ଜିଲ୍ଲାରେ ବେଆଇନ ଗୁଟଖା; ଖଇନି କାରବାର ବଢୁଛି ।

ଜିଲ୍ଲାରେ ବେଆଇନ ଗୁଟଖା; ଖଇନି କାରବାର ବଢୁଛି ।
ମାଲକାନଗିରି ତା:-୨୯/୦୫ ଗୁଟ୍ଖା, ପାନ, ଖଇନି, ବିଡ଼ି, ସିଗାରେଟ ପରି ଦ୍ରବ୍ୟ ବ୍ୟବହାର କଲେ କ୍ୟାନସର ଜନିତ ରୋଗରେ ପୀଡ଼ିତ ହେବା ଆଶଙ୍କା ରହିଛି | ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଘୋଷଣା ପରେ ଦେଶର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସବୁ ଦ୍ରବ୍ୟ ଉପରେ କଟକଣା ଲଗାଇଛନ୍ତି। ଏହାର ବେଆଇନ ବିକ୍ରି ଉପରେ ପୁଲିସ ପକ୍ଷରୁ ଚଢ଼ଉ କରାଯାଉଛି | ଛୋଟ ବଡ଼ ବ୍ୟବସାୟୀ ଦୋକାନ ଓ ଗୋଦାମ ଗୃହ ଉପରେ ଚଢ଼ଉ କରି ବହୁ ପରିମାଣର ଗୁଟୁଖା, ଖଇନି ଓ ଅନ୍ୟ ଜର୍ଦା ଗୁଡିକ ଜବତ କରିବା ସହିତ ଅନେକ ବ୍ୟବସାୟୀଙ୍କ ଉପରେ ମୋଟା ଅଙ୍କର ଜୋରିମାନା କରୁଛି ପ୍ରଶାସନ | କିନ୍ତୁ ଏସବୁ ସତ୍ତ୍ୱେ ବ୍ୟବସାୟୀ ମାନେ ଲୁଚା ଛପାରେ ବିକ୍ରି କରିବା ସହିତ କଳା ବଜାରୀ ଦିନକୁ ଦିନ ବଢ଼ିବଢ଼ି ଚାଲିଛି | ଲୋକେ ନିଶାରେ ପଡ଼ି ଏହାକୁ କିଣୁଥିବା ବେଳେ ବେପାରୀମାନେ ମାଲାମାଲ ହେଉଛନ୍ତି । ଉପାନ୍ତ ମାଲକାନଗିରି ଜିଲ୍ଲାର ବିଭିନ୍ନ ବଜାରରେ ଏହାର ବିକ୍ରି ବହୁ ପରିମାଣରେ ଚାଲିଛି। କଳା ବଜାର କରି ଧାର୍ଯ୍ୟ ମୂଲ୍ୟ ଠାରୁ ଚଢ଼ାଦରରେ ଗୁଟ୍ଖା, ଖଇନି ଓ ଅନ୍ୟ ଦ୍ରବ୍ୟ ବେଧଡ଼କ ବିକ୍ରି ଚାଲିଛି। ଏଥିରେ ହୋଲସେଲ୍ ବେପାରୀ ମାନେ ଚଢ଼ା ଦରରେ ଖୁଚୁରା ବେପାରୀଙ୍କୁ ଦେଉଛନ୍ତି। ତେଣୁ ଛୋଟ ଛୋଟ ବ୍ୟବସାୟୀ ମାନେ ବାଧ୍ୟ ହୋଇ ଅଧିକ ଦାମରେ ବିକ୍ରି କରୁଛନ୍ତି । ଯେଉଁ ଗୁଟୁଖାର ଧାର୍ଯ୍ୟ ଦାମ ଏକ ଟଙ୍କା ରହିଛି ତାହା ବଜାରରେ ୨.୫୦ ପଇସାରେ ବିକ୍ରି ହେଉଛି। ସେହିପରି ୪ ଟଙ୍କା ଜାଗାରେ ୫ ଟଙ୍କା ଓ ୫ ଟଙ୍କା ସ୍ଥାନରେ ୭ଟଙ୍କା ବିକ୍ରି ହେଉଛି। ଗ୍ରାହକ ମାନେ ନିଶାଦ୍ରବ୍ୟ ଖାଉଥିବା ଧରାନ ପଡ଼ିବା ପାଇଁ ସାଧାରଣରେ ଏ ନେଇ ମୁହଁ ଖୋଲୁନାହାନ୍ତି | ଏହି ଦ୍ରବ୍ୟ ଉପରେ ପ୍ରଶାସନ ତରଫରୁ କୌଣସି ପ୍ରକାର କଟକଣା ଲାଗୁ ହେଉନାହିଁ ବୋଲି କଳା ବଜାରୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନେଇ କଳା ବଜାରୀ କରୁଥିବା ହୋଲସେଲ ଗୁଟ୍ଖା ବ୍ୟାପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର