡାରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬-୨୭’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱ

ଉଦୁଲିବେଡାରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬-୨୭’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଥିଲି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ଉଦୁଲିବେଡାସ୍ଥିତ ପିଏମ୍‌ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬-୨୭’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ, ସୃଜନଶୀଳତାର ବିକାଶ ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।

ଏହି ଅବସରରେ ଉଦୁଲିବେଡା ସରପଞ୍ଚ ଦେବାନନ୍ଦ ଖୁଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମିତି ସଭ୍ୟ ପି. ରାମେଶ୍ୱର ରାଓ, କ୍ଲଷ୍ଟର ସିଆରସିସି ମନୋଜ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଦ୍ମନ ନାୟକ ଏବଂ ବରିଷ୍ଠ ଶିକ୍ଷକ ଚିତ୍ରସେନ ଯାଦବ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ଶୁଭାରମ୍ଭ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ସହ ହୋଇଥିଲା। ଏହାପରେ ସ୍ୱାଗତ ଭାଷଣ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ଅତିଥିମାନେ ନିଜ ଅଭିଭାଷଣରେ ‘ସୁରଭି’ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ଲୁଚି ରହିଥିବା ପ୍ରତିଭାକୁ ଚିହ୍ନଟ କରି ତାହାର ବିକାଶ ପାଇଁ ଉପଯୁକ୍ତ ସୁଯୋଗ ସୃଷ୍ଟି କରିବା ହିଁ ‘ସୁରଭି’ର ମୂଳ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ।

ଏହି କ୍ଲଷ୍ଟର ଅଧୀନରେ ଥିବା ୧୨ଟି ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଏଥିରେ ଚିତ୍ରାଙ୍କନ, ବକ୍ତୃତା, ତର୍କ, ସଙ୍ଗୀତ, କୁଇଜ୍‌, ପ୍ରବନ୍ଧ ରଚନା ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରି ନିଜ ନିଜର ଦକ୍ଷତା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ।

ପ୍ରଧାନଶିକ୍ଷକ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗରେ ପ୍ରତିଯୋଗିତାଗୁଡ଼ିକ ସୁଚାରୁ ଓ ନିରପେକ୍ଷ ଭାବେ ସମ୍ପନ୍ନ ହୋଇଥିଲା। ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା।

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ ଆୟୋଜିତ ହୋଇଥିଲା। ଶେଷରେ ପ୍ରଧାନଶିକ୍ଷକ ସଞ୍ଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସାମୂହିକ ଉଦ୍ୟମ ଏବଂ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ଏହା ସାଧାରଣରେ ପ୍ରଶଂସିତ ହୋଇଛି। ଏଭଳି ଶିକ୍ଷାମୂଳକ ଓ ସୃଜନଶୀଳ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।

(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)