ଖଣ୍ଡପଡ଼ା ରେ ମିଳୁନି ପେଟ୍ରୋଲ ଓ ଡିଜେଲ ପେଟ୍ରୋଲ ପମ୍ପରେ ତାଲା ଝୁଲୁଛି
ଖଣ୍ଡପଡ଼ା ୧୬|୫ (ରଜତ ଦାସ୍) ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ଅବସ୍ଥିତ ୮ ଟି ପେଟ୍ରୋଲ ଟାଙ୍କିରେ ଗତ ୨ ଦିନ ଧରି ପେଟ୍ରୋଲ ଓ ଡିଜେଲ ମିଳୁନଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଗତ ୨ ଦିନ ତଳେ ସମସ୍ତ ଟାଙ୍କିରେ ତେଲ ପକାଇବା ନିମନ୍ତେ ବାଇକ ଓ କାର ଚାଳକଙ୍କ ଠାରୁ ଆରମ୍ଭ କରି ଗାଁ ଗାଁ ରେ କଳାବଜାରରେ ପେଟ୍ରୋଲ ବିକ୍ରୀ କରୁଥିବା ବ୍ୟବସାୟୀମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ବ୍ୟବସାୟୀମାନେ ଟାଙ୍କିରୁ ଶହ ଶହ ଲିଟର ପେଟ୍ରୋଲ ପ୍ଲାଷ୍ଟିକ ଜାରକିନରେ ବୋହି ନେଇଥିଲେ। ଏପରିକି ରାତି ୧୧ ଟା ପର୍ଯ୍ୟନ୍ତ ତେଲ ଟାଙ୍କିରେ ଜନସାଧାରଣ ଓ ବ୍ୟବସାୟୀମାନଙ୍କର ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା। ଠିକ ୨ ଦିନ ପରେ ଟାଙ୍କିରେ ତେଲ ନଥିବାରୁ ପେଟ୍ରୋଲ ଟାଙ୍କି ଗୁଡିକରେ ଏବେ ତାଲା ଝୁଲୁଥିବା ପରିଲକ୍ଷିତ ହେଉଛି। ଫଳରେ ଯାନବାହନ ଓ ବାଇକ ଚାଳକମାନେ ତେଲ ନ ପାଇ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ତେବେ ରାଜ୍ଯରେ ତୈଳର ଅଭାବ ନାହିଁ ବୋଲି ସରକାର ଘୋଷଣା କରୁଥିଲେ ହେଁ ଖଣ୍ଡପଡ଼ା ସହରସ୍ଥିତ ତ୍ରିନାଥ ଛକ,ଖଣ୍ଡପଡ଼ା- ଖଳିସାହି ରାସ୍ତାରେ ଥିବା ପେଟ୍ରୋଲ ପମ୍ପ, ବାହାଡା, ସିଂଘାପଡ଼ା,ଯୋଗିଆପଲ୍ଲୀ,କଣ୍ଟିଲୋ ସିଧାମୂଳା ଗ୍ରାମସ୍ଥିତ ପେଟ୍ରୋଲ ପମ୍ପରେ ତେଲ ନଥିବା ଜଣାପଡିଛି।ଏକ ସଙ୍ଗରେ ସମସ୍ତ ପେଟ୍ରୋଲ ପମ୍ପରେ ତେଲ ଖାଲି ହୋଇଯିବା ପରୋକ୍ଷରେ ଏହା ପେଟ୍ରୋଲ,ଡିଜେଲର କଳାବଜାରୀକୁ ପ୍ରୋତ୍ସାହନ ଦେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ତେଣୁ ବିଭିନ୍ନ ତୈଳ କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଥିବା ବେଳେ ନୟାଗଡ ଜିଲ୍ଲାପାଳ ସେଥିପ୍ରତି ଦୃଷ୍ଟି ଦେଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖଣ୍ଡପଡ଼ା ଅଞ୍ଚଳବାସୀ ଦାବି କରିଛନ୍ତି।


admin 
