ବିନା ଅନୁମତି ରେ ହୋଇପାରିବନି ଶେୟାର...

ବିନା ଅନୁମତି ରେ ହୋଇପାରିବନି ଶେୟାର...

ପୂର୍ବ ଅନୁମତି ବିନା କୋର୍ଟ କାର୍ଯ୍ୟବିଧିର ଅଡିଓ-ଭିଡିଓ ରେକର୍ଡିଂକୁ ସମ୍ପାଦନ, ପରିବର୍ତ୍ତନ, ପ୍ରସାରଣ, ପୋଷ୍ଟ, ରି-ପୋଷ୍ଟ, ଅପଲୋଡ୍ କିମ୍ବା ଏଥିରୁ ଆର୍ଥିକ ଲାଭ କରିବା ନିଷିଦ୍ଧ।

ସୋସିଆଲ ମିଡିଆରେ କୋର୍ଟ କାର୍ଯ୍ୟବିଧିର ଅଡିଓ-ଭିଡିଓ ରେକର୍ଡିଂର ଅନିୟନ୍ତ୍ରିତ ପ୍ରସାରଣକୁ "ବ୍ୟାଗରୁ ବାହାରିଥିବା ରାକ୍ଷସ" ସହ ତୁଳନା କରି ସୁପ୍ରିମକୋର୍ଟ ଏହା ଉପରେ କଡ଼ା କଟକଣା ଲଗାଇଛନ୍ତି। ସମ୍ପୃକ୍ତ କୋର୍ଟର ପୂର୍ବ ଅନୁମତି ବିନା କୌଣସି ବ୍ୟକ୍ତି କୋର୍ଟ କାର୍ଯ୍ୟବିଧିର ଅଡିଓ କିମ୍ବା ଭିଡିଓ ରେକର୍ଡିଂକୁ ସୋସିଆଲ ମିଡିଆ କିମ୍ବା ଅନ୍ୟ ଡିଜିଟାଲ ପ୍ଲାଟଫର୍ମରେ ପୋଷ୍ଟ, ଅପଲୋଡ୍, ସେୟାର, ରି-ପୋଷ୍ଟ କିମ୍ବା ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ ନାହିଁ।

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କୋର୍ଟ କାର୍ଯ୍ୟବିଧିର ଲାଇଭଷ୍ଟ୍ରିମିଂ ଏବଂ ଭିଡିଓ ପ୍ରସାରଣକୁ ନିୟନ୍ତ୍ରଣ କରାଯିବା ସଂପର୍କରେ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (PIL) ଉପରେ ଶୁଣାଣି କରି ଏହି ଅନ୍ତରୀଣ ଆଦେଶ ଜାରି କରିଛନ୍ତି।

କୋର୍ଟ କହିଛନ୍ତି, ସମ୍ପୃକ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ୍ କିମ୍ବା ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲଙ୍କ ପୂର୍ବ ଅନୁମତି ବିନା କୋର୍ଟ କାର୍ଯ୍ୟବିଧିର ଅଡିଓ-ଭିଡିଓ ରେକର୍ଡିଂକୁ ସମ୍ପାଦନ, ପରିବର୍ତ୍ତନ, ପ୍ରସାରଣ, ପୋଷ୍ଟ, ରି-ପୋଷ୍ଟ, ଅପଲୋଡ୍ କିମ୍ବା ଏଥିରୁ ଆର୍ଥିକ ଲାଭ କରିବା ନିଷିଦ୍ଧ।

ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ଆଦେଶ ଗଣମାଧ୍ୟମର କୋର୍ଟ କାର୍ଯ୍ୟବିଧି ସମ୍ପର୍କିତ ଖବର ପ୍ରକାଶ କିମ୍ବା ପ୍ରସାରଣ ଉପରେ କୌଣସି ପ୍ରତିବନ୍ଧକ ଲଗାଉ ନାହିଁ ଏବଂ ଏହାକୁ ଗଣମାଧ୍ୟମର କଣ୍ଠରୋଧ (Gag Order) ଭାବେ ବିବେଚନା କରାଯିବ ନାହିଁ।

ଆବେଦନକାରୀ ତାଙ୍କ ଆବେଦନରେ କହିଥିଲେ ଯେ କୋର୍ଟରେ ହେଉଥିବା ଆଲୋଚନାର କେବଳ କିଛି ଅଂଶକୁ ପ୍ରସଙ୍ଗ ବାହାରେ ସୋସିଆଲ ମିଡିଆରେ ପ୍ରଚାର କରାଯାଉଥିବାରୁ ନ୍ୟାୟାଳୟର ମର୍ଯ୍ୟାଦା କ୍ଷୁଣ୍ଣ ହେଉଛି ଏବଂ ନ୍ୟାୟ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ କମୁଛି।

ବିଚାରପତି ଜୟମାଲ୍ୟ ବାଗଚୀ କହିଛନ୍ତି, "ଆମେ କେବଳ ଭିଡିଓ ରେକର୍ଡିଂ ଏବଂ ତାହାକୁ ଅପଲୋଡ୍ କରିବା ଉପରେ ରୋକ୍ ଲଗାଉଛୁ। ଯଦି କୌଣସି ଲାଇଭ୍ଷ୍ଟ୍ରିମିଂ କିମ୍ବା ଅଡିଓ-ଭିଜୁଆଲ ପ୍ରସାରଣ ହେବ, ତେବେ ସେଥିପାଇଁ ସେକ୍ରେଟାରୀ ଜେନେରାଲ୍ କିମ୍ବା ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁମତି ଆବଶ୍ୟକ।"

ସଲିସିଟର ଜେନେରାଲ୍ ତୁଷାର ମେହେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଓକିଲମାନେ ନିଜ ଯୁକ୍ତି ଦର୍ଶାଇବା ପାଇଁ କୋର୍ଟର ଭିଡିଓ କ୍ଲିପ୍ ପୋଷ୍ଟ କରୁଥିବା କଥା ଉଲ୍ଲେଖ କରିବା ପରେ ବିଚାରପତି ବାଗଚୀ କହିଥିଲେ, " ବ୍ୟାଗରୁ ବାହାରିଥିବା ରାକ୍ଷସକୁ ଆମେ ଅଟକାଇ ପାରିବୁ ନାହିଁ।"

ସେ ଆହୁରି କହିଥିଲେ, "କୋର୍ଟ ୨୪ ଘଣ୍ଟିଆ ମନୋରଞ୍ଜନ ଚ୍ୟାନେଲ୍ ନୁହେଁ। ତେଣୁ ଲାଇଭ୍ଷ୍ଟ୍ରିମିଂକୁ ସୀମିତ କରିବା ଆବଶ୍ୟକ। ଯେଉଁମାନେ ଦେଖିବାକୁ ଚାହାନ୍ତି ସେମାନେ ଅନୁମତି ମାଗିବା ଦରକାର।"

ଅନଲାଇନ୍ ଭର୍ଚୁଆଲ୍ ଶୁଣାଣି ପାଇଁ ଦିଆଯାଉଥିବା ଲିଙ୍କଗୁଡ଼ିକ ଅବାଧରେ ଅନ୍ୟମାନଙ୍କ ସହ ସେୟାର ହେଉଥିବାରୁ ଏହାକୁ ମଧ୍ୟ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

ସୋସିଆଲ ମିଡିଆରେ କୋର୍ଟ ଭିଡିଓ ପ୍ରସାରଣକୁ ନେଇ ସୁପ୍ରିମକୋର୍ଟ ମେଟା, ଏକ୍ସ ସମେତ ଅନ୍ୟ ସୋସିଆଲ ମିଡିଆ କମ୍ପାନିଙ୍କୁ ନୋଟିସ ଜାରି କରିଛନ୍ତି।

ବିଚାରପତି ଭି. ମୋହନା ସ୍ପଷ୍ଟ କରିଛନ୍ତି ଯେ ଏହି ନିର୍ଦ୍ଦେଶ ମତପ୍ରକାଶର ସ୍ୱାଧୀନତା ଉପରେ କୌଣସି ପ୍ରତିବନ୍ଧକ ନୁହେଁ।