ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଅବଦୁଲ କଲିମ ଖାଁ ଭବ୍ୟ ସମ୍ବର୍ଦ୍ଧନା

ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଅବଦୁଲ କଲିମ ଖାଁ ଭବ୍ୟ ସମ୍ବର୍ଦ୍ଧନା

ବୌଦ୍ଧ: ନବ ନିଯୁକ୍ତ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ ଖାଁ ଙ୍କୁ ଉଦ୍ଦେଶ୍ୟ କରି ବୌଦ୍ଧ ଟାଉନ ହଲ ଠାରେ ଆଜି ଭବ୍ୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପୂର୍ବତନ ବିଧାୟକ ସୁଜିତ କୁମାର ପାଢ଼ୀ, ସମରେଶ ମିଶ୍ରଙ୍କ ସମେତ ଜିଲ୍ଲା ର ଅନ୍ୟାନ୍ୟ ନେତାମାନେ ମଞ୍ଚାସୀନ ରହିଥିଲେ।

ସଭା ପୂର୍ବରୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ଏକ ବିଶାଳ ଶୋଭାଯାତ୍ରା ବୌଦ୍ଧ ବ୍ରିଜ ଛକ ରୁ ବାହାରି ସହର ଓ ବୁଟୁପାଲି ଅଞ୍ଚଳ ପରିକ୍ରମା କରି ଟାଉନ ହଲ ଠାରେ ପହଞ୍ଚିଥିଲା। ଦଳୀୟ ପତାକା, ନାରା ଓ ଉତ୍ସାହମୟ ପରିବେଶ ଶୋଭାଯାତ୍ରାକୁ ଆକର୍ଷଣୀୟ କରିଥିଲା। ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଶୋଭାଯାତ୍ରାକୁ ଦେଖିବାକୁ ଅନେକ ସଂଖ୍ୟାରେ ଯୋଗ ଦେଇଥିଲେ।

ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ନାନା ପ୍ରାନ୍ତରୁ ଆସିଥିବା କର୍ମୀ ଓ ସମର୍ଥକମାନେ ଅବଦୁଲ କଲିମ ଖାଁଙ୍କୁ ପୁଷ୍ପଗୁଚ୍ଛ, ଉପହାର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ସଭାରେ ନେତାମାନେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ସମସ୍ତଙ୍କ ଏକତା ଓ ସକ୍ରିୟ ଭୂମିକା ଅତ୍ୟାବଶ୍ୟକ।

ନବ ନିଯୁକ୍ତ ସଭାପତି ଅବଦୁଲ କଲିମ ଖାଁ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସେ ସମସ୍ତ କର୍ମୀଙ୍କୁ ସହିତ ନେଇ ଦଳକୁ ଗ୍ରାମସ୍ତରରେ ମଜବୁତ କରିବେ ଏବଂ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଆଗାମୀ ଦିନରେ ସକ୍ରିୟ ଭାବେ କାମ କରିବେ। ସେ ଯୁବମାନଙ୍କୁ ଦଳ ସହିତ ଯୋଡ଼ିବା ଓ ସଂଗଠନକୁ ନୂତନ ଗତି ଦେବାକୁ ଆହ୍ୱାନ କରିଥିଲେ।

ସଭା ଶେଷରେ କର୍ମୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ, ଏକତା ଓ ସଂଗଠନକୁ ଶକ୍ତିଶାଳୀ କରିବାର ଦୃଢ ସଙ୍କଳ୍ପ ପ୍ରକାଶ ପାଇଥିଲା।