ବିରି ଫସଲରେ କାଳିମୁଣ୍ଡି ପୋକ ଚିନ୍ତାରେ ଚାଷୀ ଚିରନିଦ୍ରାରେ ପଟ୍ଟାମୁଣ୍ଡାଇ କୃଷି ବିଭାଗ।

ବିରି ଫସଲରେ କାଳିମୁଣ୍ଡି ପୋକ  ଚିନ୍ତାରେ ଚାଷୀ ଚିରନିଦ୍ରାରେ ପଟ୍ଟାମୁଣ୍ଡାଇ କୃଷି ବିଭାଗ।

ପଟ୍ଟାମୁଣ୍ଡାଇ ଚଳିତ ବର୍ଷ ପଟ୍ଟାମୁଣ୍ଡାଇ ବ୍ଲକରେ ବାରମ୍ବାର ବନ୍ୟା ଆସିବା ଫଳରେ ଦୀର୍ଘ ଦୁଇ ମାସ ଧରି ଧୋୟାଂଚଳବାସୀ ନାହିଁନଥିବା ଦୁର୍ଦ୍ଦଶା ଭୋଗ କରିଛନ୍ତି। ସାରଦ ଧାନ ଓ ପନିପରିବା ସମ୍ପୂର୍ଣ୍ଣ ଉଜୁଡି ଯିବା ଯୋଗୁଁ ଚାଷୀମାନେ ସର୍ବସ୍ୱାନ୍ତ ହୋଇପଡିଥିଲେ । ଏପରିସ୍ଥଳେ ଭାଙ୍ଗି ନପଡି ଚାଷୀମାନେ ଧାରକରଜ କରି ଅର୍ଥକରୀ ବିରି ଚାଷ କରିଥିଲେ। ସମ୍ପ୍ରତି ଧୋୟାଂଚଳ ବିଭିନ୍ନ ଗ୍ରମାରେ ଥିବା ଚାଷ ଜମି ଫସଲରେ କାଳିମୁଣ୍ଡି ପୋକ ଲାଗିଗଲେଣି। ଫଳରେ ଅଧିକାଂଶ ଜମିରେ ଗଛ ମାତ୍ର ଦୁଇ ପତ୍ର ହୋଇଥିବାରୁ ପୋକ ସବୁ ପତ୍ର ଖାଇଯାଉଛନ୍ତି । ଯାହାକୁ ନେଇ ଫସଲ ସମ୍ପୂର୍ଣ୍ଣ ଉଜୁଡିଯିବାର ଆଶଙ୍କା ସୃଷ୍ଟି ହୋଇଛି।

ସାମାଜିକକର୍ମୀ ମାନସ ରଞ୍ଜନ ସାମଲ କୁହନ୍ତି କେନ୍ଦ୍ରାପଡା ଜିଲାର ବିରି ଅମାର କୁହାଯାଉଥିବା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା, ସିଦ୍ଧବାଲି, ଦାଣ୍ଡିସାହି, ସିଂହଗାଁ, କୃଷ୍ଣଦାସପୁର, ନୂଆପାଟଣା, ରାଉଳିଆ, କୋଳଥିଆ, ପେଣ୍ଠପାଳ, ତରଡ଼ିପାଳ ଓ ଅଳପୁଆ ଆଦି ଅଂଚଳର ଚାଷୀମାନେ ଜମିରେ ବ୍ୟାପକ ବିରି ଚାଷ କରିଛନ୍ତିି । ମାତ୍ର ଗତ କିଛି ଦିନ ହେବ ବିରି ଗଛରେ କାଳୀମୁଣ୍ଡି ପୋକ ଲାଗି ଫସଲ ନଷ୍ଠ କରିବାକୁ ବସିଲେଣି । ଧୋୟାଂଚଳରେ ବିରି ଏକ ଅର୍ଥକାରି ଫସଲ ହୋଇଥିବା ବେଳେ ପ୍ରାୟତ ଚାଷୀ ଧାରକରଜ କରି ବିରି ବୁଣିଥାନ୍ତି । କାଳୁମୁଣ୍ଡି ପୋକ ବିରି ଫସଲ ନଷ୍ଟ କରିଦେଲେ ବନ୍ୟାରେ ସର୍ବସାନ୍ତ ହୋଇଥିବା ଚାଷୀ ପରିବାର ପ୍ରତିପୋଷଣ କିପରି କରିବେ ସେନେଇ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। 

ଧୋୟାଂଚଳର ଅଭିଜ୍ଞ ଚାଷୀ ଚିତ ରଞ୍ଜନ ମଲ୍ଲିକଙ୍କ କହିବାନୁଯାୟୀ, ବିରି ଗଛ ଅତିକମରେ ପାଂଚଟି ପତ୍ର ବିଶିଷ୍ଟ ହେଲେ ଯାଇ ମଜବୁତ ହୋଇଥାଏ। ସାଧାରଣତଃ କାଳିମୁଣ୍ଡି ପୋକ ପତ୍ର ଖାଇଗଲେ ମଧ୍ୟ ପଛରେ ନୂତନ ପତ୍ର ସୃଷ୍ଟି ହୋଇ ଫସଲ ବଂଚିଯିବାର ସମ୍ଭାବନା ରହିଥାଏ ଏବଂ ଅମଳ ମଧ୍ୟ ସମ୍ଭବ ହୁଏ। ମାତ୍ର ଚଳିତ ବର୍ଷ ଗଛର ପ୍ରାରମ୍ଭିକ ଅବସ୍ଥାରେ ଅର୍ଥାତ୍ ମାତ୍ର ଦୁଇ ପତ୍ର ହୋଇଥିବା ସମୟରେ ହିଁ କାଳିମୁଣ୍ଡି ପୋକ ଲାଗିଯିବାରୁ ପରିସ୍ଥିତି ସାଂଘାତିକ ହୋଇପଡିଛି। ଏଭଳି ସ୍ଥିତିରେ ଫସଲ ସମ୍ପୂର୍ଣ୍ଣ ଉଜୁଡିଯିବାର ନିଶ୍ଚିତ ଆଶଙ୍କା ଦେଖାଦେଇଛି। ବନ୍ୟା କ୍ଷତିକୁ ସମ୍ଭାଳି ନପାରୁଥିବା ଚାଷୀଙ୍କ ପାଇଁ ଏହି ପୋକ ଆକ୍ରମଣ ମୁଣ୍ଡରେ ଚଡ଼କ ପକାଇଛି ଏବଂ ପରିବାର ପ୍ରତିପୋଷଣ ନେଇ ସେମାନେ ଗଭୀର ଚିନ୍ତାରେ ଅଛନ୍ତି।

ଉଲ୍ଲାସ ମଲ୍ଲିକ, ବିଶ୍ୱରଞ୍ଜନ ପରିଡ଼ା, ପାର୍ଥସାରଥୀ ଦାସ, ସଚ୍ଚିଦାନନ୍ଦ ମଲ୍ଲିକ, ସତ୍ୟବ୍ରତ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ନାୟକ ଓ ପ୍ରତାପ ବିଶ୍ୱାଳ ପ୍ରମୁଖ କୁହନ୍ତି କାଳିମୁଣ୍ଡି ପୋକ ଆକ୍ରମଣ ଯୋଗୁଁ ବିରି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଥିଲେ ହେଁ ସ୍ଥାନୀୟ କୃଷି ବିଭାଗର ନୀରବତା ଚାଷୀକୁଳକୁ ଗଭୀର ଭାବେ ବିଚଳିତ କରିଛି। ବନ୍ୟାରେ ସର୍ବସ୍ୱାନ୍ତ ହୋଇଥିବା ଚାଷୀମାନେ ଧାରକରଜ କରି କରିଥିବା ଫସଲକୁ ବଂଚାଇବା ପାଇଁ ସରକାରୀ ସହାୟତା କିମ୍ବା ପରାମର୍ଶକୁ ଅପେକ୍ଷା କରିଛନ୍ତି। ମାତ୍ର ଏତେ ବଡ଼ ସମସ୍ୟା ସତ୍ୱେ କୃଷି ବିଭାଗ ପକ୍ଷରୁ କୌଣସି ତତ୍ପରତା କିମ୍ବା ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବିଭାଗର ଏଭଳି ନୀରବ ଦ୍ରଷ୍ଟା ସାଜିବା ଆଭିମୁଖ୍ୟ ଚାଷୀଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି। ତୁରନ୍ତ କୃଷି ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଇ ଚାଷୀଙ୍କୁ ଆବଶ୍ୟକୀୟ କୀଟନାଶକ ଓ ପରାମର୍ଶ ଯାଗାଇ ଦେବାକୁ ଦାବି ଜୋର ଧରିଛି।ତେବେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ଯୁଦ୍ଧକାଳୀନ ଭିତିରେ ମାଗଣାରେ କୀଟନାଶକ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।