ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ସେପ୍ଟେମ୍ବର ୨୮ ଏଆଇଡିଏସଓ ପକ୍ଷରୁ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭକୁ ସଫଳ କରନ୍ତୁ*

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ସେପ୍ଟେମ୍ବର ୨୮ ଏଆଇଡିଏସଓ ପକ୍ଷରୁ ବିଧାନସଭା ସମ୍ମୁଖରେ ବିଶାଳ ଛାତ୍ର ବିକ୍ଷୋଭକୁ ସଫଳ କରନ୍ତୁ*

ଭୁବନେଶ୍ୱର (୧୮.୦୯.୨୦୨୬) ଦେଶ ତଥା ରାଜ୍ୟର ଚରମ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ସମାଧାନ ଦାବିରେ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (ଏଆଇଡିଏସଓ) ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆସନ୍ତା ୨୮ ସେପ୍ଟେମ୍ୱର ବିଧାନସଭା ସମ୍ମୁଖରେ ଏକ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସଂଗଠନର ରାଜ୍ୟ ସଭାପତି ସୋମନାଥ ବେହେରା, ସମ୍ପାଦକ ସିଦ୍ଧାର୍ଥ ରଥ, ଉପ-ସଭାପତି ଭାଗ୍ୟରବି ଦାସ, କାର୍ଯ୍ୟାଳୟ ସମ୍ପାଦକ ନସିମ ସରକାର, କୋଷାଧ୍ୟକ୍ଷା ସପ୍ତର୍ଷିନୀ ରାଉଳ ଓ ସମ୍ପାଦକ ମଣ୍ଡଳୀ ସଭ୍ୟ ବିନୋଦ ସେଠୀ ଉପସ୍ଥିତ ରହି ସୂଚନା ଦେଇଛନ୍ତି । “ପ୍ରତିବାଦ ବିନା ଦାବି ହାସଲ ଅସମ୍ଭବ” ବୋଲି ଉଲ୍ଲେଖ କରି ନେତୃବୃନ୍ଦ ଶିକ୍ଷା କ୍ଷେତ୍ରରେ ଚାଲିଥିବା ସରକାରୀ ଅବହେଳା ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି । ସାମ୍ୱାଦିକ ସମ୍ମିଳନୀରେ ନେତୃବୃନ୍ଦ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାର ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ଅଯୌକ୍ତିକ, ଅବୈଜ୍ଞାନିକ, କପୋଳକଳ୍ପିତ ଓ କୁସଂସ୍କାରାଚ୍ଛନ୍ନ ବିଷୟବସ୍ତୁ ଭର୍ତ୍ତି କରି ଶିକ୍ଷାର ମୂଳଦୁଆକୁ ଧ୍ୱଂସ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛନ୍ତି ।

ବହିଗୁଡ଼ିକରେ ଅସଂଖ୍ୟ ତ୍ରୁଟି ରହିବା ସହ ଗୁରୁତ୍ୱପୂର୍ଣ୍ଣ ମୌଳିକ ବିଷୟଗୁଡ଼ିକୁ ବାଦ ଦିଆଯାଇଛି । ସାରା ରାଜ୍ୟରେ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ଜୋର ଦାବି ଉଠିଥିଲେ ମଧ୍ୟ ସରକାର ଏଯାବତ ଚୁପ ହୋଇ ବସି ରହିଛନ୍ତି । ସରକାର ଏହା ସହିତ ତ୍ରୁଟିପୂର୍ଣ୍ଣ ଭାଷାନୀତି ଲଦିଦେଇ ମାତୃଭାଷା ଓ ଇଂରାଜୀ ଶିକ୍ଷାର ଗୁରୁତ୍ୱକୁ କ୍ଷୁର୍ଣ୍ଣ କରାଯାଉଛି । ଅନ୍ୟପଟେ ରାଜ୍ୟରେ ହଜାର ହଜାର ଶିକ୍ଷକ - ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ଖାଲି ପଡ଼ିବା, ଭିତ୍ତିଭୂମିର ଘୋର ଅଭାବ, ବିଗତ ଦିନରେ ବନ୍ଦ ହୋଇଥିବା ୭୦୦୦ରୁ ଉର୍ଦ୍ଧ୍ୱ ସରକାରୀ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ ନକରି ବରଂ ସ୍କୁଲ ବନ୍ଦ ପ୍ରକ୍ରିୟା ଜାରି ରଖିବା ଏବଂ ‘କେଜି ରୁ ପିଜି ମାଗଣା ଶିକ୍ଷା’ ଭଳି ଲୋଭନୀୟ ସ୍ଲୋଗାନ ଆଢୁଆଳରେ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନକୁ ଧ୍ୱଂସ କରିବାର ଷଡଯନ୍ତ କରାଯାଇଛି । ଏହା ସହିତ ପ୍ରଶ୍ନପତ୍ର ଲିକ୍ କରୁଥିବା ଏନଟିଏ ଭଳି ଦୁର୍ନୀତିଗ୍ରସ୍ତ ସଂସ୍ଥାକୁ ରଦ୍ଦ ନକରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି । ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖାଯାଇ ଅଗଣତାନ୍ତ୍ରିକ ‘ଆଦର୍ଶ ଆଚରଣ ସଂହିତା’ ଜାରି କରାଯାଉଛି । ଅନ୍ୟ ଦିଗରେ ସମାଜରେ ନିଶାଦ୍ରବ୍ୟ ଓ ଅପସଂସ୍କୃତିର ପ୍ରଚାର ପ୍ରସାର ଯୋଗୁଁ ଛାତ୍ରୀ ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢି ବଢି ଚାଲିଛି ।

ଏହି ପରିସ୍ଥିତିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିଶୂନ୍ୟ ବିଜ୍ଞାନସମ୍ମତ ପାଠ୍ୟପୁସ୍ତକ ତୁରନ୍ତ ପ୍ରଦାନ କରିବା, ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭାବେ ପୂରଣ କରିବା, ବନ୍ଦ ସ୍କୁଲଗୁଡ଼ିକୁ ତୁରନ୍ତ ଖୋଲିବା, ଏନଟିଏ କୁ ରଦ୍ଦ କରିବା, ଅଗଣତାନ୍ତ୍ରିକ ଆଚରଣ ସଂହିତା ପ୍ରତ୍ୟାହାର କରି କଲେଜ-ବିଶ୍ୱବିଦ୍ୟାଳୟରେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବା, ଶିକ୍ଷା ବିରୋଧୀ ଜାତୀୟ ଶିକ୍ଷାନୀତି-୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା, ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ପାସ୍ ଯୋଗାଇଦେବା, ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ନିଶାଦ୍ରବ୍ୟ ତଥା ଅପସଂସ୍କୃତିର ପ୍ରଚାର ପ୍ରସାର ସମ୍ପୂର୍ଣ୍ଣ ବନ୍ଦ କରିବା ଭଳି ପ୍ରମୂଖ ୧୦ ଦଫା ଦାବି ଉପସ୍ଥାପନ କରାଯାଇଛି ।

ଏହି ଦାବିରେ ଆସନ୍ତା ୨୮ ସେପ୍ଟେମ୍ୱର ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ଛାତ୍ର ବିକ୍ଷୋଭକୁ ସାମଗ୍ରିକ ଭାବେ ସଫଳ କରିବାକୁ ଏଆଇଡିଏସଓ ପକ୍ଷରୁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ବୁଦ୍ଧିଜୀବୀ ତଥା ଶିକ୍ଷାପ୍ରେମୀ ଜନସାଧାରଣଙ୍କୁ ବିନମ୍ର ନିବେଦନ କରାଯାଇଛି ।

Released By

Nasim Sarkar

Office Secretary, AIDSO

Odisha State Council

Mob: 70089 82009