ଚୁଆଁ ପାଣି ଭରସା ରେ ମଣିଷ ଏବଂ ପଶୁ ।

ଚୁଆଁ ପାଣି ଭରସା ରେ ମଣିଷ ଏବଂ ପଶୁ । ମାଲକାନଗିରି, ତା:-୦୭/୦୫ ଝରଣାର ଗୋଟିଏ ସ୍ଥାନରୁ ଉଭୟ ମଣିଷ ଓ ପଶୁ ଶୋଷ ମେଣ୍ଟାଉଛନ୍ତି | ବର୍ଷ ବର୍ଷ ଧରି ଏଭଳି ଚାଲିଥିବା ବେଳେ ଦେଖିବାକୁ କେହି ନାହିଁ I ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ | ଖଇରପୁଟ ବ୍ଲକରେ ଥିବା ଏହି ବଣ୍ଡା ଘାଟିରେ କାହିଁ କେଉଁ କାଳରୁ ରହି ଆସୁଛନ୍ତି ଆଦିମ ଜନଜାତି ବଣ୍ଡା | ଏହି ଜନଜାତିଙ୍କ ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ପ୍ରୟାସ ଜାରି ରହିଥିବା ବେଳେ ବି ଡି ଏ ନାମକ ସଂସ୍ଥାକୁ ଏଠିକାର ବିକାଶ ନିମନ୍ତେ ଦୟିତ୍ବ ଦିଆଯାଇଛି । ଏହି ଜନଜାତିଙ୍କ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସୁଥିଲେ ସୁଦ୍ଧା ଆଜି ବଣ୍ଡା ଜନଜାତିଙ୍କ ପାଇଁ ପାନୀୟ ଜଳ ଏକ ମୁଖ୍ୟ ସମସ୍ୟା ପାଲଟିଛି | ଅଞ୍ଚଳର ବିକାଶ ପାଇଁ ସରକାର ନାନା ପ୍ରୟାସ କରି ସେଠାକୁ ରାସ୍ତା, ମୋବାଇଲ ସେବା, ବିଦ୍ୟାଳୟ ଭଳି ନାନା ପ୍ରକାର ର ସୁବିଧା ପହଞ୍ଚାଇ ଥିଲେ ମଧ୍ୟ ଏଠିକାର ଲୋକଙ୍କ ପାଇଁ ପାଣିର ସୁବିଧା ସଠିକ ଭାବେ ହୋଇ ପାରିନାହିଁ । ଫଳରେ ବର୍ଷ ବର୍ଷ ଧରି ଝରଣା ଉପରେ ନିର୍ଭର କରୁଛନ୍ତି ବଣ୍ଡା ଜନଜାତି ମଣିଷ | ଗୋଟିଏ ଚୁଆ ରୁ ଅନେକ ପଶୁ ପକ୍ଷୀ ଓ ମଣିଷ ପିଉଛନ୍ତି ପାଣି | ବଣ୍ଡାଘାଟିର ଅଁଡ୍ରାହାଲ ଓ ମୁଦୁଲିପଡା ପଞ୍ଚାୟତରେ ମୋଟ ୩୨ ଗାଁ ରହିଛି। ସରକାରୀ ରେକର୍ଡରେ ଘାଟିରେ ୬୦ରୁ ୭୦ଟି ନଳକୂପ ରହିଛି। କିନ୍ତୁ ସେଥି ମଧ୍ୟରୁ କିଛି ଅଚଳ ହେଇ ରହିଛି, ଆଉ କିଛିରେ ଗୋଳିଆ ପାଣି ବାହାରୁ ଥିବାରୁ ଏହା ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଲୋକେ ଅଭିଯୋଗ କରିଛନ୍ତି | ଏମିତି ସ୍ଥିତିରେ ବାଧ୍ଯ ହୋଇ ଲୋକେ ଝରଣା, ଚୁଆଁ ଓ ନଦୀ ଉପରେ ନିର୍ଭର କରନ୍ତି I ଖରାରେ ନଦୀ ନାଳ ଶୁଖ୍ ଯାଉଥିବାରୁ ଲୋକେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି। ଏହାର ସମାଧାନ ପାଇଁ ବିଶେଷ ପଦକ୍ଷେପ ନିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି । ବଣ୍ଡାଘାଟିରେ ପ୍ରତିବର୍ଷ ଜଳ ସଂକଟର ଏପରି ଚିତ୍ର ଦେଖ‌ିବାକୁ ମିଳୁଛି। ବଣ୍ଡା ଉନ୍ନୟନ ସଂସ୍ଥା ଜନଜାତୀଙ୍କ ବିକାଶ କଥା କହୁଥିବା ବେଳେ ପାଣି ଯୋଗାଇ ଦେବାରେ ବିଫଳ ହୋଇଛି ଖଇରୁପୁଟ ବ୍ଲକ | ମୁଦୁଲିପଡା ପଞ୍ଚାୟତର ବଣ୍ଡାପଡା ଗ୍ରାମରେ ପ୍ରାୟ ୬୫ ପରିବାର ବସବାସ କରୁଥିବା ବେଳେ ଏମାନଙ୍କ ପାଇଁ ଥିବା ଗୋଟିଏ ନଳକୂପ ଅଚଳ ହୋଇ ପଡିରହିଛି | ଯାହାର ମରାମତି କିମ୍ବା ନୂତନ ନଳକୂପ ପାଇଁ ବ୍ଲକ ପ୍ରଶାସନର ନଜର ନାହିଁ | ବର୍ଷ ତମାମ ଝରଣା ପାଣି ଉପରେ ନିର୍ଭର କରି ଆସୁଛନ୍ତି ଏଠିକାର ଗ୍ରାମବାସୀ I ବ‌ହି ଯାଉଥିବା ଝରଣାରେ ଚୁଆ କରି ସେହି ପାଣିକୁ ଆଜି ପର୍ଯ୍ୟନ୍ତ ବ୍ୟବହାର କରି ଆସୁଛନ୍ତି। ଗୋଟିଏ ଚୁଆଁ ରେ ଗାଈ ଗୋରୁ, ଛେଳି ମେଣ୍ଡା, ଘୁଷୁରି ପାଣି ପିଉଥ‌ିବା ବେଳେ ପୁଣି ସେହି ଚୁଆଁ ର ପାଣି ବଣ୍ଡା ଜନଜାତି ମଣିଷ ମଧ୍ଯ ପିଉଛନ୍ତି I ତାହା ମଧ୍ୟ ଶୁଖିବାକୁ ବସିଲାଣି | ଏନେଇ ଆମେ ଖଇରପୁଟ ବିଡିଓଙ୍କୁ ପଚାରିବାରୁ ପାଣିର ବ୍ୟବସ୍ଥା କରିଦେବୁ ବୋଲି ଉତ୍ତର ଦେଇଥିଲେ । ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର .

ଚୁଆଁ ପାଣି ଭରସା ରେ ମଣିଷ ଏବଂ ପଶୁ ।