ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ଅନୁ-ସଚିବ ଶ୍ରୀ ନିରଞ୍ଜନ ପାଢ଼ୀଙ୍କ କେନ୍ଦ୍ରାପଡ଼ା ଗସ୍ତ

ଏସ୍‌ଆଇଆର୍‌ର ଡ୍ରାଫ୍ଟ ପ୍ରକାଶ ପରବର୍ତ୍ତୀ କାର୍ଯ୍ୟକ୍ରମର ସମୀକ୍ଷା।

ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ଅନୁ-ସଚିବ ଶ୍ରୀ ନିରଞ୍ଜନ ପାଢ଼ୀଙ୍କ କେନ୍ଦ୍ରାପଡ଼ା ଗସ୍ତ

କେନ୍ଦ୍ରାପଡ଼ା, ୨୯.୦୭.୨୦୨୬ : ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟର ଅନୁ -ସଚିବ ଶ୍ରୀ ନିରଞ୍ଜନ ପାଢ଼ୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମର ଡ୍ରାଫ୍ଟ ମତଦାତା ତାଲିକା ପ୍ରକାଶ ପରବର୍ତ୍ତୀ ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ। ଜିଲ୍ଲାରେ ଦାବି ଓ ଆପତ୍ତି ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟା କିପରି ସୁଚାରୁ ଭାବେ ପରିଚାଳିତ ହେଉଛି, ସେ ସମ୍ପର୍କରେ ସେ କ୍ଷେତ୍ର ପର୍ଯ୍ୟାୟରେ ଯାଇ ଅନୁଧ୍ୟାନ କରିଥିଲେ।

ଗସ୍ତ ଅବସରରେ ଶ୍ରୀ ପାଢ଼ୀ ୯୭-କେନ୍ଦ୍ରାପଡ଼ା ଏବଂ ୯୬-ପାଟକୁରା କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଦାବି ଓ ଆପତ୍ତି ଶୁଣାଣି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ସେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO), ଜିଲ୍ଲା ନିର୍ବାଚନ ଶାଖାର ଅଧିକାରୀ, BLO ସୁପରଭାଇଜର, ବୁଥ୍ ସ୍ତରୀୟ ଅଧିକାରୀ (BLO), ବୁଥ୍ ସ୍ତରୀୟ ଏଜେଣ୍ଟ (BLA) ଏବଂ ସାଧାରଣ ମତଦାତାମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହା ସହିତ କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀର ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ |

ଶ୍ରୀ ପାଢ଼ୀ ମତଦାତା ତାଲିକାରେ ଥିବା ନୋ-ମ୍ୟାପିଂ ଏବଂ ବିଭିନ୍ନ ଅସଙ୍ଗତିଜନିତ ମାମଲାଗୁଡ଼ିକର ତ୍ୱରିତ ଏବଂ ସଠିକ୍ ସମାଧାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଦାବି ଓ ଆପତ୍ତିଗୁଡ଼ିକର ଯଥାସମୟରେ ଶୁଣାଣି ଓ ନିଷ୍ପତ୍ତି ଗ୍ରହଣ କରି ଯୋଗ୍ୟ ମତଦାତାମାନଙ୍କ ନାମ ମତଦାତା ତାଲିକାରେ ସଠିକ୍ ଭାବେ ସମ୍ମିଳିତ କରିବା ଏବଂ ତ୍ରୁଟି ସଂଶୋଧନ କରିବା ପାଇଁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଗସ୍ତ ସମୟରେ ସେ ଶୁଣାଣି କେନ୍ଦ୍ରଗୁଡ଼ିକରେ ମତଦାତାମାନଙ୍କ ପାଇଁ କରାଯାଇଥିବା ସୁବିଧା, ଆବେଦନପତ୍ର ଗ୍ରହଣ ପ୍ରକ୍ରିୟା ଏବଂ ଦାବି ଓ ଆପତ୍ତି ନିଷ୍ପତ୍ତି ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ମତଦାତାମାନଙ୍କୁ କୌଣସି ପ୍ରକାର ଅସୁବିଧା ନ ହେବା ଏବଂ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ଦିଗରେ ସତର୍କ ରହିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।ସ୍ୱତନ୍ତ୍ର ସଘନ ପୁନରୀକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସ୍ୱଚ୍ଛ, ତ୍ରୁଟିମୁକ୍ତ ଏବଂ ଅନ୍ତର୍ଭୁକ୍ତିମୂଳକ ମତଦାତା ତାଲିକା ପ୍ରସ୍ତୁତ କରିବା ନିର୍ବାଚନ ଆୟୋଗଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ସେ ମତ ପ୍ରକାଶ କରିଥିଲେ। ଏଥିପାଇଁ କ୍ଷେତ୍ରସ୍ତରରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବା ସହ ମତଦାତାମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ, ଅତିରିକ୍ତ ବିଡ଼ିଓ ଅନିରୁଦ୍ଧ ବେହେରା, ଡେପୁଟି କଲେକ୍ଟରେ ନିର୍ବାଚନ ଅମୀୟ କେତନ ସ୍ୱାଇଁ, କେନ୍ଦ୍ରାପଡ଼ା ମୁନିସିପାଲିଟି ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ଡେରାବିଶ ଅତିରିକ୍ତ ତହସିଲଦାର ଭାସ୍କର ବେହେରା,ଡେରାବିଶ ଅତିରିକ୍ତ ବିଡ଼ିଓ ମୃଣାଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା