ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
କେନ୍ଦ୍ରାପଡ଼ା, ଯୁବବର୍ଗଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରୋତ୍ସାହନ ଏବଂ ନିଶାମୁକ୍ତ ସମାଜ ଗଠନର ଲକ୍ଷ୍ୟ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଆୟୋଜନ କରାଯିବ। ଏହି ମହୋତ୍ସବର ସଫଳ ଆୟୋଜନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଯୁବ ମହୋତ୍ସବର ଆୟୋଜନ, ବ୍ଲକସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ପ୍ରତିଯୋଗିତା ପରିଚାଳନା, ଯୁବ ପ୍ରତିଭାଙ୍କ ଅଂଶଗ୍ରହଣ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବୈଠକରେ ନିଷ୍ପତି ଅନୁଯାୟୀ, ପ୍ରଥମେ ବ୍ଲକସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ଏହାପରେ ବ୍ଲକସ୍ତରରେ ଚୟନିତ ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଆସନ୍ତା ନଭେମ୍ବର ମାସର ପ୍ରଥମ ସପ୍ତାହରେ ଏହି ପ୍ରତିଯୋଗିତାଗୁଡ଼ିକ ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହାଦ୍ୱାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଯୁବକଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ନିମନ୍ତେ ଏକ ସୁଯୋଗ ମିଳିପାରିବ।
ଏହି ମହୋତ୍ସବରେ ଚିତ୍ରାଙ୍କନ (Painting), ଲୋକନୃତ୍ୟ (Folk Dance), ଲୋକସଙ୍ଗୀତ (Folk Song), ନୁକ୍କଡ଼ ନାଟକ (Nukkad Natak) ଏବଂ କବିତା ଲିଖନ (Poetry Writing) ସମେତ ବିଭିନ୍ନ ବିଷୟରେ ପ୍ରତିଯୋଗିତା ଆୟୋଜନ କରାଯିବ। କଳା, ସଂସ୍କୃତି, ସାହିତ୍ୟ ଓ ଅଭିନୟ କ୍ଷେତ୍ରରେ ଯୁବପିଢ଼ିଙ୍କ ଦକ୍ଷତାକୁ ଉଜାଗର କରିବା ସହ ସେମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ଓ ସକାରାତ୍ମକ ଚିନ୍ତାଧାରାର ବିକାଶ ଏହି ମହୋତ୍ସବର ଅନ୍ୟତମ ଉଦ୍ଦେଶ୍ୟ।
ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପ୍ରତିଯୋଗୀଙ୍କ ବୟସ ୧୫ରୁ ୨୯ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଚଳିତ ଯୁବ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ “Nasha Mukt Yuva for Viksit Bharat” (ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବସମାଜ) ରଖାଯାଇଛି। ଏହି ବିଷୟବସ୍ତୁ ମାଧ୍ୟମରେ ଯୁବବର୍ଗଙ୍କୁ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ଏକ ସୁସ୍ଥ, ସଶକ୍ତ ଓ ଦାୟିତ୍ୱବାନ ଯୁବସମାଜ ଗଠନ ପାଇଁ ପ୍ରେରଣା ଦେବା ଉପରେ ଗୁରୁତ୍ୱ ଦିଆଯିବ।
ବୈଠକରେ ଜିଲ୍ଲାପାଳ ????ଶ୍ରୀ ରଘୁରାମ ଆର. ଆୟର ଜିଲ୍ଲାର ଅଧିକରୁ ଅଧିକ ଯୁବକଯୁବତୀ ଯେପରି ଏଥିରେ ଅଂଶଗ୍ରହଣ କରିପାରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକସ୍ତରରେ ପ୍ରତିଯୋଗିତା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରିବା, ଯୋଗ୍ୟ ପ୍ରତିଯୋଗୀଙ୍କୁ ଚିହ୍ନଟ କରିବା ଏବଂ ପ୍ରତିଯୋଗିତାଗୁଡ଼ିକୁ ସୁବ୍ୟବସ୍ଥିତ ଭାବେ ଆୟୋଜନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଶ୍ରୀ ଅରୁଣ କୁମାର ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଇନ୍ଦ୍ରାଣୀ ମଲ୍ଲିକଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
