ବାତ୍ୟା ପ୍ରଭାବିତଙ୍କ ପାଖରେ ସମାଜସେବୀ
ଘର ଉପରେ ତେନ୍ତୁଳି ଗଛ ପଡ଼ି ପରିବାର ବାସହୀନ, ସରକାରୀ ସହାୟତା ପାଇଁ ଦାବି
ମାଥିଲି, ୨୫/୦୯: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମେକା ପଞ୍ଚାୟତରେ ବାତ୍ୟାଜନିତ ପ୍ରବଳ ପବନ ଓ ବର୍ଷା ଯୋଗୁଁ ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ଏଭଳି ସମୟରେ ସମାଜସେବୀ ଖଗପତି ନାୟକ ଓ ମହେଶ୍ୱର ପଟ୍ଟନାୟକ ପଞ୍ଚାୟତର ବିଭିନ୍ନ ଗାଁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଛନ୍ତି।
ଏହି ପରିଦର୍ଶନ ସମୟରେ କାଳିଆଗୁଡ଼ା ଗ୍ରାମର ପିତମ ଭୂମିଆଙ୍କ ପରିବାରର ଦୁର୍ଦ୍ଦଶା ସାମ୍ନାକୁ ଆସିଥିଲା। ପ୍ରବଳ ବର୍ଷା ଓ ପବନ ସମୟରେ ଘର ନିକଟରେ ଥିବା ଏକ ବଡ଼ ତେନ୍ତୁଳି ଗଛ ଘର ଉପରେ ପଡ଼ିଯିବାରୁ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ଘଟଣା ସମୟରେ ପିତମ ଭୂମିଆ ତାଙ୍କ ତିନି ଜଣ ଛୁଆ ଓ ପତ୍ନୀଙ୍କ ସହ ଘରେ ଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ ପରିବାରର କାହାରି କିଛି ଅଘଟଣ ଘଟିନଥିଲେ ମଧ୍ୟ ଘର ଭାଙ୍ଗିଯିବାରୁ ପରିବାରଟି ଦୁର୍ଦ୍ଦଶାରେ ପଡ଼ିଛି।
ପରିବାରର ଅବସ୍ଥା ଦେଖି ସମାଜସେବୀ ଖଗପତି ନାୟକ ଓ ମହେଶ୍ୱର ପଟ୍ଟନାୟକ ତୁରନ୍ତ ସେମାନଙ୍କୁ କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ। ଏଥିସହ ଉକ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସରକାରୀ ସହାୟତା, ଘର ମରାମତି କିମ୍ବା ପୁନଃନିର୍ମାଣ ପାଇଁ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।
ବାତ୍ୟା ଓ ପ୍ରବଳ ବର୍ଷାରେ ପଞ୍ଚାୟତର ପ୍ରଭାବିତ ପରିବାରଗୁଡ଼ିକୁ ପ୍ରଶାସନ ତୁରନ୍ତ ଚିହ୍ନଟ କରି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ମଧ୍ୟ ଦାବି କରିଛନ୍ତି।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର )


admin 
