ମାଥିଲିରେ ଗୁଳିକାଣ୍ଡ ଦିବସ ପାଳିତ ସହିଦଙ୍କ ବଳିଦାନକୁ ସ୍ମରଣ କଲେ ସର୍ବଦଳୀୟ ନେତା ଓ ଜନସାଧାରଣ
ମାଥିଲି, ମାଲକାନଗିରି ଜିଲ୍ଲାର ମାଥିଲିଠାରେ ଐତିହାସିକ ଗୁଳିକାଣ୍ଡ ଦିବସ ଆଜି ଶ୍ରଦ୍ଧା, ସମ୍ମାନ ଓ ଭାବବିହ୍ୱଳ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଗୁଳିକାଣ୍ଡରେ ପ୍ରାଣବଳି ଦେଇଥିବା ସହିଦମାନଙ୍କୁ ସ୍ମରଣ କରାଯାଇ ତାଙ୍କ ତ୍ୟାଗ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ନେତା, ଜନପ୍ରତିନିଧି, ସାମାଜିକ କର୍ମୀ ଓ ସ୍ଥାନୀୟ ଲୋକେ ଏକାଠି ହୋଇ ସହିଦମାନଙ୍କୁ ସ୍ମରଣ କରିଥିଲେ।
ମାଥିଲି ଗୁଳିକାଣ୍ଡ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଏକ ସ୍ମରଣୀୟ ଅଧ୍ୟାୟ ଭାବେ ପରିଚିତ। ବ୍ରିଟିଶ ଶାସନ ବିରୋଧରେ ସ୍ୱାଧୀନତାର ଆନ୍ଦୋଳନ ଜୋରଦାର ହୋଇଥିବା ସମୟରେ ମାଥିଲି ଅଞ୍ଚଳରେ ମଧ୍ୟ ଜନଆନ୍ଦୋଳନ ତୀବ୍ର ହୋଇଥିଲା। ଇଂରେଜ ଶାସନର ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ଥାନୀୟ ଲୋକେ ସଂଗଠିତ ହୋଇ ସ୍ୱାଧୀନତାର ଦାବିରେ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନକୁ ଦମନ କରିବାକୁ ଯାଇ ଘଟିଥିବା ଗୁଳିକାଣ୍ଡରେ ଅନେକ ଦେଶପ୍ରେମୀ ନିଜ ଜୀବନକୁ ବଳିଦାନ ଦେଇଥିଲେ।
ସେହି ବୀର ସହିଦମାନଙ୍କ ସ୍ମୃତିକୁ ଅମର କରିବା ପାଇଁ ମାଥିଲିରେ ପ୍ରତିବର୍ଷ ଗୁଳିକାଣ୍ଡ ଦିବସ ପାଳନ କରାଯାଉଛି। ମାଥିଲି ଥାନା ପରିସରରେ ଥିବା ସହିଦ ସ୍ତମ୍ଭ ଏହି ଐତିହାସିକ ଘଟଣାର ସ୍ମୃତି ବହନ କରୁଛି। ପ୍ରତିବର୍ଷ ଏହି ଦିନରେ ନେତା ଓ ସାଧାରଣ ଲୋକେ ସହିଦ ସ୍ତମ୍ଭ ନିକଟରେ ଏକତ୍ରିତ ହୋଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି।
ଆଜିର କାର୍ଯ୍ୟକ୍ରମରେ ସହିଦମାନଙ୍କ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ ସହ ନୀରବ ପ୍ରାର୍ଥନା କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ, ସ୍ୱାଧୀନତା ଆମକୁ ସହଜରେ ମିଳିନାହିଁ। ଅନେକ ବୀରଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନର ଫଳରେ ଆଜି ଆମେ ସ୍ୱାଧୀନ ଭାରତର ନାଗରିକ ଭାବେ ବଞ୍ଚିବାର ସୁଯୋଗ ପାଇଛୁ। ତେଣୁ ଏହି ଐତିହାସିକ ଘଟଣା ଓ ସହିଦମାନଙ୍କ ବଳିଦାନକୁ ନୂଆ ପିଢ଼ି ମନେ ରଖିବା ଆବଶ୍ୟକ।
କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଥିଲି ବ୍ଳକ ଅଧକ୍ଷ ମହେଶ କୁମାର ବାକା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଞ୍ଜନ, ଜିଲ୍ଲାପରିଷଦ ସଦସ୍ୟା ଜୋନ -୧ ଲକ୍ଷ୍ମୀପ୍ରିୟା ନାୟକ, ସାଂସଦ ପ୍ରତିନିଧି ବନମାଳି ବରଜା, ଏମ୍ ଡି ଆକବର, କୁନାଲ ମିଶ୍ର, ସୋନ୍ତିଶିନି ପାତ୍ର,ଜଳନ୍ଧର ନାୟକ, ହଳଧର ପୂଜାରୀ,୨୦ ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତସଭ୍ୟ ପ୍ରମୁଖ ଉପସ୍ଥିତ ରହି ସହିଦମାନଙ୍କ ପ୍ରତି ଶ୍ରଦ୍ଧା ଜଣାଇଥିଲେ।
ବକ୍ତାମାନେ ଆହୁରି କହିଥିଲେ ଯେ, ମାଥିଲି ଗୁଳିକାଣ୍ଡର ଇତିହାସ କେବଳ ଏକ ଘଟଣା ନୁହେଁ, ଏହା ଅଞ୍ଚଳବାସୀଙ୍କ ସାହସ, ଏକତା ଓ ଦେଶପ୍ରେମର ପ୍ରତୀକ। ଏହି ଇତିହାସକୁ ସଂରକ୍ଷଣ କରିବା ସହ ବିଦ୍ୟାଳୟ ଓ ଯୁବପିଢ଼ିଙ୍କ ମଧ୍ୟରେ ଏହାର ଗୁରୁତ୍ୱ ପହଞ୍ଚାଇବା ଦିଗରେ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
ସର୍ବଦଳୀୟ ଭାବେ ଆୟୋଜିତ ଏହି ସ୍ମୃତି କାର୍ଯ୍ୟକ୍ରମରେ ଦଳୀୟ ମତଭେଦ ଭୁଲି ସମସ୍ତେ ସହିଦମାନଙ୍କ ବଳିଦାନକୁ ସମ୍ମାନ ଜଣାଇଥିଲେ। ଶେଷରେ ସହିଦମାନଙ୍କ ଆଦର୍ଶ ଓ ଦେଶପ୍ରେମର ଚେତନାକୁ ଆଗାମୀ ପିଢ଼ି ମଧ୍ୟରେ ଜାଗ୍ରତ ରଖିବାକୁ ସମସ୍ତେ ଆହ୍ୱାନ ଦେଇଥିଲେ।
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
